Spread the love

ଓଡ଼ିଆ ସ୍ନାତକତ୍ତୋର ଶିକ୍ଷକଙ୍କ ନିମନ୍ତେ ଆୟୋଜିତ ତାଲିମ୍ କାର୍ଯ୍ଯକ୍ରମ ଉଦ୍‌ଯାପିତ

ଭୁବନେଶ୍ୱର, ୨୭ ସେପ୍ଟେମ୍ବର ୨୦୨୬:

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଆୟୋଜିତ ଓଡ଼ିଆ ସ୍ନାତକୋତ୍ତର ଶିକ୍ଷକ ମାନଙ୍କ ପାଇଁ ପାଞ୍ଚଦିନିଆ ତାଲିମ କାର୍ଯ୍ୟକ୍ରମ ଭୁବନେଶ୍ୱରର ସିରିପୁରସ୍ଥିତ ‘ଇମେଜ୍’ (IMAGE) ଠାରେ ଉଦ୍‌ଯାପିତ ହୋଇଯାଇଛି ।

ରାଜ୍ୟସାରା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରୁ ପ୍ରାୟ ୧୦୦ ଜଣ ଓଡ଼ିଆ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀ ଏହି ତାଲିମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକମାନଙ୍କର ବିଷୟଗତ ଜ୍ଞାନ, ଶିକ୍ଷାଦାନ କୌଶଳ, ଶ୍ରେଣୀଗୃହ ଅଭ୍ୟାସ ଏବଂ ବୃତ୍ତିଗତ ଦକ୍ଷତାର ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ଉଦ୍‌ଯାପନୀ ଅବସରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶିକ ଶ୍ରୀମତୀ ନିୟତି ପଟ୍ଟନାୟକ, ଅତିରିକ୍ତ ନିର୍ଦ୍ଦେଶିକ ଶ୍ରୀମତୀ ବିନୀତା ସେନାପତି, ଯୁଗ୍ମ ନିର୍ଦ୍ଦେଶିକ ଶ୍ରୀମତୀ ସସ୍ମିତା ମାଳୀ ଏବଂ ଉପ-ନିର୍ଦ୍ଦେଶକ ଶ୍ରୀ ଜିତେନ୍ଦ୍ର ନାୟକ ଉପସ୍ଥିତ ଥିଲେ।

ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରି ନିର୍ଦ୍ଦେଶିକ ଶ୍ରୀମତୀ ନିୟତି ପଟ୍ଟନାୟକ ଶିକ୍ଷକମାନଙ୍କ ମଧ୍ୟରେ ନିରନ୍ତର ଶିକ୍ଷଣ ଏବଂ ବୃତ୍ତିଗତ ବିକାଶର ଗୁରୁତ୍ୱ ଉପରେ ବକ୍ତବ୍ୟ ରଖିଥିଲେ । ଅତିରିକ୍ତ ନିର୍ଦ୍ଦେଶିକ ଶ୍ରୀମତୀ ବିନୀତା ସେନାପତି ନୂତନ ଭାବେ ନିଯୁକ୍ତ ପିଜିଟି ଶିକ୍ଷକମାନଙ୍କର ବୃତ୍ତିଗତ ଦକ୍ଷତା, ଆତ୍ମବିଶ୍ୱାସ ଏବଂ ଶ୍ରେଣୀଗୃହ ପ୍ରସ୍ତୁତିକୁ ସୁଦୃଢ଼ କରିବାରେ ପ୍ରାରମ୍ଭିକ ତାଲିମର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ।
ଯୁଗ୍ମ ନିର୍ଦ୍ଦେଶିକ ଶ୍ରୀମତୀ ସସ୍ମିତା ମାଳୀ ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ଉପ-ନିର୍ଦ୍ଦେଶକ ଶ୍ରୀ ଜିତେନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ ରିସୋର୍ସ ପର୍ସନ, ଅଂଶଗ୍ରହଣକାରୀ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ କର୍ମକର୍ତ୍ତାମାନଙ୍କୁ ସେ କୃତଜ୍ଞତା ଜଣାଇଥିଲେ ।

Leave a Reply

Your email address will not be published. Required fields are marked *