ମୁଖ୍ୟମନ୍ତ୍ରୀ ଙ୍କୁ ସୁପାରିସ୍ ପାଇଁ ୨୦୦୮ ରୁ ୨୦୧୮ ଅନୁଦାନ ନିମିତ୍ତ କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ଙ୍କୁ ଦାବିପତ୍ର ପ୍ରଦାନ ।
ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ଢେ଼ଙ୍କାନାଳ ଜିଲ୍ଳା ଶାଖା ପକ୍ଷରୁ ନିଜ ର ଦାବି ସମ୍ପର୍କ ରେ ରାଜ୍ୟ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ‘ ଅନୁଦାନ ସମ୍ପର୍କ ଅଭିଯାନ ‘ ଆରମ୍ଭ ହୋଇଛି । ଏହି କ୍ରମରେ ସଂଘ ର ଏକ ମାତ୍ର ଦାବି ଯାହକି ୨୦୦୮ ରୁ ୨୦୧୮ ପର୍ଯ୍ୟନ୍ତ ସରକାରି ଅନୁଦାନ ପାଇଁ ଦାବିପତ୍ର ପ୍ରଦାନ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ସୁପାରିଶ ପତ୍ର ପ୍ରେରଣ ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ବୈଷୟିକ (ପ୍ରଯୁକ୍ତି) ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କୁ ଅନୁରୋଧ କରାଯାଇଛି । ସୂଚନାଯୋଗ୍ୟ କି ରାଜ୍ୟର ବିଭିନ୍ନ ଅନୁଦାନ ପ୍ରାପ୍ତ ଓ ଅଣ ଅନୁଦାନପ୍ରାପ୍ତ ମହବିଦ୍ୟାଳୟମାନଙ୍କରେ ୧ ଜୁନ ୨୦୦୮ ରୁ ୧ ଜୁନ ୨୦୧୮ ମଧ୍ୟରେ ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀ ମାନଙ୍କୁ ଆଜି ପର୍ଯ୍ୟନ୍ତ ଅନୁଦାନ ପରିସରଭୁକ୍ତ କରାଯାଇନାହିଁ । ଏହି ନ୍ୟାର୍ଯ୍ୟ ଦାବି ପାଇଁ ପୂର୍ବରୁ ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଏବଂ ଅନଶନ ଭଳି ପଦକ୍ଷେପ ମଧ୍ଯ ଗ୍ରହଣ କରାଯାଇଥିଲା । ସଙ୍ଘ ର ସୂଚନା ମୁତାବକ ଗତ ୧୫.୧୦.୨୦୨୫ ରେ ଉଚ୍ଚଶିକ୍ଷା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଙ୍କ ପ୍ରତିନିଧି ବାବୁ ସିଂ, ଆଶ୍ରିତ ପଟ୍ଟନାୟକ ଏବଂ ବିଭାଗୀୟ ସଚିବଙ୍କ ଉପସ୍ଥିତିରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ଏଥିରେ ନୂତନ ଅନୁଦାନ ନୀତି ପ୍ରଣୟନ ପାଇଁ ଦୃଢ଼ ପ୍ରତିଶୃତି ମିଳିଥିଲା। ପରେ ପରେ ମୁଖ୍ୟମନ୍ତ୍ରୀ, ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଅଶୋକ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ । ଉକ୍ତ କମିଟି ସହ ଆଲୋଚନା ଶେଷ ହେବାର ୪ ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ନ ମିଳିବାରୁ କର୍ମଚାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏଥି ନିମନ୍ତେ ନୂତନ ଅନୁଦାନ ନୀତି କୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ସୁପାରିଶ ପତ୍ର ପଠାଇବା ପାଇଁ ସଙ୍ଘ ମନ୍ତ୍ରୀ ମହୋଦୟ ଙ୍କୁ ଅନୁରୋଧ କରିଛି । ଦାବିପତ୍ର ପ୍ରଦାନ ବେଳେ ସଙ୍ଘ ର ଢେ଼ଙ୍କାନାଳ ଜିଲ୍ଲା ଶାଖା ର ବିଭିନ୍ନ ବ୍ଲକ ର ଖଣ୍ଡ ସଂଯୋଜକ ତଥା ଦିଲୀପ କୁମାର ପଣ୍ଡା, ଆଶିଷ କୁମାର ପଣ୍ଡା, ସୁଧାଂଶୁ ଶେଖର ଓଝା, ସୁନୀଲ କୁମାର ଦାସ ଙ୍କ ସମେତ ବହୁ ସଦସ୍ୟ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ ।



