Spread the love

ଡାକ୍ତରଙ୍କୁ ଉପହାର ଦେଇ ଔଷଧ ଲେଖାଇବା ଚାଲିବନି! ଔଷଧ କମ୍ପାନୀଙ୍କ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା ନଜର

ଅନୈତିକ ମାର୍କେଟିଂ ରୋକିବାକୁ ଗଠନ ହେବ ସ୍ୱତନ୍ତ୍ର କମିଟି, ୨୦୨୭ ଜାନୁଆରୀ ୨୯ରେ ପୁଣି ଶୁଣାଣି

ନୂଆଦିଲ୍ଲୀ: ଡାକ୍ତରଙ୍କୁ ଦାମୀ ଉପହାର, ବିଦେଶ ଭ୍ରମଣ ଓ ମାଗଣା ସୁବିଧା ଦେଇ ନିଜ କମ୍ପାନୀର ଔଷଧ ଲେଖିବାକୁ ପ୍ରଭାବିତ କରିବା ଭଳି ଅନୈତିକ କାରବାର ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଔଷଧ କମ୍ପାନୀଗୁଡ଼ିକର ଏଭଳି ମାର୍କେଟିଂ ପ୍ରଥାକୁ ନିୟନ୍ତ୍ରଣ କରିବା ଲାଗି ଏକ ସ୍ୱତନ୍ତ୍ର କମିଟି ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ୍ ବିକ୍ରମ ନାଥ ଓ ଜଷ୍ଟିସ୍ ସନ୍ଦୀପ ମେହଟ୍ଟାଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଅନୈତିକ ଔଷଧ ମାର୍କେଟିଂକୁ ରୋକିବା ପାଇଁ ପୂର୍ବରୁ କୋର୍ଟ ଦେଇଥିବା ନିର୍ଦ୍ଦେଶ ଓ ଟିପ୍ପଣୀକୁ ଆଧାର କରି ଏହି କମିଟି କାର୍ଯ୍ୟ କରିବ। ଏଥିସହ ଏଭଳି ଅନୁଚିତ ପ୍ରଥାକୁ ରୋକିବା ପାଇଁ କେଉଁ ପଦକ୍ଷେପ ଆବଶ୍ୟକ, ସେନେଇ କମିଟି ସୁପାରିସ ଦେବ।

ଖଣ୍ଡପୀଠଙ୍କ ମତରେ, ଔଷଧ କମ୍ପାନୀଗୁଡ଼ିକର ପ୍ରଚାର ପ୍ରଣାଳୀ ଉପରେ ଉପଯୁକ୍ତ ନିୟନ୍ତ୍ରଣ ରହିବା ଜରୁରୀ। ଡାକ୍ତରଙ୍କୁ ବିଭିନ୍ନ ଆର୍ଥିକ ସୁବିଧା କିମ୍ବା ଦାମୀ ଉପହାର ଦେଇ ଔଷଧ ଲେଖିବାକୁ ପ୍ରଭାବିତ କରିବା ରୋଗୀଙ୍କ ଚିକିତ୍ସା ସମ୍ପର୍କିତ ନିଷ୍ପତ୍ତିର ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠାଇପାରେ।

ଜଷ୍ଟିସ୍ ମେହଟ୍ଟା କହିଥିଲେ ଯେ, କେନ୍ଦ୍ର ସରକାର ଏକ କମିଟି ଗଠନ କରିବେ ଏବଂ ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଓ ଟିପ୍ପଣୀ ଆଧାରରେ ଆବଶ୍ୟକ ସୁପାରିସ ପ୍ରସ୍ତୁତ କରିବେ। ଏହି ନିର୍ଦ୍ଦେଶର ଅନୁପାଳନ ହୋଇଛି କି ନାହିଁ, ତାହାର ସମୀକ୍ଷା ପାଇଁ ମାମଲାଟିକୁ ୨୦୨୭ ଜାନୁଆରୀ ୨୯ରେ ପୁଣି ତାଲିକାଭୁକ୍ତ କରାଯିବ।

FMRAIର ଯାଚିକାରୁ ଆରମ୍ଭ ହୋଇଥିଲା ମାମଲା

ଫେଡେରେସନ୍ ଅଫ୍ ମେଡିକାଲ୍ ଆଣ୍ଡ ସେଲ୍ସ ରିପ୍ରେଜେଣ୍ଟେଟିଭ୍ସ ଆସୋସିଏସନ୍ସ ଅଫ୍ ଇଣ୍ଡିଆ (FMRAI) ପକ୍ଷରୁ ଦାଖଲ ହୋଇଥିବା ଯାଚିକାରେ ଔଷଧ କମ୍ପାନୀଗୁଡ଼ିକର ମାର୍କେଟିଂ ପ୍ରଥାକୁ ନିୟନ୍ତ୍ରଣ କରିବା ପାଇଁ ଆଇନଗତ ଭାବେ ବାଧ୍ୟତାମୂଳକ ନିୟମ ପ୍ରଣୟନ କରିବାକୁ ଦାବି କରାଯାଇଥିଲା। ଡାକ୍ତର ଓ ଅନ୍ୟ ଚିକିତ୍ସା କ୍ଷେତ୍ରର ପେସାଦାରଙ୍କ ସହ ଜଡ଼ିତ ଅନୈତିକ ମାର୍କେଟିଂ ପ୍ରଥାକୁ ନେଇ ମଧ୍ୟ ଏଥିରେ ପ୍ରଶ୍ନ ଉଠାଯାଇଥିଲା।

ସୁପ୍ରିମକୋର୍ଟଙ୍କ ଏହି ପଦକ୍ଷେପ ଔଷଧ ଶିଳ୍ପର ମାର୍କେଟିଂ ପ୍ରଥା ଉପରେ ନିୟନ୍ତ୍ରଣ ଆଣିବା ସହ ଚିକିତ୍ସା କ୍ଷେତ୍ରରେ ସ୍ୱଚ୍ଛତା ଓ ନୈତିକତାକୁ ଗୁରୁତ୍ୱ ଦେବା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବେ ଦେଖାଯାଉଛି।

Leave a Reply

Your email address will not be published. Required fields are marked *