ରେଳ ଧକ୍କାରେ ଦନ୍ତାର ମୃତ୍ୟୁ, ବିଷମକଟକରେ ଉଦ୍ବେଗ
ବୁରୁନ୍ଦାବାଡ଼ି ନିକଟରେ ଲାଇଟ୍ ଇଞ୍ଜିନ୍ ଧକ୍କାରେ ଘଟିଲା ଅଘଟଣ
ରାୟଗଡ଼ା: ରେଳ ଧାରଣା ପାର୍ ହେଉଥିବା ବେଳେ ଦନ୍ତା ହାତୀକୁ ଧକ୍କା ଦେଲା ଟ୍ରେନ୍ ଇଞ୍ଜିନ୍। ଏହି ମର୍ମନ୍ତୁଦ ଘଟଣାରେ ହାତୀଟିର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକର ବୁରୁନ୍ଦାବାଡ଼ି ନିକଟସ୍ଥ ବିଷମକଟକ-ଥେରୁବାଲି ରେଳପଥରେ ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ରେଳଧାରଣାର ୩୧୨/୫-୭ କିଲୋମିଟର ନିକଟରେ ଏକ ବ୍ୟାଙ୍କର ଲାଇଟ୍ ଇଞ୍ଜିନ୍ ଯାଉଥିବା ସମୟରେ ହଠାତ୍ ଦନ୍ତା ହାତୀଟି ଟ୍ରେନ୍ ସମ୍ମୁଖକୁ ଆସିଥିଲା। ଇଞ୍ଜିନ୍ର ଧକ୍କା ଏତେ ଜୋର୍ଦାର ଥିଲା ଯେ ହାତୀଟି ରେଳଧାରଣାଠାରୁ ପ୍ରାୟ ୩ ମିଟର ଦୂରକୁ ଛିଟିକି ପଡ଼ିଥିଲା ଏବଂ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲା।
ଘଟଣାର ଖବର ପାଇ ରେଳ ସୁରକ୍ଷା ବାହିନୀ (ଆରପିଏଫ୍) ଏବଂ ବନ ବିଭାଗର କର୍ମଚାରୀମାନେ ତୁରନ୍ତ ସେଠାରେ ପହଞ୍ଚିଥିଲେ। ତେବେ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଥିବାରୁ ହାତୀର ମୃତଦେହ ଉଦ୍ଧାର ସହ ଆବଶ୍ୟକ ପ୍ରକ୍ରିୟା ସମ୍ପାଦନରେ ବିଳମ୍ବ ହୋଇଥିବା ସୂଚନା ମିଳିଛି।
ସ୍ଥାନୀୟ ସୂଚନା ଅନୁଯାୟୀ, ଗତ କିଛି ମାସ ଧରି କଳାହାଣ୍ଡି ଅଞ୍ଚଳରୁ ଆସିଥିବା ପ୍ରାୟ ୪ଟି ହାତୀକୁ ନେଇ ଗଠିତ ଏକ ହାତୀପଲ ବିଷମକଟକ ବ୍ଲକର ଭାତପୁର ଓ ବୁରୁନ୍ଦାବାଡ଼ି ଅଞ୍ଚଳରେ ଘୁରି ବୁଲୁଥିଲେ। ସେହି ହାତୀପଲର ଗୋଟିଏ ଦନ୍ତା ରେଳ ଧକ୍କାରେ ପ୍ରାଣ ହରାଇବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଉଦ୍ବେଗ ବଢ଼ିଛି।
ରେଳପଥ ନିକଟରେ ହାତୀଙ୍କ ଗତିବିଧି ଉପରେ ନଜର ବଢ଼ାଇବା ସହ ଏଭଳି ଘଟଣାର ପୁନରାବୃତ୍ତି ରୋକିବାକୁ ସୁରକ୍ଷା ବ୍ୟବସ୍ଥା ଆହୁରି ମଜବୁତ କରିବାକୁ ଦାବି ହୋଇଛି।



