Spread the love

ଓଡ଼ିଶା ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ: ୯.୨୪ କୋଟି ଟଙ୍କା ଆର୍ଥିକ ହେରଫେର ମାମଲାରେ ଆଉ ୩ ଗିରଫ

ଭୁବନେଶ୍ୱର, ୧୦/୧୦: ସରକାରୀ ଅର୍ଥ ହେରଫେର ମାମଲାରେ ଓଡ଼ିଶା ଭିଜିଲାନ୍ସକୁ ଆଉ ଏକ ବଡ଼ ସଫଳତା ମିଳିଛି। ଭୁବନେଶ୍ୱରସ୍ଥିତ ରାସ୍ତା ଓ ଗୃହ ନିର୍ମାଣ ବିଭାଗ (R&B) ଡିଭିଜନ୍‌-୧ କାର୍ଯ୍ୟାଳୟରେ ୯ କୋଟି ୨୪ ଲକ୍ଷ ୧୦ ହଜାର ୧୯୩ ଟଙ୍କାର ଆର୍ଥିକ ଅନିୟମିତତା ଅଭିଯୋଗରେ ଜଣେ ଟ୍ରେଜେରି କର୍ମଚାରୀଙ୍କ ସମେତ ଆଉ ୩ ଜଣ ସରକାରୀ କର୍ମଚାରୀଙ୍କୁ ଗିରଫ କରାଯାଇଛି।

ଗିରଫ ବ୍ୟକ୍ତିମାନେ ହେଲେ ଭୁବନେଶ୍ୱର ଜିଲ୍ଲା ଟ୍ରେଜେରି କାର୍ଯ୍ୟାଳୟର ବରିଷ୍ଠ ହିସାବରକ୍ଷକ କୃଷ୍ଣଚନ୍ଦ୍ର ବେହେରା, ପୁରୀ R&B ଡିଭିଜନ୍‌ର ବରିଷ୍ଠ ସହାୟକ ବିଶ୍ୱନାଥ ଦାସ ଏବଂ ଭୁବନେଶ୍ୱର R&B ଡିଭିଜନ୍‌-୧ କାର୍ଯ୍ୟାଳୟର ପିଅନ କୁମୁଦ ସାହୁ। ଗିରଫ ପରେ ସେମାନଙ୍କୁ ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯାଇଛି।

ଫେକ୍‌ ବିଲ୍‌ ପାସ୍‌ ପାଇଁ ଟଙ୍କା କାରବାର ଅଭିଯୋଗ

ଭିଜିଲାନ୍ସର ତଦନ୍ତ ଅନୁଯାୟୀ, ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି ଉଲ୍ଲେଖ ଥିବା ଜୁନିୟର ଆସିଷ୍ଟାଣ୍ଟ ବିଭୁଦତ୍ତ ନାୟକ ମାର୍ଚ୍ଚ ୨୦୨୫ରୁ ଜୁଲାଇ ୨୦୨୬ ମଧ୍ୟରେ ୧୧ ଥରରେ ଫୋନ୍‌ପେ ଜରିଆରେ କୃଷ୍ଣଚନ୍ଦ୍ର ବେହେରାଙ୍କୁ ମୋଟ ୩ ଲକ୍ଷ ୯୦ ହଜାର ଟଙ୍କା ପଠାଇଥିବା ଅଭିଯୋଗ ହୋଇଛି। ଜାଲ୍‌ ବିଲ୍‌ଗୁଡ଼ିକୁ ବିନା ଆପତ୍ତିରେ ପାସ୍‌ କରାଇବା ପାଇଁ ଏହି ଅର୍ଥ ଦିଆଯାଇଥିବା ତଦନ୍ତରୁ ଜଣାପଡ଼ିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ବ୍ୟାଙ୍କ ଖାତାକୁ ଆସିଥିଲା ଲକ୍ଷ ଲକ୍ଷ ଟଙ୍କା

ତଦନ୍ତରେ ଆହୁରି ଜଣାପଡ଼ିଛି ଯେ, ବିଶ୍ୱନାଥ ଦାସ ପୂର୍ବରୁ ଭୁବନେଶ୍ୱର R&B ଡିଭିଜନ୍‌-୧ରେ ଜୁନିୟର ଆସିଷ୍ଟାଣ୍ଟ ଭାବେ କାମ କରୁଥିବା ସମୟରେ ନିଜ ମାଆ, ନିଜର ଏବଂ ସମ୍ପର୍କୀୟ କାହ୍ନୁଚରଣ ବେହେରାଙ୍କ ବ୍ୟାଙ୍କ ଖାତା ବିବରଣୀ ମୁଖ୍ୟ ଅଭିଯୁକ୍ତମାନଙ୍କୁ ଦେଇଥିବା ଅଭିଯୋଗ ହୋଇଛି।

ଭିଜିଲାନ୍ସର ପ୍ରାଥମିକ ତଦନ୍ତରେ ବିଶ୍ୱନାଥଙ୍କ ମାଆ ନୟନା ଦାସଙ୍କ ଖାତାକୁ ପ୍ରାୟ ୫୦ ଲକ୍ଷ ଟଙ୍କା, ସମ୍ପର୍କୀୟ କାହ୍ନୁଚରଣ ବେହେରାଙ୍କ ଖାତାକୁ ୧୫ ଲକ୍ଷ ଟଙ୍କା ଏବଂ ବିଶ୍ୱନାଥ ଦାସଙ୍କ ନିଜ ଖାତାକୁ ୩୭ ଲକ୍ଷ ଟଙ୍କା ଆସିଥିବା ଜଣାପଡ଼ିଛି। ଏହି ଅର୍ଥ ମଧ୍ୟରେ ଅସ୍ଥାୟୀ ଗ୍ରାଚ୍ୟୁଇଟି, ଅବ୍ୟବହୃତ ଛୁଟି ବେତନ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦ ଅର୍ଥ ରହିଥିବା କୁହାଯାଇଛି।

ଅଭିଯୋଗ ଅନୁଯାୟୀ, ଏହି ଅର୍ଥର କିଛି ଅଂଶ ଫୋନ୍‌ପେ ଜରିଆରେ ବିଭୁଦତ୍ତ ନାୟକ ଓ ବନଲତା ମହାନ୍ତିଙ୍କ ଖାତାକୁ ପଠାଯାଇଥିବା ବେଳେ ଅବଶିଷ୍ଟ ଟଙ୍କା ନଗଦ ଉଠାଯାଇଥିଲା।

ପତ୍ନୀଙ୍କ ଖାତାକୁ ଆସିଥିଲା ୧୧.୨୫ ଲକ୍ଷ

ସେହିପରି, R&B ଡିଭିଜନ୍‌-୧ର ପିଅନ କୁମୁଦ ସାହୁ ନିଜ ପତ୍ନୀ ବିଜୁଳି ସାହୁଙ୍କ ବ୍ୟାଙ୍କ ଖାତା ବିବରଣୀ ମୁଖ୍ୟ ଅଭିଯୁକ୍ତ ବନଲତା ମହାନ୍ତି ଓ ବିଭୁଦତ୍ତ ନାୟକଙ୍କୁ ଦେଇଥିବା ଅଭିଯୋଗ ହୋଇଛି। ଉକ୍ତ ଖାତାକୁ ଅସ୍ଥାୟୀ ଗ୍ରାଚ୍ୟୁଇଟି ବାବଦରେ ୧୧ ଲକ୍ଷ ୨୫ ହଜାର ୧୨୦ ଟଙ୍କା ଜମା ହୋଇଥିଲା। ପରେ ଏହି ଅର୍ଥକୁ ନିଜ ଖାତାକୁ ସ୍ଥାନାନ୍ତର କରି କୁମୁଦ ତିନିଟି କିସ୍ତିରେ ନଗଦ ଉଠାଇଥିବା ଏବଂ ଏଥିରେ ମୁଖ୍ୟ ଅଭିଯୁକ୍ତଙ୍କ ସହ ସାମିଲ ଥିବା ଅଭିଯୋଗ ହୋଇଛି।

ପୂର୍ବରୁ ୬ ଜଣ ଗିରଫ

ଏହି ମାମଲାରେ ଗତ ସେପ୍ଟେମ୍ବର ୨୭ ତାରିଖରେ ମୁଖ୍ୟ ଅଭିଯୁକ୍ତ ବନଲତା ମହାନ୍ତି ଓ ଜୁନିୟର ଆସିଷ୍ଟାଣ୍ଟ ବିଭୁଦତ୍ତ ନାୟକଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଥିଲା। ଏବେ ଆଉ ୩ ଜଣଙ୍କ ଗିରଫ ପରେ ମୋଟ ଗିରଫ ସଂଖ୍ୟା ୯ରେ ପହଞ୍ଚିଛି।

ଏନେଇ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ମାମଲା ନମ୍ବର ୨୧/୨୦୨୬ ରୁଜୁ ହୋଇଛି। ସରକାରୀ ଅର୍ଥର ଏହି ବଡ଼ଧରଣର ହେରଫେର ମାମଲାରେ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *