ରତ୍ନବେଦିକୁ ବାହୁଡ଼ିଲେ ମହାପ୍ରଭୁ ଶ୍ରୀଦଧିବାମନ

ଭଟଲି (ଅଭିମନ୍ୟୁ ପଧାନ ): ଓଡ଼ିଶାର ଶ୍ରୀକ୍ଷେତ୍ର ବରଗଡ଼ଜିଲ୍ଲା ଭଟଲି ଶ୍ରୀଦଧିବାମନ ଧାମରେ ପ୍ରସିଦ୍ଧ ବାହୁଡ଼ାଯାତ୍ରା ଲକ୍ଷାଧିକ ଭକ୍ତ ଙ୍କ ଗହଣରେ ଶୁକ୍ରବାର ସମ୍ପନ୍ନ ହୋଇଅଛି lମହାପ୍ରଭୁ ଶ୍ରୀଦଧିବାମନ ମାଉସୀ ମନ୍ଦିରସ୍ଥ ଆଡ଼ପମଣ୍ଡପ ଛାଡ଼ି ରଥାରୂଢ଼ ହୋଇ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରୁଥିଲେ lଏଥିପାଇଁ ଗୁରୁବାର ମଧ୍ୟରାତିରେ ଶ୍ରୀଦଧିବାମନଙ୍କୁ ତାଙ୍କର ଅତିପ୍ରିୟ ପୋଡ଼ପିଠା ଭୋଗ ଲାଗି କରାଯାଇଥିଲା l ଆଜି ପ୍ରତ୍ୟୁଷରୁ ପ୍ରଭୁଙ୍କ ଦୈନିକ ପୂଜାନୀତି, ସାହାଣମେଲା ଅନୁଷ୍ଠିତ ହୋଇଥିଲା । ଶ୍ରୀଦଧିବାମନଙ୍କ ପହଣ୍ଡି ପୂଜା ଓ ମଙ୍ଗଳାର୍ପଣ ପରେ ମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ତତ୍ତ୍ବାବଧାନରେ ଭକ୍ତଙ୍କ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ରଭୁ ଶ୍ରୀଦଧିବାମନ ପୁରୋହିତଙ୍କ କରଦୋଳିରେ ଝୁଲିଝୁଲି ମାଉସୀ ମନ୍ଦିରରୁ ରଥ ନିକଟକୁ ପହଣ୍ଡି ହୋଇ ଆସିଥିଲେ । ଭଟଲି ଗୌନ୍ତିଆଙ୍କ ଦ୍ବାରା ଛେରାପହଁରା ପରେ ମହାପ୍ରଭୁ ରଥାରୂଢ଼ ହୋଇଥିଲେ | ରଥରେ ଘୋଡ଼ାଯଚା ହୋଇ ଡାହୁକ (ସାରଥି)ଙ୍କ ଦ୍ବାରା ଗୀତ ବୋଳାଯିବା ପରେ ଶ୍ରୀମନ୍ଦିର ଅଭିମୁଖେ ମହାପ୍ରଭୁ ଯାତ୍ରା କରିଥିଲେ। ଶ୍ରଦ୍ଧାଳୁ ଭକ୍ତଙ୍କ ହୁଳହୁଳି, ହରିବୋଲ, ଘଣ୍ଟ, ଶଙ୍ଖ ଧ୍ବନିରେ ଗଗନପବନ ପ୍ରକମ୍ପିତ ଉଠିଥିଲା। ପ୍ରଭୁଙ୍କ ସମ୍ମୁଖରେ ଅନେକ ସଂକୀର୍ତନ ଦଳ, ସମ୍ପ୍ରଦା ଦଳ, ବ୍ୟାଣ୍ଡବାଜା 2 ପାର୍ଟି ପ୍ରମୁଖ ନିଜ ନିଜର କଳା ପ୍ରଦର୍ଶନ ପୂର୍ବକ ପ୍ରଭୁଙ୍କୁ ଆଗେଇ ନେଇଥିଲେ। । ପରେ ଶ୍ରୀଦଧିବାମନଙ୍କୁ ରଥରେ ବେଶ କରାଯାଇ ମଙ୍ଗଳ ଆଳତି କରାଯାଇଥିଲା। ପରମ୍ପରା ଅନୁଯାୟୀ ଛୋଟଛୋଟ । ଶିଶୁମାନଙ୍କୁ ରଥଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିସହ ପଞ୍ଚମହାଆଳତି କରାଯାଇଥିଲା। ରଥାରୂଢ଼ ଦଧିବାମନଙ୍କୁ ଦର୍ଶନ କଲେ ମୋକ୍ଷ ପ୍ରାପ୍ତିହୁଏ ବୋଲି ବିଶ୍ବାସ ଥିବାରୁ ପଶ୍ଚିମ ଓଡ଼ିଶା ସମେତ ପଡ଼ୋଶୀ ଛତିଶଗଡ଼, ମଧ୍ୟପ୍ରଦେଶ ଆଦି ସ୍ଥାନରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ମହାପ୍ରଭୁଙ୍କ ରଥ ରାତି ପ୍ରାୟ ୧୦ଟା ସମୟରେ ରଥଖଳାରେ ପହଞ୍ଚିଥିଲା ।ଏହି ଅବସରରେ ବିଧାୟକ ଇରାଶିଷ ଆଚାର୍ଯ୍ୟ, ଆଇଜି ହିମାଂଶୁ ଲାଲ, ଜିଲ୍ଲା ସ୍ବତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଗୋବର୍ଦ୍ଧନ ଭୋଏ ରଥାରୂଢ଼ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଆରକ୍ଷୀ ଅଧୀକ୍ଷକ ରବୀନ୍ଦ୍ରନାଥ ଶତପଥୀ, ଉପଜିଲ୍ଲାପାଳ ପ୍ରସନ୍ନ ପାଣ୍ଡେ, ଏସ୍ଡିପିଓ ପଦାରବିନ୍ଦ ତ୍ରିପାଠୀ, ଭଟଲି ଥାନାଧିକାରୀ ବିଭୂତି ଭୂଷଣ ଦଳେଇଙ୍କ ସମେତ ବିଭିନ୍ନ ଥାନାଧିକାରୀମାନେ ଉପସ୍ଥିତ ରହି ଆଇନଶୃଙ୍ଖଳା ରକ୍ଷା କରିଥିଲେ। ଭଟଲି ବିଡିଓ ପ୍ରମୋଦ ଚନ୍ଦ୍ର ମେହେର ଏବଂ ତହସିଲଦାର ରାମକୃଷ୍ଣ ମିଶ୍ର ଉପସ୍ଥିତ ଥିଲେ। ଆଜି ପ୍ରଭୁ ଶ୍ରୀଦଧିବାମନ ରଥ ଉପରେ ଭକ୍ତମାନଙ୍କୁ ସୁନା ବେଶରେ ଦର୍ଶନ ଦେବାର କାର୍ଯ୍ୟକ୍ରମ ରହିଛି। ରଥଯାତ୍ରା ପାଳନ ନରେନ୍ଦ୍ର ପଣ୍ଡା, ରମେଶ ପଶାୟତ ଓ ଶ୍ରୀକାନ୍ତ ଶତପଥୀ ଧାରା ବିବରଣୀ ଦେଇଥିଲେ | କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ବାହୁଡ଼ାଯାତ୍ରାକୁ ସୁରୁଖୁରୁରେ ସମାପନ କରିଥିଲେ |




