ରାଞ୍ଚି: ରାଞ୍ଚିରେ ଚାଲିଥିବା ଫେଡେରେସନ କପ୍ ଜାତୀୟ ବରିଷ୍ଠ ଦୌଡ଼କୁଦ ଚମ୍ପିଆନସିପର ପୁରୁଷ ୧୦୦ ମିଟର ଦୌଡ଼ରେ ଦୁଇ ଦିନରେ ୩ଥର ଜାତୀୟ କୀର୍ତ୍ତିମାନ ସୃଷ୍ଟି ହୋଇଛି। ଶୁକ୍ରବାର ଅନିମେଶ କୁଜୁର ୧୦୦ ମିଟର ଦୌଡ଼ ହିଟ୍ସରେ ୧୦.୧୭ ସେକେଣ୍ଡରେ ଅତିକ୍ରମ କରି ନୂତନ ଜାତୀୟ କୀର୍ତ୍ତିମାନ ସୃଷ୍ଟି କରିଥିଲେ। ଗୁରିନ୍ଦରବୀର ସିଂହଙ୍କ ନାମରେ ଥିବା ପୁରୁଣା କୀର୍ତ୍ତିମାନ ୧୦.୧୮ସେକେଣ୍ଡକୁ ଅନିମେଶ ଭାଙ୍ଗିଥିଲେ।
ଏହାର ୫ ମିନିଟ୍ ପରେ ୧୦୦ ମିଟର ଦୌଡ଼ର ସେମିଫାଇନାଲରେ ଗୁରିନ୍ଦରବୀର ୧୦.୧୫ ସେକେଣ୍ଡରେ ଅତିକ୍ରମ କରି ଅନିମେଶଙ୍କ କୀର୍ତ୍ତିମାନକୁ ଭାଙ୍ଗିଥିଲେ। ଶନିବାର ୧୦୦ ମିଟର ଦୌଡ଼ ଫାଇନାଲକୁ ଗୁରିନ୍ଦରବୀର ୧୦.୦୯ ସେକେଣ୍ଡରେ ଅତିକ୍ରମ କରି ନିଜ ନାମରେ ଥିବା କୀର୍ତ୍ତିମାନକୁ ଭାଙ୍ଗିଛନ୍ତି। ଫାଇନାଲରେ ଅନିମେଶ ୧୦.୨୦ ସେକେଣ୍ଡ ସମୟ ସହ ଦ୍ବିତୀୟ ସ୍ଥାନରେ ରହିଥିଲେ। ଗୁରିନ୍ଦରବୀର ପ୍ରଥମ ଭାରତୀୟ ଧାବକ ଭାବେ ୧୦୦ ମିଟର ଦୌଡ଼କୁ ୧୦.୧୦ ସେକେଣ୍ଡରୁ କମ୍ ସମୟରେ ଅତିକ୍ରମ କରିଛନ୍ତି। ଏଥି ସହିତ ଗୁରିନ୍ଦରବୀର ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ଜାପାନରେ ହେବାକୁ ଥିବା ଏସୀୟ କ୍ରୀଡ଼ା-୨୦୨୬ ଲାଗି ଯୋଗ୍ୟତା ହାସଲ କରିଛନ୍ତି।



