# “କୌଣସି ବାହାନା ନୁହେଁ, ଶେଷ ପର୍ଯ୍ୟନ୍ତ ଲଢ଼େଇ”: ପଞ୍ଜାବ ଏଫ୍ସି ମୁକାବିଲା ପୂର୍ବରୁ ଓଡ଼ିଶା ଏଫ୍ସି କୋଚ୍ଙ୍କ ଦୃଢ଼ ବାର୍ତ୍ତା
**ଭୁବନେଶ୍ୱର, ୧୩ ଅକ୍ଟୋବର:** ନୂଆ ଆଶା, ନୂଆ ରଣନୀତି ଏବଂ ଉନ୍ନତ ପ୍ରଦର୍ଶନର ଲକ୍ଷ୍ୟ ନେଇ ଏମ୍ଜି ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍ଏଲ୍) ୨୦୨୬-୨୭ ସିଜନ୍ରେ ଅଭିଯାନ ଆରମ୍ଭ କରିବାକୁ ଯାଉଛି ଓଡ଼ିଶା ଏଫ୍ସି। ପ୍ରଥମ ମ୍ୟାଚ୍ରେ ପଞ୍ଜାବ ଏଫ୍ସିକୁ ଭେଟିବା ପୂର୍ବରୁ ଦଳର ମୁଖ୍ୟ ପ୍ରଶିକ୍ଷକ ଟି.ଜି. ପୁରୁଷୋତ୍ତମନ୍ ଓ ଅଧିନାୟକ ଲାଲଥାଥାଙ୍ଗା ଖାୱଲ୍ରିଙ୍ଗ୍ (ପୁଇତେଆ) ଦଳର ଲକ୍ଷ୍ୟ ଓ ପ୍ରସ୍ତୁତି ନେଇ ନିଜ ମତ ରଖିଛନ୍ତି।
**“ଶେଷ ପର୍ଯ୍ୟନ୍ତ ଲଢ଼ିବା ହିଁ ଆମର ପରିଚୟ”**
ଗତ ସିଜନ୍ ତୁଳନାରେ ଏଥର ଅଧିକ ସ୍ଥିର ପ୍ରଦର୍ଶନ କରିବା ସହ ଭଲ ଖେଳକୁ ବିଜୟରେ ପରିଣତ କରିବା ଉପରେ ଓଡ଼ିଶା ଏଫ୍ସି ଗୁରୁତ୍ୱ ଦେଉଛି। ଦଳରେ ନୂଆ ଖେଳାଳିଙ୍କ ଯୋଗଦାନ ପରେ ପୁରୁଣା ଓ ନୂଆ ଖେଳାଳିଙ୍କ ମଧ୍ୟରେ ସମନ୍ୱୟ ଏବଂ ଦଳଗତ ଏକତା ଗଢ଼ିବା ଏବେ ପ୍ରମୁଖ ଚ୍ୟାଲେଞ୍ଜ।
ପ୍ରି-ସିଜନ୍ରେ ଯଥେଷ୍ଟ ଅଭ୍ୟାସ ମ୍ୟାଚ୍ ଖେଳିବାର ସୁଯୋଗ ମିଳିନଥିବା ସମ୍ପର୍କରେ କୋଚ୍ ପୁରୁଷୋତ୍ତମନ୍ କହିଛନ୍ତି ଯେ, ପରିସ୍ଥିତି ଅନୁଯାୟୀ ଖାପଖୁଆଇ ଦଳକୁ ଆଗକୁ ବଢ଼ିବାକୁ ପଡ଼ିବ। ନକାରାତ୍ମକ ପରିସ୍ଥିତିକୁ ସକାରାତ୍ମକ ଦିଗରେ ପରିବର୍ତ୍ତନ କରି ଭଲ ପ୍ରଦର୍ଶନ କରିବା ଉପରେ ଖେଳାଳିମାନେ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।
ଦଳର ମନୋଭାବ ସ୍ପଷ୍ଟ କରି ସେ ଆହୁରି କହିଛନ୍ତି, ରେଫରିଙ୍କ ଶେଷ ହ୍ୱିସିଲ୍ ପର୍ଯ୍ୟନ୍ତ ପ୍ରତ୍ୟେକ ବଲ୍ ଓ ପ୍ରତ୍ୟେକ ସୁଯୋଗ ପାଇଁ ଲଢ଼ିବା ସହ ସମସ୍ତ ଖେଳାଳିଙ୍କୁ ନିଜର ଶ୍ରେଷ୍ଠ ଦେବାକୁ ହେବ।
**ଅଧିନାୟକ ପୁଇତେଆଙ୍କ ପାଇଁ ଦାୟିତ୍ୱ ଏକ ସମ୍ମାନ**
ଦଳର ଅଧିନାୟକ ପୁଇତେଆ ନୂଆ ଖେଳାଳି ଓ ପୂର୍ବରୁ ଦଳରେ ଥିବା ଖେଳାଳିଙ୍କ ମଧ୍ୟରେ ଭଲ ସମ୍ପର୍କ ଓ ସକାରାତ୍ମକ ପରିବେଶ ରହିଥିବା କହିଛନ୍ତି। ଏକ ଦଳ ଭାବେ ଏକାଠି ଖେଳିବା, ପରସ୍ପରକୁ ସହଯୋଗ କରିବା ଏବଂ ନିଜ ନିଜ ଦାୟିତ୍ୱ ତୁଲାଇବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।
ପୂର୍ବତନ ଖେଳାଳି କାର୍ଲୋସ୍ ଡେଲଗାଡୋ ଓ ଅମରିନ୍ଦର ସିଂହଙ୍କ ବିଦାୟ ପରେ ଅଧିନାୟକ ଦାୟିତ୍ୱ ମିଳିବା ସମ୍ପର୍କରେ ପୁଇତେଆ କହିଛନ୍ତି ଯେ, ସେ ଏହାକୁ ଚାପ ଭାବେ ନୁହେଁ, ବରଂ ସମ୍ମାନ ଭାବେ ଗ୍ରହଣ କରିଛନ୍ତି। ଦାୟିତ୍ୱ ସହଜ ନ ହେଲେ ମଧ୍ୟ ଦଳ, ପ୍ରଶିକ୍ଷକ ମଣ୍ଡଳୀ ଓ କ୍ଲବ୍ ପାଇଁ ନିଜ ସାମର୍ଥ୍ୟ ଅନୁଯାୟୀ ସର୍ବାଧିକ ଅବଦାନ ଦେବେ ବୋଲି ସେ ଆଶ୍ୱାସନା ଦେଇଛନ୍ତି।
**ପ୍ରଥମ ମ୍ୟାଚ୍ରେ ଖେଳିବେନି ରାହୁଲ କେପି**
ଅନ୍ୟପକ୍ଷରେ, ଓଡ଼ିଶା ଏଫ୍ସି ପକ୍ଷରୁ ରାହୁଲ କେପିଙ୍କ ଆହତ ସମସ୍ୟା ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଛି। ସାମାନ୍ୟ ଆଘାତ କାରଣରୁ ସେ ସିଜନ୍ର ପ୍ରଥମ ମ୍ୟାଚ୍ରେ ଖେଳିପାରିବେ ନାହିଁ। ସିଜନ୍ର ଆରମ୍ଭରେ ତାଙ୍କୁ ଖେଳାଇ ବିପଦ ନେବା ପରିବର୍ତ୍ତେ କ୍ଲବ୍ ତାଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି।
ପଞ୍ଜାବ ଏଫ୍ସି ବିପକ୍ଷ ଏହି ଆୱେ ମ୍ୟାଚ୍ ଜବାହରଲାଲ ନେହରୁ ଷ୍ଟାଡିୟମ୍ରେ ଖେଳାଯିବ। ନୂଆ ସିଜନ୍ର ପ୍ରଥମ ମ୍ୟାଚ୍ରୁ ହିଁ ଭଲ ଆରମ୍ଭ କରିବା ସହ ଦଳଗତ ସମନ୍ୱୟ, ନିୟମିତ ଭଲ ପ୍ରଦର୍ଶନ ଓ ଲଢ଼ୁଆ ମନୋଭାବ ଜରିଆରେ ସମର୍ଥକଙ୍କ ଆଶା ପୂରଣ କରିବାକୁ ଚାହୁଁଛି ଓଡ଼ିଶା ଏଫ୍ସି।
