ଦାବି ମଧ୍ୟରେ ସୀମିତ ରହିଯାଉଛି ରେଳ ୱାଗନରେ ପାଲ ଭିଡା ପ୍ରସଙ୍ଗ ଖିଲାପକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି
ଅନୁଗୁଳ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଅନୁରୋଧ
ତାଳଚେର, ୦୧/୦୬- ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ ପକ୍ଷରୁ ବିଗତ ଦିନ ମାନଙ୍କରେ ତାଳଚେରର ପରିବେଶ ସୁରକ୍ଷା ଓ ବାୟୁ ପ୍ରଦୂଷଣକୁ ରୋକିବା ସହ କୋଇଲା ପରିବହନ କରୁଥିବା ରେଳୱାଗନ ଗୁଡିକ ପାଲନଭିଡି ଯାତାୟାତ କରୁଥିବା ସମ୍ବନ୍ଧରେ ବାରମ୍ବାର ଜିଲ୍ଲା ପ୍ରଶାସନ, ଉପଖଣ୍ଡ ପ୍ରଶାସନ ଓ ରେଳବାଇ କର୍ତ୍ତୃପକ୍ଷଙ୍କୁ ଦାବି ଦିଆ ଯାଉଥିବା ବେଳେ ବସ୍ତୁତଃ ତାହା କାର୍ଯ୍ୟକାରୀ ହେଉନଥିବା ସଂଘ ତରଫରୁ ଅଭିଯୋଗ ହେଉଛି। ଫଳରେ ପୁନଃ ଏହି ସମସ୍ୟା ନେଇ ସଂଘ ତରଫରୁ ଗତକାଲି ଅନୁଗୁଳ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ ତରଫରୁ ୨୦୧୭-୧୮ ମସିହାରୁ ଅଦ୍ୟାବଧି ବିଭାଗୀୟ ଅଧିକାରୀ ମାନଙ୍କୁ ବାୟୁ ପ୍ରଦୂଷଣକୁ ରୋକିବାକୁ ପଦକ୍ଷେପ ନେବାକୁ ନିବେଦନ କରାଯାଉଛି। ଗତ ୧୩ ଜାନୁଆରୀ ୨୦୨୧ ମସିହାରେ ଏଥିପାଇଁ ଶାନ୍ତି ପୂର୍ଣ୍ଣ ଭାବେ ୟୁନିଅନ ତରଫରୁ ଗଣଧାରଣା ଦିଆଯାଇଥିଲା। ମାତ୍ର ଏମସିଏଲ କର୍ତ୍ତୃପକ୍ଷ ମିଥ୍ୟା ଅଭିଯୋଗ କରି ସଂଘର କର୍ମକର୍ତ୍ତା ମାନଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇ ଦେଇଥିଲେ। ଭାରତ ସରକାରଙ୍କର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ରେଳ ୱାଗାନ ଗୁଡିକ କୋଇଲା ପରିବହନ ବେଳେ ପାଲ ଭିଡି ଯାତାୟତ କରିବାକୁ ଗେଜେଟ ନୋଟିଫିକେସନ ଜାରି କରିଛନ୍ତି। ଫଳରେ ରେଳୱେ ବୋର୍ଡ ଇଷ୍ଟକୋଷ୍ଟ ରେଲୱେକୁ ରେଳୱାଗାନ ଗୁଡିକ କୋଇଲା ପରିବହନ ବେଳେ ପାଲଭିଡି ଯାତାୟତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଏସବୁ ସତ୍ତ୍ବେ ଏମସିଏଲର ବିଭିନ୍ନ କୋଇଲାଖଣିରୁ ଦେଶର ବିଭିନ୍ନ ପ୍ରାନ୍ତକୁ ରେଳୱାଗନ ଯୋଗେ କୋଇଲା ପଠାଯାଉ[ôaû ସମ୍ୱନ୍ଧରେ ବରିଷ୍ଠ ନାଗରିକ, ଶ୍ରମିକ ସଂଗଠନ, ସ୍ଵେଚ୍ଛାସେବୀ ସଂଗଠନ ଓ ପରିବେଶବିତ ମାନେ ଏମସିଏଲର ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ମାନଙ୍କୁ ବାରମ୍ଵାର ଅବଗତ କରାଯାଉଥିଲେ ମଧ୍ୟ ପାଲ ଭିଡା ନେଇ କୌଣସି ପଦେକ୍ଷେପ ନିଆଯାଉ ନାହିଁ। ତାଳଚେର ଅଞ୍ଚଳକୁ ଛାଡି ଦେଲେ ଅନ୍ୟ ସମସ୍ତ ଅଞ୍ଚଳରୁ ରେଳୱାଗନ ଯୋଗେ ମାଲ ପରିବହନ ବେଳେ ପାଲ ଭିଡା ହୋଇ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। କୋଇଲା ପରିବହନ ମୁଖ୍ୟତଃ ତିନି ପକ୍ଷଙ୍କ ମଧ୍ୟରେ ହୋଇଥାଏ ଯଥା ବିକ୍ରେତା, କ୍ରେତା ଓ ପରିବହନକାରୀ l ତେଣୁ ପାଲ ଭିଡା ନେଇ ସମସ୍ତେ ଉତ୍ତରଦାୟୀ ହେବାକଥା। ମାତ୍ର ପାଲ ଭିଡା ନେଇ ଗେଜେଟ ପ୍ରକାଶ ପାଇଥିଲେ ମଧ୍ୟ ତାହାକୁ କେହି ଭ୍ରୁକ୍ଷେପ କରୁନଥିବା ସଂଘ ଅଭିଯୋଗ କରିଛି। ଗତ ଜାନୁଆରୀ ୨୨ ତାରିଖରେ ତାଳଚେର ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା। ଉକ୍ତ ବୈଠକରେ ରେଳବାଇ ବିଭାଗ ଓ ଏମସିଏଲ ପାଲଭିଡିବା ପାଇଁ ସହମତି ପ୍ରକାଶ କରିଥିଲେ। ଫଳରେ ଗତ ଫେବୃୟାରୀ ୪ ତାରିଖରେ ଉପ ଜିଲ୍ଲାପାଳ ମୋହଦୟ ଏହାକୁ କାର୍ଯ୍ୟକାରୀ କରିବାକୁ ପତ୍ର ମାଧ୍ଯମରେ ବିଭାଗ ଗୁଡିକୁ ଜଣାଇଲେ। ଏହାସହ ସଂଘ ତରଫରୁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ମଧ୍ଯ ଏନେଇ ଦାବିପତ୍ର ଦିଆଯାଇଥିଲା। ଫଳରେ ଖୋର୍ଦ୍ଧା ଡିଭିଜନ ତରଫରୁ ଗତ ଏପ୍ରିଲ ୨୯ ତାରିଖରେ ତାଳଚେର ଏଆରଏମ, ତାଳଚେର ଷ୍ଟେସନ ସୁପରିଟେଣ୍ଡଣ୍ଟ, ରେଳବାଇ ଷ୍ଟେସନ ମ୍ୟାନେଜର, ସିଏମଆଇ, ସିଜିଏସ ତାଳଚେରଙ୍କୁ ଖୋର୍ଦ୍ଧା ଡିଭିଜନ ଏଡିଆରଏମ ଏକ ପତ୍ର ମାଧ୍ଯମରେ ୱାଗନରେ କୋଇଲା ପରିବହନ ବେଳେ ପାଲ ଭିଡିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଭଲ ମାନର ତାରପୋଲିନ ଓ ଦୌଡ଼ି ଦ୍ଵାରା ୱାଗନ ଗୁଡ଼ିକ ବାନ୍ଧିବା ସହ ସେଥିପାଇଁ ଅତିରିକ୍ତ ୧ ଘଣ୍ଟା ଦିଆଯିବ ବୋଲି ଚିଠି ମଧ୍ୟରେ ଜଣାଇଛନ୍ତି। ମାତ୍ର ବର୍ତ୍ତମାନ ସୁଦ୍ଧା ରେଳବାଇ ଅଧିକାରୀ ଓ ଏମସିଏଲ କର୍ତ୍ତୃପକ୍ଷଙ୍କ ତରଫରୁ ପାଲ ଭିଡା ନେଇ କୌଣସି ପଦକ୍ଷେପ ନିଆଯାଉନଯିବାରୁ ଏହି ଦୁଇଟି ସଂସ୍ଥା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ତାଳଚେର କୋଇଲା ଖଣି ଶ୍ରମିକ କଂଗ୍ରେସ ପକ୍ଷରୁ ଏହି ଦାବିପତ୍ର ଅନୁଗୋଳ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।



