ଅଇଁଠା ଦହିବରାକୁ ପୁଣିବିକ୍ରି ! ଚମ୍ପୁଆରେ ଦହିବରା ବ୍ୟବସାୟୀର କାରନାମା ଭିଡିଓ ଭାଇରାଲ ।
କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତରେ ଦହିବରା ବ୍ୟବସାୟୀ ଥାନାରେ ଅଟକ। କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ଜଣେ ଦହିବରା ଦୋକାନୀଙ୍କ ଏକ ଘୃଣ୍ୟ କାରନାମା ସାମ୍ନାକୁ ଆସିଛି । ଗ୍ରାହକମାନେ ଖାଇସାରି ଛାଡ଼ିଦେଇଥିବା ଅଇଁଠା ଦହିବରାକୁ ପୁଣିଥରେ ମିଶାଇ ଅନ୍ୟ ଗ୍ରାହକଙ୍କୁ ବିକ୍ରି କରାଯାଉଥିବାର ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଚମ୍ପୁଆ ଅଞ୍ଚଳରେ ଚର୍ଚ୍ଚା ସହ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି ।
ସୂଚନା ଅନୁଯାୟୀ, ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ ବସ୍ ଷ୍ଟାଣ୍ଡ ସାମ୍ନା ରାସ୍ତା କଡ଼ରେ ଥିବା ଏହି ଦହିବରା ଦୋକାନୀ ଏଭଳି ଘୃଣ୍ୟ କାରବାର କରୁଥିବାବେଳେ କେହି ଏହାର ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ିଥିଲେ । ଭିଡିଓରେ ଦେଖିବାକୁ ମିଳିଛି ଯେ, ଗ୍ରାହକ ଛାଡ଼ିଥିବା ଦହିବରାକୁ ପୁଣିଥରେ ସେହି ପାତ୍ରରେ ମିଶାଇ ଅନ୍ୟ ଗ୍ରାହକଙ୍କୁ ଦିଆଯାଉଛି । ଗତକାଲି ଭିଡିଓ ଭାଇରାଲ ପରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।ଆଜି ସକାଳୁ ଉତ୍ତ୍ୟକ୍ତ ଲୋକେ ଦୋକାନୀଙ୍କୁ ଘେରାଉ କରିବା ସହ ଉତ୍ତମ ମଧ୍ୟମ ଦେଇଥିବା ମଧ୍ୟ କୁହାଯାଉଛି । ପରେ ଖବର ପାଇ ଚମ୍ପୁଆ ପୋଲିସ୍ ଓ NAC କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୋକାନୀଙ୍କ ଦୁଇ ଚକିଆ ଯାନ ସହ ବିକ୍ରି ପାଇଁ ରଖାଯାଇଥିବା ସମସ୍ତ ଦହିବରା ଓ ଅନ୍ୟାନ୍ୟ ସାମଗ୍ରୀକୁ ପ୍ରଶାସନ ପକ୍ଷରୁ ଜବତ କରାଯିବାପରେ ପ୍ରସ୍ତୁତ ଖାଦ୍ୟ ନଷ୍ଟ କରାଯାଇଛି । ଚମ୍ପୁଆ ପୋଲିସ୍ ସମ୍ପୃକ୍ତ ଦୋକାନୀ ରମାକାନ୍ତ ଖୁଣ୍ଟିଆଙ୍କୁ ଥାନାରେ ଅଟକ ରଖିଛି ତଦନ୍ତ ଚଳାଇଛି ।ଘଟଣା ପରେ ଖାଦ୍ୟ ସୁରକ୍ଷାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି । ଖାଦ୍ୟ ବ୍ୟବସାୟୀଙ୍କ ଉପରେ ନିୟମିତ ଯାଞ୍ଚ କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଅଞ୍ଚଳବାସିନ୍ଦା ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



