ଯୁବପିଢ଼ିଙ୍କ ଆଖିରେ ଭାରତର ଉଜ୍ଜ୍ୱଳ ଭବିଷ୍ୟତ ଦେଖୁଛି: ମୋଦୀ
୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ
ଚେନ୍ନାଇ, ୧୨/୧୦: ଯୁବପିଢ଼ିଙ୍କ ପ୍ରତିଭା, ଆତ୍ମବିଶ୍ୱାସ ଓ ନୂଆ କିଛି କରିବାର ଆଗ୍ରହ ଭାରତର ଭବିଷ୍ୟତକୁ ନେଇ ଗଭୀର ବିଶ୍ୱାସ ସୃଷ୍ଟି କରୁଛି। ଦେଶର ଯୁବଶକ୍ତି ହିଁ ଭାରତକୁ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ରରେ ପରିଣତ କରିବେ। ତାମିଲନାଡୁର ଚେନ୍ନାଇସ୍ଥିତ ଜୟଗୋପାଳ ଗାରୋଡିଆ ହିନ୍ଦୁ ବିଦ୍ୟାଳୟ ମାଟ୍ରିକୁଲେସନ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇ ଏଭଳି ମତ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ମୋଦୀ କହିଥିଲେ, ଆଜିର ଯୁବପିଢ଼ିଙ୍କ ମଧ୍ୟରେ ଦେଶର ବିକାଶ ପାଇଁ ଅପାର ସମ୍ଭାବନା ରହିଛି। ଏହି ପିଢ଼ି କେବଳ ନିଜର ଭବିଷ୍ୟତ ଗଢ଼ିବେ ନାହିଁ, ବରଂ ଏକ ବିକଶିତ ଭାରତ ନିର୍ମାଣରେ ମଧ୍ୟ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ବିଶ୍ୱ ଆଜି ବିଭିନ୍ନ ସମସ୍ୟାର ସମାଧାନ ଖୋଜୁଥିବାବେଳେ ଭାରତୀୟ ଯୁବପିଢ଼ି ସେହି ସମାଧାନ ଦେବାର କ୍ଷମତା ରଖିଛନ୍ତି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।
ସାତ ଜଣ ଛାତ୍ରରୁ ୧୫ଟି ଶିକ୍ଷାନୁଷ୍ଠାନ
ବିଦ୍ୟାଳୟର ୫୦ ବର୍ଷର ଯାତ୍ରାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ, ୧୯୭୫ ମସିହାରେ ଚେନ୍ନାଇର ୱେଷ୍ଟ ମାମ୍ବଲମ୍ଠାରେ ମାତ୍ର ସାତ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନ ଆଜି ଏକ ବିଶାଳ ଶିକ୍ଷା ଆନ୍ଦୋଳନରେ ପରିଣତ ହୋଇଛି। ସୀମିତ ସମ୍ବଳ ଓ ଅନେକ ପ୍ରତିବନ୍ଧକ ସତ୍ତ୍ୱେ ପ୍ରତିଷ୍ଠାତା, ଶିକ୍ଷକ, କର୍ମଚାରୀ, ଅଭିଭାବକ ଏବଂ ପୁରାତନ ଛାତ୍ରଛାତ୍ରୀଙ୍କ ସମର୍ପଣ ଏହି ସଫଳତାର ମୂଳ ଆଧାର।
ବର୍ତ୍ତମାନ ତାମିଲନାଡୁର ବିଭିନ୍ନ ସ୍ଥାନରେ ଏହି ଅନୁଷ୍ଠାନର ୧୫ଟି ଶିକ୍ଷାନୁଷ୍ଠାନ କାର୍ଯ୍ୟ କରୁଥିବାରୁ ସେ ଖୁସି ପ୍ରକାଶ କରିଥିଲେ। ଏହି ଅବସରରେ ଶ୍ରୀ ଜୟଗୋପାଳ ଗାରୋଡିଆଙ୍କ ଅବଦାନକୁ ସ୍ମରଣ କରିବା ସହ ଶିକ୍ଷା ମାଧ୍ୟମରେ ଯୁବପିଢ଼ିଙ୍କ ଜୀବନ ଗଢ଼ିବାରେ ସମ୍ପୃକ୍ତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ।
ପିଲାଙ୍କ ଏକ ଟଙ୍କା ସଞ୍ଚୟରୁ ୪୦ ଲକ୍ଷ ଟଙ୍କା
ସମାଜସେବା ଓ ଦେଶପ୍ରେମର ଉଦାହରଣ ଦେଇ ମୋଦୀ ଗିରିଜା ଆମ୍ମାଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। ଦେଶର ସୈନିକମାନଙ୍କ ସହାୟତା ପାଇଁ ପିଲାମାନଙ୍କୁ ପ୍ରତିଦିନ ମାତ୍ର ଗୋଟିଏ ଟଙ୍କା ସଞ୍ଚୟ କରିବାକୁ ସେ ପ୍ରେରିତ କରିଥିଲେ। ହଜାର ହଜାର ପିଲା ଏହି ଅଭିଯାନରେ ଯୋଗଦେଇ ପ୍ରାୟ ୪୦ ଲକ୍ଷ ଟଙ୍କା ସଂଗ୍ରହ କରିଥିଲେ।
ଛୋଟ ଛୋଟ ପ୍ରୟାସ ଏକାଠି ହେଲେ ବଡ଼ ପରିବର୍ତ୍ତନ ଆଣିପାରେ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ସମାଜର ଦୁର୍ବଳ ବର୍ଗଙ୍କୁ ସହାୟତା କରିବା ଏବଂ ସ୍ୱଚ୍ଛତା ଅଭିଯାନରେ ସାମିଲ ହେବା ଭଳି କାର୍ଯ୍ୟ ଯୁବପିଢ଼ିଙ୍କ ମଧ୍ୟରେ ସେବା ମନୋଭାବ ସୃଷ୍ଟି କରେ।
ତିରୁବଲ୍ଲୁଭରଙ୍କ ଶିକ୍ଷା ଜୀବନରେ ଅନୁସରଣ କରିବାକୁ ପରାମର୍ଶ
ଭାରତର ପ୍ରାଚୀନ ଜ୍ଞାନ ଓ ସାଂସ୍କୃତିକ ଐତିହ୍ୟକୁ ମନେ ପକାଇ ପ୍ରଧାନମନ୍ତ୍ରୀ ମହାନ ତାମିଲ ସନ୍ଥ ତିରୁବଲ୍ଲୁଭରଙ୍କ ରଚନା ‘ତିରୁକ୍କୁରାଲ୍’ର ଗୁରୁତ୍ୱ ବିଷୟରେ କହିଥିଲେ। କେବଳ ଜ୍ଞାନ ଆହରଣ କରିବା ଯଥେଷ୍ଟ ନୁହେଁ, ଶିଖିଥିବା କଥାକୁ ଦୈନନ୍ଦିନ ଜୀବନରେ ପ୍ରୟୋଗ କରିବା ମଧ୍ୟ ଜରୁରୀ ବୋଲି ସେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ।
ଏଥିସହ ମହାକବି ସୁବ୍ରମଣ୍ୟମ ଭାରତୀଙ୍କ ଜୀବନ ଓ ଦର୍ଶନରୁ ପ୍ରେରଣା ନେବାକୁ ସେ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଥିଲେ। ଭାରତୀଙ୍କ ‘ଅଚ୍ଚମିଲ୍ଲାଇ, ଅଚ୍ଚମିଲ୍ଲାଇ’ ଅର୍ଥାତ୍ ‘ଭୟ ନାହିଁ, ଭୟ ନାହିଁ’ ମନ୍ତ୍ରକୁ ଅନୁସରଣ କରି ବଡ଼ ସ୍ୱପ୍ନ ଦେଖିବା, ନୂଆ ଚିନ୍ତାଧାରା ଆପଣାଇବା ଏବଂ ନିର୍ଭୀକ ଭାବେ ଆଗକୁ ବଢ଼ିବାକୁ ସେ କହିଥିଲେ।
ଶିକ୍ଷା କ୍ଷେତ୍ରରେ ବଢ଼ିଛି ସୁଯୋଗ
ଦେଶର ଶିକ୍ଷା ବ୍ୟବସ୍ଥାରେ ହୋଇଥିବା ପରିବର୍ତ୍ତନର ଉଦାହରଣ ଦେଇ ମୋଦୀ କହିଥିଲେ, ୨୦୧୪ ମସିହାରେ ଦେଶରେ ବିଶ୍ୱବିଦ୍ୟାଳୟ ସଂଖ୍ୟା ପ୍ରାୟ ୭୫୦ ଥିବାବେଳେ ଏବେ ଏହା ୧,୩୦୦ରୁ ଅଧିକ ହୋଇଛି। ସେହିପରି ମହାବିଦ୍ୟାଳୟ ସଂଖ୍ୟା ୩୮ ହଜାରରୁ ବୃଦ୍ଧି ପାଇ ୫୨ ହଜାରରୁ ଅଧିକ ହୋଇଛି। ଦେଶରେ ନୂତନ ଆଇଆଇଟି, ଆଇଆଇଏମ୍, ଆଇଆଇଆଇଟି ଏବଂ ଏମ୍ସ ପ୍ରତିଷ୍ଠା ହେବା ସହ ଉଚ୍ଚଶିକ୍ଷାର ସୁଯୋଗ ବଢ଼ିଛି ବୋଲି ସେ କହିଥିଲେ।
ନୂତନ ଶିକ୍ଷା ନୀତି ଏବଂ ଶିକ୍ଷାର ଗୁଣାତ୍ମକ ଉନ୍ନତି ଯୋଗୁଁ ଭାରତୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ଆନ୍ତର୍ଜାତିକ ସ୍ତରରେ ପରିଚୟ ବଢ଼ୁଛି ବୋଲି ସେ ମତ ଦେଇଥିଲେ। ଫଳରେ ଛାତ୍ରଛାତ୍ରୀଙ୍କ ପାଇଁ ନିଜ ଦକ୍ଷତା ଅନୁଯାୟୀ ଶିକ୍ଷା ଓ କ୍ୟାରିୟର ଚୟନ କରିବାର ଅଧିକ ସୁଯୋଗ ସୃଷ୍ଟି ହୋଇଛି।
କ୍ରୀଡ଼ା କ୍ଷେତ୍ରରେ ଭାରତକୁ ନୂଆ ଶିଖରକୁ ନେବ ଯୁବପିଢ଼ି
କ୍ରୀଡ଼ାକୁ କ୍ୟାରିୟର ଭାବେ ଗଢ଼ିବାକୁ ଚାହୁଁଥିବା ଯୁବକଯୁବତୀଙ୍କ ପାଇଁ ଦେଶରେ ଭିତ୍ତିଭୂମି, ପ୍ରଶିକ୍ଷଣ ଓ ସହାୟତା ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଭାରତ ୨୦୩୦ ମସିହାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ଏବଂ ୨୦୩୬ ଅଲିମ୍ପିକ୍ସ ଆୟୋଜନର ଲକ୍ଷ୍ୟ ନେଇ ଆଗକୁ ବଢ଼ୁଥିବା କଥା ଉଲ୍ଲେଖ କରି ସେ ଯୁବ କ୍ରୀଡ଼ାବିତ୍ଙ୍କୁ ଉତ୍ସାହିତ କରିଥିଲେ।
୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ସଂକଳ୍ପ
ନିଜ ଅଭିଭାଷଣର ଶେଷରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଦେଶର ଭବିଷ୍ୟତ ଗଠନ ପାଇଁ ଦୃଢ଼ ସଂକଳ୍ପ ନେବାକୁ ଆହ୍ୱାନ ଦେଇଥିଲେ। ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା, ବିଶ୍ୱର ଶ୍ରେଷ୍ଠ ତିନିଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବା, ଆତ୍ମନିର୍ଭର ଉତ୍ପାଦନ କେନ୍ଦ୍ର ଭାବେ ଉଭା ହେବା, ଅଲିମ୍ପିକ୍ସ ଆୟୋଜନ କରିବା ଏବଂ ଭାରତୀୟ ମହାକାଶଚାରୀଙ୍କୁ ଚନ୍ଦ୍ରପୃଷ୍ଠକୁ ପଠାଇବା ଭଳି ଲକ୍ଷ୍ୟ ହାସଲରେ ଯୁବପିଢ଼ିଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ହେବ।
ଯୁବପିଢ଼ିଙ୍କ ଉପରେ ନିଜର ଗଭୀର ବିଶ୍ୱାସ ପ୍ରକାଶ କରି ମୋଦୀ କହିଥିଲେ, ଭାରତର ଭବିଷ୍ୟତ ଗୌରବମୟ ହେବ ଏବଂ ଏହି ଭବିଷ୍ୟତର ପ୍ରକୃତ ନାୟକ ହେବେ ଆଜିର ଯୁବକଯୁବତୀ।
