ମା’ କନକ ଦୁର୍ଗାଙ୍କ ପୀଠରେ ଶାରଦୀୟ ନବରାତ୍ର ପୂଜା, ତୃତୀୟ ଦିବସରେ ଅନ୍ନପୂର୍ଣ୍ଣା ଦେବୀ ବେଶରେ ଦର୍ଶନ ଦେଲେ ମା’
ଢେଙ୍କାନାଳ: ଢେଙ୍କାନାଳ ଦେଉଳ ସାହିସ୍ଥିତ ଜୁବୁଲି ଟାଉନରେ ମା’ କନକ ଦୁର୍ଗାଙ୍କ ପୀଠରେ ଶାରଦୀୟ ନବରାତ୍ର ପୂଜା ଭକ୍ତି ଓ ଶ୍ରଦ୍ଧାର ସହ ପାଳନ କରାଯାଉଛି। ନବରାତ୍ର ପୂଜାର ତୃତୀୟ ଦିବସରେ ମା’ କନକ ଦୁର୍ଗା ଅନ୍ନପୂର୍ଣ୍ଣା ଦେବୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ।
ପ୍ରତିଦିନ ମା’ଙ୍କ ପୀଠରେ ପାରମ୍ପରିକ ରୀତିନୀତି ଅନୁଯାୟୀ ସୂର୍ଯ୍ୟ ପୂଜା, କଳସ ପୂଜା, ମଣ୍ଡଳ ପୂଜା ଏବଂ ଷୋଡ଼ଶ ଉପଚାରରେ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି। ଏଥିସହ ଚଣ୍ଡୀପାଠ ଓ ସପ୍ତଚଣ୍ଡୀ ଯଜ୍ଞରେ ଆହୁତି ପ୍ରଦାନ କରାଯାଉଛି।
ମା’ଙ୍କ ନିକଟରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭୋଗ ଲାଗି କରାଯାଉଛି। ପଣା ଭୋଗ, ମଧ୍ୟାହ୍ନରେ ଅନ୍ନଧୂପ, ସନ୍ଧ୍ୟାରେ ଆଳତି ଏବଂ ରାତ୍ରିରେ ବଡ଼ସିଂହାର ଭୋଗ ଅନୁଷ୍ଠିତ ହେଉଛି।
ମା’ଙ୍କ ଏହି ପବିତ୍ର ପୂଜା ଉତ୍ସବ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିବାବେଳେ ଭକ୍ତମାନେ ମା’ଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରୁଛନ୍ତି।
