ଗଣତନ୍ତ୍ର ନେଇ ବିରୋଧୀଙ୍କ ବଡ଼ ଅଭିଯାନ: ଅକ୍ଟୋବର ୨ରୁ ୮ ଦେଶବ୍ୟାପୀ ‘ଗଣତନ୍ତ୍ର ବଞ୍ଚାଅ’ କାର୍ଯ୍ୟକ୍ରମ
ନୂଆଦିଲ୍ଲୀ: ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ କମିଶନଙ୍କ କାର୍ଯ୍ୟପ୍ରଣାଳୀକୁ ନେଇ ବିରୋଧୀ ଦଳଗୁଡ଼ିକ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଯାଉଛନ୍ତି। ଇଣ୍ଡି ମେଣ୍ଟ ପକ୍ଷରୁ ଅକ୍ଟୋବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ‘ଗଣତନ୍ତ୍ର ବଞ୍ଚାଅ’ ଅଭିଯାନ ଘୋଷଣା କରାଯାଇଛି।
ବୈଠକ ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ସାମ୍ବାଦିକ ସମ୍ମିଳନୀରେ ଏହି କାର୍ଯ୍ୟକ୍ରମର ରୂପରେଖା ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ଅକ୍ଟୋବର ୨ରୁ ୮ ମଧ୍ୟରେ ଦେଶର ବିଭିନ୍ନ ଜିଲ୍ଲାରେ ବିରୋଧୀ ଦଳଗୁଡ଼ିକ କାର୍ଯ୍ୟକ୍ରମ ଆୟୋଜନ କରିବେ। ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଦର୍ଶନ ମଧ୍ୟ କରାଯିବ।
ଏହି ଅଭିଯାନ ଜରିଆରେ ନିର୍ବାଚନ ପ୍ରକ୍ରିୟା, ଇଭିଏମ୍ ଏବଂ ଭୋଟର ତାଲିକା ସମ୍ପର୍କରେ ବିରୋଧୀ ଦଳ ଉଠାଇଥିବା ପ୍ରଶ୍ନଗୁଡ଼ିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ଲକ୍ଷ୍ୟ ରହିଛି ବୋଲି ଖର୍ଗେ କହିଛନ୍ତି।
ଅକ୍ଟୋବର ୬ରେ ନିର୍ବାଚନ କମିଶନ ଅଭିମୁଖେ ପଦଯାତ୍ରା
ଅଭିଯାନର ଏକ ପ୍ରମୁଖ କାର୍ଯ୍ୟକ୍ରମ ଭାବେ ଅକ୍ଟୋବର ୬ ତାରିଖରେ ବିରୋଧୀ ସାଂସଦମାନେ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଅଭିମୁଖେ ପଦଯାତ୍ରା କରିବେ। ଲୋକସଭା ଓ ରାଜ୍ୟସଭାର ବିରୋଧୀ ସାଂସଦଙ୍କ ସମେତ ଗଣତନ୍ତ୍ର ସୁରକ୍ଷା ପ୍ରସଙ୍ଗରେ ସ୍ୱର ଉଠାଉଥିବା ଅନ୍ୟ ସାଂସଦମାନଙ୍କୁ ମଧ୍ୟ ଏଥିରେ ସାମିଲ ହେବାକୁ ଆହ୍ୱାନ କରାଯିବ।
ରାଷ୍ଟ୍ରପତିଙ୍କୁ ଭେଟିବେ ବିରୋଧୀ ନେତା
ଏହା ସହିତ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ବିରୋଧୀ ନେତାମାନେ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ସମୟ ମାଗିବେ। ସାକ୍ଷାତ ସମୟରେ ନିର୍ବାଚନ ପ୍ରକ୍ରିୟା ଓ ସାମ୍ବିଧାନିକ ପ୍ରତିଷ୍ଠାନକୁ ନେଇ ବିରୋଧୀ ଦଳର ଚିନ୍ତା ସମ୍ପର୍କିତ ଏକ ସ୍ମାରକପତ୍ର ପ୍ରଦାନ କରାଯିବ।
ଅକ୍ଟୋବର-ନଭେମ୍ବରରେ ୫ ବଡ଼ ରାଲି
ବିରୋଧୀ ମେଣ୍ଟ ପକ୍ଷରୁ ଅକ୍ଟୋବର ଓ ନଭେମ୍ବର ମାସରେ ୫ଟି ବଡ଼ ରାଲି ଆୟୋଜନ କରିବାର ଯୋଜନା ରହିଛି। ଏହାର ତାରିଖ ଓ ସ୍ଥାନ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ। ତେବେ ନଭେମ୍ବର ୧ରେ ଦିଲ୍ଲୀରେ ଏକ ବଡ଼ ରାଲି ଆୟୋଜନ ପାଇଁ ସ୍ଥିର ହୋଇଥିବା ଖର୍ଗେ ସୂଚନା ଦେଇଛନ୍ତି।
ଖର୍ଗେଙ୍କ ଅନୁସାରେ, ନିର୍ବାଚନ କମିଶନଙ୍କ କାର୍ଯ୍ୟପ୍ରଣାଳୀକୁ ନେଇ ବିଭିନ୍ନ ରାଜନୈତିକ ଦଳ ଓ ନାଗରିକଙ୍କ ପକ୍ଷରୁ ପ୍ରଶ୍ନ ଉଠୁଛି। ଇଭିଏମ୍ ଓ ଭୋଟର ତାଲିକା ସମ୍ପର୍କରେ ବିରୋଧୀ ଦଳଗୁଡ଼ିକ କମିଶନଙ୍କଠାରୁ ଉତ୍ତର ଚାହିଁଥିଲେ ବୋଲି ସେ ଦାବି କରିଛନ୍ତି।
