ପି ଏମ୍ ଶ୍ରୀ ଜନତା ସରକାରୀ ହାଇସ୍କୁଲ, ଭୁକ୍ତାରେ ବିଶ୍ଵ ଜଳାତଙ୍କ ଦିଵସ -୨୦୨୬ ପାଳିତ
ବରଗଡ:୨୮/୯(ପବିତ୍ର ମେହେର):ଭୂତାଣୁଜନିତ ମାରାତ୍ମକ ଜଳାତଙ୍କ ରୋଗର କାରଣ,ଲକ୍ଷଣ ଏବଂ ନିରାକରଣ ସମ୍ପର୍କରେ ଶିକ୍ଷାର୍ଥୀମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପି ଏମ୍ ଶ୍ରୀ ଜନତା ସରକାରୀ ହାଇସ୍କୁଲ,ଭୁକ୍ତାରେ ବିଶ୍ଵ ଜଳାତଙ୍କ ଦିଵସ -୨୦୨୬ ପାଳିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସଚେତନତା ଶିବିରରେ ମୁଖ୍ୟ ଅତିଥି ଭାବରେ ଅମ୍ବାଭୋନା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ଦୀପନ୍ କିଷାନ୍,ମୁଖ୍ୟ ବକ୍ତା ଭାବରେ ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡକ୍ଟର ସୌରଭ ପ୍ରକାଶ ସେଥୁଆ,ସମ୍ମାନିତ ଅତିଥି ଭାବରେ କୁମ୍ବୋର ପ୍ରାଣୀଧନ ନିରୀକ୍ଷକ ନାରାୟଣ ସୁନାନୀ ଓ କହ୍ନେଇପାଲିର ପ୍ରାଣୀଧନ ନିରୀକ୍ଷକ ରବି ମେହେର ଯୋଗ ଦେଇଥିଲେ।ବୁଲା କୁକୁର ଓ ବନ୍ୟ ଜନ୍ତୁଙ୍କ ପ୍ରତି ସତର୍କ ଓ ସାବଧାନତା ଅବଲମ୍ୱନ କରିବା,ଗୃହପାଳିତ କୁକୁରଙ୍କୁ ନିଶ୍ଚିତ ଭାବରେ ପ୍ରତିଷେଧକ ଟୀକା ପ୍ରଦାନ ତଥା କୌଣସି ପ୍ରାଣୀ କାମୁଡ଼ିଲେ ତୁରନ୍ତ କ୍ଷତ ସ୍ଥାନକୁ ସାବୁନ ଓ ଥଣ୍ତା ପାଣିରେ ଧୋଇବା ସହ ନିକଟସ୍ଥ ସ୍ବାସ୍ଥ୍ଯକେନ୍ଦ୍ର ସହ ପରାମର୍ଶ କରି ଯେପରି ଜଳାତଙ୍କ ପ୍ରତିଷେଧକ ଟୀକାର ସମ୍ପୂର୍ଣ୍ଣ ମାତ୍ରା ନେବେ ସେଥିପାଇଁ ଏହି କାର୍ଯ୍ୟକ୍ରମରେ ସଚେତନ କରାଯାଇଥିଲା।ଭୂତାଣୁ ଜନିତ ଏହି ଜୁନୋଟିକ୍ ରୋଗର କାରଣ ଓ ନିରାକରଣର ଉପାୟ ସମ୍ପର୍କରେ ସମସ୍ତ ଜନ ସାଧାରଣଙ୍କୁ ଅବଗତ କରିବା ପାଇଁ ଅତିଥିବୃନ୍ଦ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ।ଶିକ୍ଷକ ସଞ୍ଜୟ ଖମାରୀ ଉଦ୍ଦେଶ୍ୟ ଜ୍ଞାପନ ଓ ସଭା ସଂଯୋଜନା କରିଥିବା ବେଳେ ଶିକ୍ଷକ ଶ୍ରୀପତି ସାହୁ ଧନ୍ଯବାଦ ଅର୍ପଣ କରିଥିଲେ।

