ଇରାନରେ ଏକ ସପ୍ତାହରୁ ଅଧିକ ସମୟ ଧରି ଚାଲିଥିବା ହିଂସା କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ରିପୋର୍ଟ ଅନୁସାରେ ଏପର୍ଯ୍ୟନ୍ତ ହିଂସାତ୍ମକ ପ୍ରତିବାଦରେ ୩୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଆହୁରି ଅନେକ ଆହତ ହୋଇଥିବା ସୂଚନା ମିଳିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଇରାନ ସରକାର ୧୨୦୦ରୁ ଅଧିକ ଲୋକଙ୍କୁ ଅଟକ ରଖିଛନ୍ତି।
ଆମେରିକା ସ୍ଥିତ ଏକ ମାନବାଧିକାର ସମ୍ବାଦ ସଂସ୍ଥା ଅନୁଯାୟୀ ଇରାନ ହିଂସାରେ ଚାରି ଶିଶୁ ଏବଂ ଦୁଇ ସୁରକ୍ଷା କର୍ମୀଙ୍କ ସମେତ ୨୯ ଜଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଛି। ଇରାନର ୩୧ ଟି ପ୍ରଦେଶ ମଧ୍ୟରୁ ୨୭ ଟି ପ୍ରଦେଶ ହିଂସା ଦ୍ୱାରା ପ୍ରଭାବିତ। ସମଗ୍ର ଇରାନରେ ୨୫୦ ରୁ ଅଧିକ ସ୍ଥାନରେ ହିଂସାତ୍ମକ ପ୍ରତିବାଦ ଦେଖାଯାଉଛି।ଇରାନରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦିନ ତେହେରାନକୁ ଧମକ ଦେଇ କହିଥିଲେ, ଶାନ୍ତିପୂର୍ଣ୍ଣ ପ୍ରତିବାଦକାରୀଙ୍କୁ ବଳପୂର୍ବକ ହତ୍ୟା କରାଯାଉଛି। ଆମେ ନିଶ୍ଚିତ ଭାବରେ ସେମାନଙ୍କ ଉଦ୍ଧାର କରିବୁ। ଇରାନ ସମ୍ପର୍କରେ ଟ୍ରମ୍ପଙ୍କ ଯୋଜନା କ’ଣ? ଏହା ସ୍ପଷ୍ଟ ନୁହେଁ।ଟ୍ରମ୍ପ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ କି ଇରାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା ଅନିଶ୍ଚିତ ରହିଛି। ବିଶେଷକରି ଭେନେଜୁଏଲା ଉପରେ ଆମେରିକାର ଆକ୍ରମଣ ପରେ, ମଧ୍ୟପ୍ରାଚ୍ୟର ପରିସ୍ଥିତି ପୁଣି ଥରେ ଖରାପ ହେବ ବୋଲି ଅନୁମାନ କରାଯାଉଛି।



