ଠିକାଦାରଙ୍କ ଘରେ ଲୁଚାଇଥିଲେ ୨୦ ପ୍ଲଟ୍ର ଦଲିଲ! ଅରବିନ୍ଦ ମହାନ୍ତିଙ୍କ ବେନାମୀ ଲକରରୁ ନଗଦ ଓ ସୁନା ଜବତ
ବାରିପଦା: ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ଗିରଫ ହୋଇଥିବା R&B ବିଭାଗର ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ଅରବିନ୍ଦ ମହାନ୍ତିଙ୍କ ସମ୍ପତ୍ତି ତଦନ୍ତ ବେଳେ ଭିଜିଲାନ୍ସକୁ ମିଳିଛି ଆଉ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ଜଣେ ଠିକାଦାରଙ୍କ ଘରେ ୨୦ଟି ପ୍ଲଟ୍ର ଜମି ଦଲିଲ ଲୁଚାଇ ରଖାଯାଇଥିବା ଭିଜିଲାନ୍ସ ଜାଣିବାକୁ ପାଇଛି।
ଭିଜିଲାନ୍ସ ପକ୍ଷରୁ ଗତକାଲି ସମ୍ପୃକ୍ତ ଠିକାଦାରଙ୍କ ବାଲେଶ୍ୱରସ୍ଥିତ ଘରେ ମଧ୍ୟ ତଲାସୀ କରାଯାଇଥିଲା। ଏହି ସମୟରେ ଲୁଚାଇ ରଖାଯାଇଥିବା ଜମି ସମ୍ପର୍କିତ ଦଲିଲ ଓ ରେକର୍ଡ ଠାବ କରି ଜବତ କରାଯାଇଥିବା ସୂଚନା ମିଳିଛି।
ତଲାସୀ ଆରମ୍ଭ ହେବା ପରେ କିଛି ଦଲିଲକୁ ମାଟି ତଳେ ପୋତି ଦିଆଯାଇଥିଲା। ଭିଜିଲାନ୍ସ ଅଧିକାରୀମାନେ ମାଟି ଖୋଳି ସେହି ଦଲିଲଗୁଡ଼ିକୁ ମଧ୍ୟ ଉଦ୍ଧାର କରିଥିବା କୁହାଯାଇଛି।
ଏହାଛଡ଼ା, ଅରବିନ୍ଦ ମହାନ୍ତି ଜଣେ ଠିକାଦାରଙ୍କ ନାମରେ ଥିବା ଏକ ଲକରକୁ ବେନାମୀ ଭାବେ ବ୍ୟବହାର କରୁଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଉକ୍ତ ଲକରରୁ ମହାନ୍ତିଙ୍କର ବୋଲି ଦାବି କରାଯାଉଥିବା ୨ ଲକ୍ଷ ୭୭ ହଜାର ଟଙ୍କା ନଗଦ ଏବଂ ସୁନା ମିଳିଥିବା ବେଳେ ଭିଜିଲାନ୍ସ ଏହାକୁ ଜବତ କରିଛି।
ଏହି ନୂଆ ତଥ୍ୟ ଆୟବହିର୍ଭୂତ ସମ୍ପତ୍ତି ମାମଲାର ତଦନ୍ତକୁ ଆହୁରି ଗୁରୁତ୍ୱ ଦେଇଥିବା ବେଳେ ସମ୍ପତ୍ତିର ଉତ୍ସ ଓ ଲୁଚାଇ ରଖାଯାଇଥିବା ଦଲିଲ ସମ୍ପର୍କରେ ଭିଜିଲାନ୍ସର ତଦନ୍ତ ଜାରି ରହିଛି।
