ଅକ୍ଟୋବର ୬ରେ ସାରା ରାଜ୍ୟରେ ସ୍ୱଚ୍ଛତା ଅଭିଯାନ
ସରକାରୀ କାର୍ଯ୍ୟାଳୟରେ ଶ୍ରମଦାନ, ସ୍ୱଚ୍ଛତାକୁ ନିରନ୍ତର ଅଭ୍ୟାସ କରିବା ଉପରେ ଗୁରୁତ୍ୱ
ଭୁବନେଶ୍ୱର, ଅକ୍ଟୋବର ୫:
‘ସ୍ୱଚ୍ଛତା ହିଁ ସେବା-୨୦୨୬’ ଅଭିଯାନକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟରେ ଆସନ୍ତା ଅକ୍ଟୋବର ୬ ତାରିଖରେ ଓଡ଼ିଶାରେ ଏକ ସ୍ୱତନ୍ତ୍ର ରାଜ୍ୟବ୍ୟାପୀ ସ୍ୱଚ୍ଛତା ଓ ପରିମଳ ଅଭିଯାନ ଆୟୋଜିତ ହେବ। ସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନଗୁଡ଼ିକୁ ପରିଷ୍କାର ରଖିବା ସହ ସ୍ୱଚ୍ଛତାକୁ ଦୈନନ୍ଦିନ ଜୀବନର ଏକ ନିରନ୍ତର ଅଭ୍ୟାସରେ ପରିଣତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।
ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଦେଶବ୍ୟାପୀ ଚାଲିଥିବା ଏହି ଅଭିଯାନର ବାର୍ତ୍ତା ରହିଛି— “ସ୍ୱଚ୍ଛତା ମେ ସହଭାଗ, ସ୍ୱଚ୍ଛ ଭାରତ, ବିକଶିତ ଭାରତ”। ସ୍ୱଚ୍ଛତା, ପରିମଳ ଏବଂ ନାଗରିକ ଦାୟିତ୍ୱ ପ୍ରତି ଜନସଚେତନତା ବଢ଼ାଇବା ସହ ସମାଜର ସମସ୍ତ ବର୍ଗଙ୍କ ସକ୍ରିୟ ସହଭାଗିତା ନିଶ୍ଚିତ କରିବା ଉପରେ ଅଭିଯାନରେ ଗୁରୁତ୍ୱ ଦିଆଯାଉଛି।
ଅକ୍ଟୋବର ୬ର କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର-ତଥା-ଶାସନ ସଚିବ ଏବଂ ଜିଲ୍ଲାପାଳମାନଙ୍କୁ ନିଜ ନିଜ ଅଧୀନସ୍ଥ ଅଞ୍ଚଳରେ ସ୍ୱଚ୍ଛତା କାର୍ଯ୍ୟକ୍ରମର ନେତୃତ୍ୱ ନେବାକୁ କୁହାଯାଇଛି। ରାଜ୍ୟ ଓ ଜିଲ୍ଲାସ୍ତରୀୟ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ଅଧସ୍ତନ ଅନୁଷ୍ଠାନ ଏବଂ କାର୍ଯ୍ୟାଳୟ ପରିସର ଏହି ଅଭିଯାନରେ ସାମିଲ ହେବ।
ଏହି ଅବସରରେ ଅଧିକାରୀ ଓ କର୍ମଚାରୀମାନେ ନିଜ ନିଜ କାର୍ଯ୍ୟସ୍ଥଳରେ ଶ୍ରମଦାନ କରିବେ। ଏହା ମାଧ୍ୟମରେ କାର୍ଯ୍ୟାଳୟ ପରିବେଶକୁ ସ୍ୱଚ୍ଛ ରଖିବା ସହ ପରିଷ୍କାର ଓ ସୁସ୍ଥ ପରିବେଶ ପ୍ରତି ସାମୂହିକ ଦାୟିତ୍ୱବୋଧକୁ ଆହୁରି ସୁଦୃଢ଼ କରାଯିବ।
ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ସ୍ୱଚ୍ଛତା କେବଳ ଗୋଟିଏ ଦିନର ଅଭିଯାନ ନୁହେଁ। ଏହାକୁ ନିରନ୍ତର ସାମାଜିକ ଅଭ୍ୟାସରେ ପରିଣତ କରିବା ଆବଶ୍ୟକ। ତେଣୁ ଅକ୍ଟୋବର ୬ର ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମରେ ସମସ୍ତେ ଉତ୍ସାହର ସହ ଯୋଗଦେଇ ସ୍ୱଚ୍ଛତାକୁ ସାମୂହିକ ଦାୟିତ୍ୱ ଭାବେ ଗ୍ରହଣ କରିବାକୁ ଆହ୍ୱାନ କରାଯାଇଛି।
ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ ସହ ‘ସ୍ୱଚ୍ଛ ଭାରତ, ବିକଶିତ ଭାରତ’ର ଲକ୍ଷ୍ୟ ପୂରଣ ଦିଗରେ ଏହି ଅଭିଯାନ ଏକ ସାମୂହିକ ପ୍ରୟାସ ଭାବେ ଗୁରୁତ୍ୱ ବହନ କରୁଛି।
