ଥାନା ଦୌଡ଼ିବା ଦରକାର ନାହିଁ, ହ୍ୱାଟ୍ସଆପ୍ରେ ମିଳିବ ୧୪ ପୋଲିସ ସେବା
‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍ର ଶୁଭାରମ୍ଭ; ଘରେ ବସି ଆବେଦନ, ଦଲିଲ୍ ଦାଖଲ ଓ ଆବେଦନର ସ୍ଥିତି ଜାଣିପାରିବେ ନାଗରିକ
ଭୁବନେଶ୍ୱର, ୧୨/୦୯: ଏଣିକି ସାଧାରଣ ଲୋକଙ୍କୁ ଛୋଟଛୋଟ ପୋଲିସ ସେବା ପାଇଁ ଥାନା କିମ୍ବା ସମ୍ପୃକ୍ତ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ। ଘରେ ବସି ହ୍ୱାଟ୍ସଆପ୍ ମାଧ୍ୟମରେ ୧୪ ପ୍ରକାରର ପୋଲିସ-ନାଗରିକ ସେବା ପାଇବାର ସୁବିଧା ମିଳିଛି। ଏଥିପାଇଁ ଓଡ଼ିଶା ପୋଲିସ ପକ୍ଷରୁ ‘ଆମ ସାଥୀ’ ୟୁନିଫାଏଡ୍ ହ୍ୱାଟ୍ସଆପ୍ ବଟ୍ରେ ଏହି ସେବାଗୁଡ଼ିକୁ ସାମିଲ କରାଯାଇଛି।
ଡିଜିଟାଲ୍ ମାଧ୍ୟମରେ ପୋଲିସ ସେବାକୁ ଅଧିକ ସରଳ, ଦ୍ରୁତ, ସ୍ୱଚ୍ଛ ଓ ନାଗରିକ-କେନ୍ଦ୍ରିକ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଡିଜିପି ବିନୟତୋଷ ମିଶ୍ର ଭୁବନେଶ୍ୱରସ୍ଥିତ ଡିଜିପି କ୍ୟାମ୍ପ ଅଫିସ୍ରେ ଏହି ସେବାର ଶୁଭାରମ୍ଭ କରିଛନ୍ତି।
‘ଆମ ସାଥୀ’ ହେଉଛି ଓଡ଼ିଶା ସରକାରଙ୍କ ୨୪×୭ ଡିଜିଟାଲ୍ ସହାୟକ ବ୍ୟବସ୍ଥା। ୨୦୨୫ ଡିସେମ୍ବର ୨୫ ତାରିଖ ସୁଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ହ୍ୱାଟ୍ସଆପ୍ ବଟ୍ର ଶୁଭାରମ୍ଭ କରିଥିଲେ। ସରକାରୀ ସେବାକୁ ଲୋକଙ୍କ ହାତପାହାନ୍ତାରେ ପହଞ୍ଚାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ।
Centre for Modernizing Government Initiative (CMGI), State Crime Records Bureau (SCRB), ଓଡ଼ିଶା ପୋଲିସ ଓ Meta India (WhatsApp)ର ସହଭାଗିତାରେ ଏହି ୟୁନିଫାଏଡ୍ ହ୍ୱାଟ୍ସଆପ୍ ବଟ୍ ବିକଶିତ କରାଯାଇଛି। ଗୃହ ବିଭାଗର ORTPSA ଅଧୀନରେ ୧୪ଟି ପୋଲିସ-ନାଗରିକ ସେବା ଏବେ ‘ଆମ ସାଥୀ’ ସହ ସମନ୍ୱିତ ହୋଇଛି।
କେଉଁ କେଉଁ ସେବା ମିଳିବ?
‘ଆମ ସାଥୀ’ ମାଧ୍ୟମରେ ନାଗରିକମାନେ ଚରିତ୍ର ପ୍ରମାଣପତ୍ର, ବରିଷ୍ଠ ନାଗରିକ ପଞ୍ଜୀକରଣ, କର୍ମଚାରୀ ସତ୍ୟାପନ, ହଜିଯାଇଥିବା ସମ୍ପତ୍ତି କିମ୍ବା ଦଲିଲ୍ ସମ୍ପର୍କିତ ରିପୋର୍ଟ, ଲାଉଡ୍ସ୍ପିକର୍ ପାଇଁ NOC, ଭଡ଼ାଟିଆ/PG ସତ୍ୟାପନ, ହଜିଯାଇଥିବା ସମ୍ପତ୍ତି ପଞ୍ଜୀକରଣ ଓ ନିଖୋଜ ବ୍ୟକ୍ତି ସମ୍ପର୍କିତ ପଞ୍ଜୀକରଣ କରିପାରିବେ।
ଏହା ସହିତ ଅଭିଯୋଗ ପଞ୍ଜୀକରଣ, ଘରୋଇ ସହାୟକ କିମ୍ବା କର୍ମଚାରୀ ନିୟୋଜନ ସତ୍ୟାପନ, କାର୍ଯ୍ୟକ୍ରମ ଓ ପ୍ରଦର୍ଶନ ପାଇଁ ଅନୁମତି, ଧାରଣା/ଧର୍ମଘଟ ପାଇଁ ଅନୁମତି, FIRର ନକଲ ଏବଂ ସଡ଼କ ଦୁର୍ଘଟଣା, ଚୋରି ଯାନବାହନ କିମ୍ବା ଚୋରି ମାମଲା ସମ୍ପର୍କିତ Final Formର ନକଲ ମଧ୍ୟ ପାଇପାରିବେ।
କିପରି ବ୍ୟବହାର କରିବେ?
‘ଆମ ସାଥୀ’ର ହ୍ୱାଟ୍ସଆପ୍ ନମ୍ବର ୯୪୩୭୨୯୨୦୦୦ ମୋବାଇଲ୍ରେ ସେଭ୍ କରି ସେଥିରେ ‘Hi’ ଲେଖି ପଠାଇବାକୁ ପଡ଼ିବ। ଏହାପରେ ଭାଷା ଚୟନ କରି ଆବଶ୍ୟକ ପୋଲିସ ସେବା ବାଛିପାରିବେ। ସେବା ଅନୁଯାୟୀ ଆବଶ୍ୟକ ତଥ୍ୟ ଓ ଦଲିଲ୍ ହ୍ୱାଟ୍ସଆପ୍ରେ ଦାଖଲ କରିବା ପରେ ଆବେଦନ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯିବ।
ଆବେଦନ ପରେ ଏକ ରେଫରେନ୍ସ କିମ୍ବା ଆବେଦନ ନମ୍ବର ମିଳିବ। ଏହାକୁ ବ୍ୟବହାର କରି ଆବେଦନର ସ୍ଥିତି ଜାଣିହେବ। ଯେଉଁ ସେବାରେ ଡିଜିଟାଲ୍ ଦଲିଲ୍ ପ୍ରଦାନର ବ୍ୟବସ୍ଥା ରହିଛି, ପ୍ରକ୍ରିୟା ଶେଷ ହେବା ପରେ ଅନୁମୋଦିତ ଦଲିଲ୍ ମଧ୍ୟ ହ୍ୱାଟ୍ସଆପ୍ରେ ପାଇପାରିବେ।
ଏହି ବ୍ୟବସ୍ଥା ମାଧ୍ୟମରେ ପୋଲିସ ସେବାକୁ ଅଧିକ ସହଜ ଓ ଲୋକଙ୍କ ନିକଟତର କରିବା ସହ ଡିଜିଟାଲ୍ ସୁଶାସନକୁ ଆହୁରି ମଜବୁତ କରିବାକୁ ଓଡ଼ିଶା ପୋଲିସ ଲକ୍ଷ୍ୟ ରଖିଛି।
ଉଦ୍ଘାଟନ କାର୍ଯ୍ୟକ୍ରମରେ SCRB ନିର୍ଦ୍ଦେଶକ ଅବିନାଶ କୁମାର ସ୍ୱାଗତ ଭାଷଣ ଦେଇଥିଲେ। ଏଥିରେ ଅତିରିକ୍ତ ଡିଜିପି (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ପୋଲିସ କମିଶନର ଡ଼ଃ ଏସ. ଦେବଦତ୍ତ ସିଂ, ଆଇଜି STF ହିମାଂଶୁ ଲାଲ, ଆଇଜି (ଇଣ୍ଟେଲିଜେନ୍ସ) ସତ୍ୟବ୍ରତ ଭୋଇ, ଆଇଜି (କ୍ରାଇମବ୍ରାଞ୍ଚ) ଡ଼ଃ ସାର୍ଥକ ଷଡ଼ଙ୍ଗୀ ଏବଂ CMGI କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ମୀନା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଏସ୍ପି (କମ୍ପ୍ୟୁଟର) ଅମୁଲ୍ୟ ଧର ଧନ୍ୟବାଦ ଅର୍ପଣ କରିଥିଲେ।
