Spread the love

*ନିର୍ଭୟା ପଦକ୍ଷେପରେ ସମ୍ବଲପୁରରେ ମହିଳା ସୁରକ୍ଷାକୁ ମିଳିବ ନୂଆ ଦିଗ*
• ୧୦ କୋଟି ଟଙ୍କା ବ୍ୟୟରେ ୯ଟି ପ୍ରସ୍ତାବିତ ଉଦ୍ୟମ ଉପରେ ଉଚ୍ଚସ୍ତରୀୟ ସମୀକ୍ଷା
• ୮୦୦ ସିସିଟିଭି କ୍ୟାମେରା, ୧୫ଟି ଜରୁରୀକାଳୀନ ଯାନ ଓ ୪୦ଟି ଇ-ରିକ୍ସାର ପ୍ରସ୍ତାବ
• ନିରାପଦ ଯାତାୟାତ, ତ୍ୱରିତ ପୋଲିସ ସହାୟତା ଓ ମହିଳା ଅନୁକୂଳ ସାର୍ବଜନୀନ ସୁବିଧା ଉପରେ ଗୁରୁତ୍ୱ
ଭୁବନେଶ୍ୱର, ୧୩ ଅକ୍ଟୋବର ୨୦୨୬:
ମହିଳା ଓ ବାଳିକାଙ୍କ ପାଇଁ ସୁରକ୍ଷିତ, ସମାବେଶୀ ଓ ଭୟମୁକ୍ତ ସହର ଗଠନ ଲକ୍ଷ୍ୟରେ ନିର୍ଭୟା ପଦକ୍ଷେପ ଅଧୀନରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ବିଭିନ୍ନ ଯୋଜନାର ସମୀକ୍ଷା ପାଇଁ ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଏବଂ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର ଉପସ୍ଥିତ ଥିଲେ। ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଆଭାସୀ ମାଧ୍ୟମରେ ଯୋଗଦେଇ ପ୍ରସ୍ତାବିତ ଯୋଜନାଗୁଡ଼ିକର ରୂପରେଖ ଉପସ୍ଥାପନ କରିଥିଲେ।

ଏହି ପଦକ୍ଷେପ ଅଧୀନରେ ମୋଟ ୧୦ କୋଟି ଟଙ୍କାର ଆନୁମାନିକ ବ୍ୟୟରେ ନଅଟି ପ୍ରମୁଖ ଉଦ୍ୟମ ପ୍ରସ୍ତାବିତ ହୋଇଛି। ଏଥିରେ ମହିଳା ପୋଲିସଙ୍କ ଦ୍ୱାରା ତ୍ୱରିତ ସହାୟତା, ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା, ପ୍ରଯୁକ୍ତିଭିତ୍ତିକ ନିରୀକ୍ଷଣ, ନିରାପଦ ଯାତାୟାତ, ମହିଳା ଅନୁକୂଳ ସାର୍ବଜନୀନ ସୁବିଧା ଓ ସଚେତନତା କାର୍ଯ୍ୟକ୍ରମକୁ ସାମିଲ କରାଯାଇଛି।

‘ଶକ୍ତି ସାରଥୀ’ ଅଧୀନରେ ୧୫ଟି ଦୁଇଚକିଆ ଯାନ ମାଧ୍ୟମରେ ମହିଳା ପୋଲିସ କର୍ମଚାରୀଙ୍କ ପକ୍ଷରୁ ପାଟ୍ରୋଲିଂ ଓ ତ୍ୱରିତ ସହାୟତା ପ୍ରଦାନ ପ୍ରସ୍ତାବ ରହିଛି। ‘ପ୍ରତିକ୍ରିୟା’ ଯୋଜନାରେ ୧୫ଟି ଜରୁରୀକାଳୀନ ପ୍ରତିକ୍ରିୟା ଯାନ ଓ ଡ୍ରୋନ୍‌ ବ୍ୟବହାର ମାଧ୍ୟମରେ ମହିଳାଙ୍କୁ ଆବଶ୍ୟକ ସହାୟତା ଓ ଉଦ୍ଧାର ସେବା ଯୋଗାଇବାର ଯୋଜନା ରହିଛି। ‘ଦୃଷ୍ଟି’ ଅଧୀନରେ ୨୧୦ଟି ସ୍ଥାନରେ ୮୦୦ଟି ସିସିଟିଭି କ୍ୟାମେରା ସ୍ଥାପନ କରି ନିରୀକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ପ୍ରସ୍ତାବ ରହିଛି। ସେହିପରି ‘ଏସ୍-ଷ୍ଟପ୍’ ଅଧୀନରେ ପାଞ୍ଚଟି ପୋଲିସ ସହାୟତା କେନ୍ଦ୍ର ସ୍ଥାପନ କରାଯିବାର ଯୋଜନା ରହିଛି।

ମହିଳାଙ୍କ ପାଇଁ ନିରାପଦ ଓ ସୁଲଭ ଯାତାୟାତ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ‘ସହଯାତ୍ରା’ ଅଧୀନରେ ୪୦ଟି ଗୋଲାପୀ ଇ-ରିକ୍ସା ପରିଚାଳନା ପ୍ରସ୍ତାବିତ ହୋଇଛି। ‘ନିର୍ଭୟା ସଦନ’ ଯୋଜନାରେ ଜିଲ୍ଲା ଅଦାଲତ ପରିସର, ରେଳ ଷ୍ଟେସନ, ବୁର୍ଲା ଚିକିତ୍ସା ଅଞ୍ଚଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାରିଟି ସହାୟତା କେନ୍ଦ୍ର ସ୍ଥାପନ ପ୍ରସ୍ତାବ ରହିଛି। ‘ସାଥୀ’ ଅଧୀନରେ ଛଅଟି ଶୌଚାଳୟ ଓ ନର୍ସିଂ ସୁବିଧା ସ୍ଥାପନ ସହ ‘ଯାତ୍ରା’ ଅଧୀନରେ ୫୦ଟି ଶିକ୍ଷାନୁଷ୍ଠାନର ବସ୍‌ ପାଇଁ ବାସ୍ତବ ସମୟ ଟ୍ରାକିଂ ବ୍ୟବସ୍ଥା ବିକାଶ କରିବାର ପ୍ରସ୍ତାବ ରହିଛି।

ଏହା ସହିତ ‘ସଚେତନା’ ଅଧୀନରେ ମହିଳା ସୁରକ୍ଷା ସମ୍ପର୍କିତ ସଚେତନତା, ଆତ୍ମରକ୍ଷା ପ୍ରଶିକ୍ଷଣ, ସ୍ୱାସ୍ଥ୍ୟ ଶିକ୍ଷା ଓ ଗୋଷ୍ଠୀ ସମୁଦାୟଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ଅଭିଯାନରେ କିଶୋର ବାଳକମାନଙ୍କୁ ମଧ୍ୟ ସାମିଲ କରି ମହିଳାଙ୍କ ପ୍ରତି ସମ୍ମାନଜନକ ଆଚରଣ, ଲିଙ୍ଗଗତ ସମ୍ବେଦନଶୀଳତା ଓ ସାମାଜିକ ଦାୟିତ୍ୱବୋଧ ସମ୍ପର୍କରେ ସଚେତନ କରିବାକୁ ଶ୍ରୀମତୀ ଗର୍ଗ ଗୁରୁତ୍ୱ ଦେଇଥିଲେ। ଯୋଜନାଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ନିମନ୍ତେ ପୋଲିସ, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ସ୍ଥାନୀୟ ପ୍ରଶାସନ ମଧ୍ୟରେ ସମନ୍ୱୟ ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ଅଶ୍ଵତୀ ଏସ., ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର-ତଥା-ଶାସନ ସଚିବ ଡା. ଏନ୍. ତିରୁମାଲା ନାଏକ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର-ତଥା-ଶାସନ ସଚିବ ଡ. ମୃଣାଳିନୀ ଦର୍ସୱାଲଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *