‘ମୋତେ ବଦନାମ କରିବାକୁ ଚେଷ୍ଟା କଲେ ଛାଡ଼ିବିନି’, ରଣହୁଙ୍କାର ଦେଲେ ଜୁଏଲ ଓରାମ
ରାଉରକେଲା: ରାଉରକେଲା ରାଜନୀତିରେ ଚାଲିଥିବା ଚର୍ଚ୍ଚା ଓ ବିବାଦ ମଧ୍ୟରେ ମୁହଁ ଖୋଲିଛନ୍ତି ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ନାଁ ନନେଇ କିଛି ବ୍ୟକ୍ତିଙ୍କୁ ଟାର୍ଗେଟ କରି ସେ କଡ଼ା ଭାଷାରେ ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି।
ପ୍ରକାଶ ପାଶ୍ୱାନଙ୍କ ଗିରଫ ପରେ ରାଉରକେଲା ରାଜନୀତିରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହା ପଛରେ ଷଡ଼ଯନ୍ତ୍ର ଥିବା ଜୁଏଲ ଓରାମ ଆଶଙ୍କା ପ୍ରକାଶ କରିଛନ୍ତି। କିଛିଦିନ ଧରି ଚାଲିଥିବା ଆଲୋଚନା ପରେ ସେ ନିଜର ନିରବତା ଭଙ୍ଗ କରି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।
ଜୁଏଲ କହିଛନ୍ତି ଯେ, ତାଙ୍କୁ ଯୋଜନାବଦ୍ଧ ଭାବେ ବଦନାମ କରିବାକୁ କିଛି ଲୋକ ଚେଷ୍ଟା କରୁଛନ୍ତି। ତାଙ୍କ ପ୍ରତିଷ୍ଠା ଓ ସମ୍ମାନ ଉପରେ ଆକ୍ରମଣ କରାଗଲେ ସେ ଏହାର ଦୃଢ଼ ପ୍ରତିବାଦ କରିବେ ବୋଲି କହିଛନ୍ତି। ଏହି ସମୟରେ ସେ ଅତ୍ୟନ୍ତ କଡ଼ା ଓ ଆକ୍ରମଣାତ୍ମକ ଶବ୍ଦ ବ୍ୟବହାର କରି ଚେତାବନୀ ଦେଇଥିବା ଚର୍ଚ୍ଚା ହେଉଛି।
ତାଙ୍କ ଅଭିଯୋଗ ଅନୁଯାୟୀ, କିଛି ଲୋକ ଅର୍ଥ ଖର୍ଚ୍ଚ କରି ତାଙ୍କୁ ବଦନାମ କରିବାର ଉଦ୍ୟମ କରୁଛନ୍ତି। ଜୁଏଲ ଓରାମଙ୍କ ରାଜନୈତିକ ପ୍ରଭାବ କମିଗଲେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅନ୍ୟମାନଙ୍କ ପାଇଁ ସୁଯୋଗ ସୃଷ୍ଟି ହେବ ବୋଲି କିଛି ଲୋକ ଭାବୁଥିବା ସେ ଦାବି କରିଛନ୍ତି।
ସେ ଆହୁରି କହିଛନ୍ତି ଯେ, ବିଜେପିକୁ ସେ ଦୀର୍ଘଦିନ ଧରି ନିଜର ପରିଶ୍ରମ ଓ ସମର୍ପଣରେ ଗଢ଼ିବାରେ ଭୂମିକା ନେଇଛନ୍ତି। ଦଳ ତାଙ୍କୁ ଯେଉଁ ସମ୍ମାନ ଓ ଦାୟିତ୍ୱ ଦେଇଛି, ସେଥିରେ ସେ ସନ୍ତୁଷ୍ଟ ବୋଲି କହିଛନ୍ତି।
ଏହାସହ ଆଗାମୀ ନିର୍ବାଚନକୁ ନେଇ ମଧ୍ୟ ନିଜ ମତ ବଦଳାଇଥିବା ସଙ୍କେତ ଦେଇଛନ୍ତି ଜୁଏଲ। ପୂର୍ବରୁ ନିର୍ବାଚନ ନଲଢ଼ିବା କଥା କହିଥିଲେ ମଧ୍ୟ ଏବେ ପୁଣିଥରେ ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଟ କରିଛନ୍ତି।
ଜୁଏଲ ଓରାମଙ୍କ ଏଭଳି କଡ଼ା ବୟାନ ପରେ ରାଉରକେଲା ଓ ସୁନ୍ଦରଗଡ଼ ରାଜନୀତିରେ ଚର୍ଚ୍ଚା ଆହୁରି ତୀବ୍ର ହୋଇଛି।



