Spread the love

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅଷ୍ଟମ ରାଜ୍ୟ ବ୍ରଡ୍‌ବ୍ୟାଣ୍ଡ୍ କମିଟି ବୈଠକ ଅନୁଷ୍ଠିତ

​ଓଡ଼ିଶାରେ ନିର୍ଭରଯୋଗ୍ୟ ମୋବାଇଲ୍ ଓ ଉଚ୍ଚ କ୍ଷମତା ସମ୍ପନ୍ନ ବ୍ରଡ୍‌ବ୍ୟାଣ୍ଡ୍ ସଂଯୋଗ ଉପରେ ଗୁରୁତ୍ୱ
​ଗ୍ରାମାଞ୍ଚଳ ଓ ଅଗମ୍ୟ ଅଞ୍ଚଳରେ ମୋବାଇଲ୍ ନେଟୱର୍କ ସେବା ସୁଦୃଢ଼ୀକରଣ ନେଇ ଆଲୋଚନା

​ଭୁବନେଶ୍ୱର, ୬ ଅକ୍ଟୋବର ୨୦୨୬:
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସୋମବାର ଲୋକସେବା ଭବନଠାରେ ଅଷ୍ଟମ ରାଜ୍ୟ ବ୍ରଡ୍‌ବ୍ୟାଣ୍ଡ୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାରେ ନିର୍ଭରଯୋଗ୍ୟ ମୋବାଇଲ୍ ନେଟୱର୍କ ଓ ଉଚ୍ଚ କ୍ଷମତା ସମ୍ପନ୍ନ ବ୍ରଡ୍‌ବ୍ୟାଣ୍ଡ୍ ସଂଯୋଗର ବିସ୍ତାର ସହ କାର୍ଯ୍ୟାନ୍ୱୟନରେ ରହିଥିବା ବିଭିନ୍ନ ସମସ୍ୟାର ସମନ୍ୱିତ ସମାଧାନ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି।
​ରାଜ୍ୟର ନେଟ୍‌ୱାର୍କ କ୍ଷେତ୍ର ବାହାରେ ଥିବା ଅଞ୍ଚଳ ଏବଂ ସୀମାଞ୍ଚଳରେ ମୋବାଇଲ୍ ନେଟୱର୍କ ସଂଯୋଗୀକରଣରେ ରହୁଥିବା ଅସୁବିଧାଗୁଡ଼ିକୁ ଚିହ୍ନଟ କରି ସେହି ସବୁ ଅଞ୍ଚଳକୁ ସମୟସୀମା ମଧ୍ୟରେ ସଂଯୋଗ କରିବା ସହ ଏକ ନିର୍ଦ୍ଦିଷ୍ଟ ସମୟସୀମାଭିତ୍ତିକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ଶ୍ରୀମତୀ ଗର୍ଗ ଦୂରସଂଚାର ବିଭାଗ, ବିଭିନ୍ନ ସେଲ୍ୟୁଲାର ଅପରେଟର ଓ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନକାରୀ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ବଳ ନେଟୱର୍କ କିମ୍ବା ନେଟୱର୍କ ନ ଥିବା ଅଞ୍ଚଳରେ ମୋବାଇଲ୍ ସେବା ସମ୍ପର୍କରେ ରାଜ୍ୟ ସରକାରଙ୍କ ନିକଟକୁ ମାନ୍ୟବର ସାଂସଦ, ବିଧାୟକ ଓ ବିଭିନ୍ନ ଜିଲ୍ଲାରୁ ମିଳିଥିବା ଅଭିଯୋଗର ଯାଞ୍ଚ ଏବଂ ଆବଶ୍ୟକ ସଂଶୋଧନାତ୍ମକ ପଦକ୍ଷେପ ଗ୍ରହଣ କରାଯିବ। ଗ୍ରାମାଞ୍ଚଳରେ ମୋବାଇଲ୍ ସେବାର ଗୁଣବତ୍ତା ବୃଦ୍ଧି ପାଇଁ ଅଧିକ ଶକ୍ତିଶାଳୀ ସିଗନାଲ୍ ମାନଦଣ୍ଡ ବିଚାର କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
​ଡିଜିଟାଲ୍ ଭାରତ ନିଧି ଅଧୀନରେ ୪-ଜି (4G) ସଂଯୋଗରେ ପରିପୂର୍ଣ୍ଣତା (ସାଚୁରେସନ), ଆକାଂକ୍ଷୀ ଜିଲ୍ଲା ଏବଂ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳ ଅନ୍ତର୍ଗତ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ମଧ୍ୟ ଆଲୋଚନା ହୋଇଥିଲା। ଏହି ପ୍ରକଳ୍ପଗୁଡ଼ିକ ଦୂରସଂଚାର ବିଭାଗ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ଏବଂ ଜିଲ୍ଲା ପ୍ରଶାସନର ସମନ୍ୱୟରେ ଆଗେଇ ଚାଲିଛି। ମୋବାଇଲ୍ ଟାୱାରଗୁଡ଼ିକୁ ସିଧାସଳଖ ରାସ୍ତା ଯୋଗାଯୋଗ ସମ୍ପର୍କିତ ସମସ୍ୟାଗୁଡ଼ିକୁ ଚଳିତ ଡିସେମ୍ବର ମାସ ସୁଦ୍ଧା ସମାଧାନ କରିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅବଶିଷ୍ଟ କାର୍ଯ୍ୟ ସମାପ୍ତ କରିବାକୁ ସମ୍ପୃକ୍ତ ସଂସ୍ଥାମାନଙ୍କୁ କୁହାଯାଇଛି।
​୪-ଜି ସେବା ପ୍ରଦାନରେ ପରିପୂର୍ଣ୍ଣତା ସହ ବର୍ଗ-୫ ଓ ୬ ଅଧୀନରେ ମୋବାଇଲ୍ ଟାୱାର ସ୍ଥାପନ ପାଇଁ ବିଏସ୍ଏନ୍‌ଏଲ୍ (BSNL)କୁ ଜମି ସମ୍ପର୍କିତ ଏନ୍‌ଓସି (NOC) ପ୍ରମାଣପତ୍ର ପ୍ରାଥମିକତା ଭିତ୍ତିରେ ପ୍ରଦାନ କରିବା ଏବଂ ବକେୟା ମାମଲାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ବିଏସ୍ଏନ୍‌ଏଲ୍ ତରଫରୁ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ରାଜ୍ୟରେ ‘ରାଇଟ୍ ଅଫ୍ ୱେ’ (RoW) ସଂସ୍କାର ଓ “ଏସ୍ଏଏସ୍‌ସିଆଇ” (SASCI) କାର୍ଯ୍ୟାନ୍ୱୟନରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ, ବିଦ୍ୟୁତ ବିତରଣ ସଂସ୍ଥା, ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଓ ରାଜ୍ୟ ସରକାରୀ ଉଦ୍ୟୋଗଗୁଡ଼ିକର ପ୍ରୟାସକୁ ମୁଖ୍ୟ ଶାସନ ସଚିବ ପ୍ରଶଂସା କରିଥିଲେ।
​ଏହି ପଦକ୍ଷେପଗୁଡ଼ିକ ଫଳରେ ଓଡ଼ିଶା ୧୫୦ କୋଟି ଟଙ୍କା ପର୍ଯ୍ୟନ୍ତ କେନ୍ଦ୍ରୀୟ ସହାୟତା ପାଇବା ପାଇଁ ଯୋଗ୍ୟ ହୋଇପାରିଛି। ସେହିପରି, ‘ସଂଶୋଧିତ ଭାରତ ନେଟ୍’ ପ୍ରକଳ୍ପ ପାଇଁ ଦୂରସଂଚାର ବିଭାଗ, ବିଏସ୍ଏନ୍‌ଏଲ୍ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇସାରିଛି। ସହମତି ହୋଇଥିବା ତିନି ବର୍ଷର ସମୟସୀମା ମଧ୍ୟରେ ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବାକୁ ବିଏସ୍ଏନ୍‌ଏଲ୍ ଓ ଏହାର ଚୟନିତ କାର୍ଯ୍ୟାନ୍ୱୟନ ସହଯୋଗୀଙ୍କୁ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ କୁହାଯାଇଛି। ବୈଠକରେ ନିର୍ଦ୍ଦିଷ୍ଟ କାର୍ଯ୍ୟ, ଦାୟିତ୍ୱପ୍ରାପ୍ତ ସଂସ୍ଥା ଓ ସମୟସୀମା ଧାର୍ଯ୍ୟ କରି ନିୟମିତ ଅନୁସରଣ ଓ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଦୂରସଂଚାର ବିଭାଗ, ବିଏସ୍ଏନ୍‌ଏଲ୍ ଓ ଜିଲ୍ଲା ପ୍ରଶାସନ ସହ ନିୟମିତ ସମନ୍ୱୟ ରଖି ଅସମାହିତ ସମସ୍ୟାଗୁଡ଼ିକୁ ତୁରନ୍ତ ଉଚ୍ଚସ୍ତରରେ ଅବଗତ କରାଇ ସମସ୍ୟାର ସମାଧାନ ପାଇଁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
​ଏହି ବୈଠକରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବଙ୍କ ସମେତ ବିଭିନ୍ନ ସଂପୃକ୍ତ ବିଭାଗର ସଚିବ ଏବଂ ଦୂରସଂଚାର ସଂସ୍ଥାର ବରିଷ୍ଠ କର୍ତ୍ତୃପକ୍ଷମାନେ ଉପସ୍ଥିତ ଥିଲେ। ଭର୍ଚୁଆଲ୍ (ଆଭାସୀ) ମାଧ୍ୟମରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ବୈଠକରେ ଯୋଗଦେଇ ନିଜ ନିଜ ଜିଲ୍ଲାର ନେଟୱର୍କ ସ୍ଥିତି ଓ ଆବଶ୍ୟକତା ସଂପର୍କରେ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *