ସାମାନ୍ୟ ବଚସାରୁ ରକ୍ତପାତ! ଗୁଳି ଚଳାଇ ସାଙ୍ଗର ଜୀବନ ନେଲେ ଅବସରପ୍ରାପ୍ତ ସେନା କର୍ମଚାରୀ
ଅନୁଗୋଳ, ୯/୧୦ (ଆପ୍ର): ସାମାନ୍ୟ ଝଗଡ଼ାରୁ ଘଟିଲା ଭୟାବହ ଅଘଟଣ। ବଚସାରୁ ଉତ୍ତ୍ୟକ୍ତ ହୋଇ ଗୁଳି ଚଳାଇଲେ ଅବସରପ୍ରାପ୍ତ ସେନା କର୍ମଚାରୀ। ଏଥିରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ନିମ୍ବସାହିରେ ଘଟିଥିବା ଏହି ଗୁଳିକାଣ୍ଡ ଘଟଣାରେ ପୋଲିସର ପ୍ରାଥମିକ ତଦନ୍ତରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି।
ଅନୁଗୋଳ ଏସ୍ଡିପିଓ ରମାକାନ୍ତ ମହାଳିକଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତ ପ୍ରକାଶ ସାହୁ ଓ ମୃତକ ସୁଶାନ୍ତ ପ୍ରଧାନ ପୂର୍ବରୁ ପରିଚିତ ଥିଲେ। ଉଭୟ ଗୋଟିଏ ଗାଁର ହୋଇଥିବା ବେଳେ ପରସ୍ପର ସହ ମିଳାମିଶା ମଧ୍ୟ କରୁଥିଲେ। ତେବେ କୌଣସି କାରଣକୁ ନେଇ ଗତକାଲି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।
ଏହି ଝଗଡ଼ାକୁ ନେଇ ଉତ୍ତ୍ୟକ୍ତ ହୋଇ ପ୍ରକାଶ ନିଜ ଡବଲ ବ୍ୟାରେଲ୍ ବ୍ରିଚ୍-ଲୋଡିଂ ବନ୍ଧୁକରୁ ଗୁଳି ଚଳାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଗୁଳିମାଡ଼ରେ ସୁଶାନ୍ତ ଗୁରୁତର ହୋଇଥିଲେ ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା।
ଘଟଣା ପରେ ବନ୍ତଳା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ବିଭିନ୍ନ ପ୍ରମାଣ ଓ ପରିସ୍ଥିତିର ଯାଞ୍ଚ କରିଛି। ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ଗୁଳିକାଣ୍ଡ ପଛରେ ଥିବା ପ୍ରକୃତ କାରଣ କ’ଣ—ସେ ନେଇ ପୋଲିସର ଅଧିକ ତଦନ୍ତ ଜାରି ରହିଛି।
