ସୋମବାର କଟକ ଗସ୍ତରେ ମୁଖ୍ୟମନ୍ତ୍ରୀ: କଟକଚଣ୍ଡୀ ମନ୍ଦିର ନବକଳେବର ପ୍ରକଳ୍ପର କରିବେ ଉଦ୍ଘାଟନ, SCB କାର୍ଯ୍ୟର ହେବ ସମୀକ୍ଷା
କଟକ, ୧୧/୧୦: କଟକ ସହରର ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ପରଖିବାକୁ ଆସନ୍ତା ସୋମବାର, ଅକ୍ଟୋବର ୧୨ ତାରିଖରେ ଦିନିକିଆ ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଗସ୍ତ ସମୟରେ ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ନବକଳେବର ପ୍ରକଳ୍ପ ଉଦ୍ଘାଟନ ସହ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ସମ୍ପ୍ରସାରଣ କାର୍ଯ୍ୟର ସମୀକ୍ଷା କରିବେ।
ମନ୍ଦିର ଉଦ୍ଘାଟନ ସହ ବିଭିନ୍ନ କାର୍ଯ୍ୟକ୍ରମ
ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ପ୍ରଥମେ କଟକଚଣ୍ଡୀ ମନ୍ଦିରର ନବକଳେବର ପ୍ରକଳ୍ପ ଉଦ୍ଘାଟନ କରିବେ। ଏହାପରେ ଗଡ଼ଗଡ଼ିଆ ଘାଟ ନିକଟରେ ବିଶିଷ୍ଟ ସାହିତ୍ୟିକ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ବାଲିଯାତ୍ରା ପଡ଼ିଆରେ ଥିବା ‘କଟକ ଇନ୍ କଟକ’ ପରିଦର୍ଶନ କରିବେ। ପରେ ସର୍କିଟ୍ ହାଉସ୍ରେ କିଛି ସମୟ ବିଶ୍ରାମ ନେବା ପରେ ଅପରାହ୍ଣରେ ଏସ୍ସିବି ମେଡିକାଲ ପହଞ୍ଚିବେ।
SCB ସମ୍ପ୍ରସାରଣ କାର୍ଯ୍ୟ ଉପରେ ରହିବ ନଜର
ଏସ୍ସିବିରେ ନିର୍ମାଣାଧୀନ କ୍ଲିନିକାଲ୍ ବ୍ଲକ୍-୧ ଓ ବ୍ଲକ୍-୪ର କାର୍ଯ୍ୟସ୍ଥଳ ପରିଦର୍ଶନ କରି ମୁଖ୍ୟମନ୍ତ୍ରୀ ନିର୍ମାଣର ଅଗ୍ରଗତି ଓ ବିଳମ୍ବର କାରଣ ସମ୍ପର୍କରେ ଅନୁଧ୍ୟାନ କରିବେ। ଏଥିସହ ହସ୍ପିଟାଲର ଚିକିତ୍ସା ବ୍ୟବସ୍ଥା, ରୋଗୀଙ୍କ ସମସ୍ୟା ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ସମ୍ପର୍କରେ ମଧ୍ୟ ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି।
ଏହି ସମୀକ୍ଷାରେ ପୂର୍ତ୍ତ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗର ସଚିବ, ଓବିସିସିର ବରିଷ୍ଠ ଅଧିକାରୀ, ମୁଖ୍ୟଯନ୍ତ୍ରୀ, ଆରଡିସି ଓ ଜିଲ୍ଲାପାଳଙ୍କ ସମେତ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଯୋଗଦେବାର ସମ୍ଭାବନା ରହିଛି।
ନିର୍ମାଣ ବିଳମ୍ବକୁ ନେଇ ବଢ଼ୁଛି ଚିନ୍ତା
ଏସ୍ସିବିର ଭବିଷ୍ୟତ ସମ୍ପ୍ରସାରଣ ପ୍ରକଳ୍ପକୁ ନେଇ ରାଜ୍ୟବାସୀଙ୍କ ଆଶା ବଢ଼ିଥିବା ବେଳେ ନିର୍ମାଣ କାର୍ଯ୍ୟରେ ବିଳମ୍ବ ଚିନ୍ତାର କାରଣ ପାଲଟିଛି। ୨୦୨୪ ସୁଦ୍ଧା ଶେଷ ହେବାକୁ ଧାର୍ଯ୍ୟ ହୋଇଥିବା ସମ୍ପ୍ରସାରଣ କାର୍ଯ୍ୟ ୨୦୨୬ ଡିସେମ୍ବର ସୁଦ୍ଧା ମଧ୍ୟ ସମ୍ପୂର୍ଣ୍ଣ ହେବ କି ନାହିଁ, ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି।
ପ୍ରକଳ୍ପର ୧୩ଟି ଆବାସିକ ବ୍ଲକ୍ ମଧ୍ୟରୁ ଦୁଇଟି ଛାତ୍ରୀନିବାସର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଥିବା କୁହାଯାଉଛି। ତେବେ କିଛି ଆଭ୍ୟନ୍ତରୀଣ କାର୍ଯ୍ୟ ବାକି ରହିଥିବାରୁ ଡାକ୍ତରୀ ଛାତ୍ରୀଙ୍କୁ ନୂଆ ହଷ୍ଟେଲ୍କୁ ସ୍ଥାନାନ୍ତର କରାଯାଇପାରିନାହିଁ। ଅନ୍ୟପଟେ କ୍ଲିନିକାଲ୍ ବ୍ଲକ୍-୧ ଓ ବ୍ଲକ୍-୪ର କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ଠିକା ସଂସ୍ଥା ଉପରେ ଚାପ ରହିଛି।
ମୁଖ୍ୟମନ୍ତ୍ରୀଙ୍କ ଏହି ସମୀକ୍ଷା ପରେ ପ୍ରକଳ୍ପର ଅଗ୍ରଗତି, ନିର୍ମାଣ ଶେଷ କରିବାର ସମୟସୀମା ଏବଂ ଅବଶିଷ୍ଟ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନେଇ ଠୋସ୍ ପଦକ୍ଷେପ ନିଆଯିବ ବୋଲି ଆଶା କରାଯାଉଛି।
