# ରାଞ୍ଚି IIIT ଛାତ୍ର ମୃତ୍ୟୁ ଘଟଣା: ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କଲା ଶିକ୍ଷା ମନ୍ତ୍ରଣାଳୟ
**ନୂଆଦିଲ୍ଲୀ, ୧୩ ଅକ୍ଟୋବର:** ଝାଡ଼ଖଣ୍ଡର ରାଞ୍ଚିସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫର୍ମେସନ୍ ଟେକ୍ନୋଲୋଜି (IIIT) କ୍ୟାମ୍ପସରେ ଜଣେ ଛାତ୍ରଙ୍କ ଦୁଃଖଦ ମୃତ୍ୟୁ ଘଟଣାକୁ ଗୁରୁତ୍ୱର ସହ ନେଇଛି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ। ଘଟଣାର ପରିସ୍ଥିତି ଓ ଏହା ସହ ଜଡ଼ିତ ବିଭିନ୍ନ ଦିଗର ଯାଞ୍ଚ ପାଇଁ ମନ୍ତ୍ରଣାଳୟ ପକ୍ଷରୁ ତିନି ଜଣିଆ କମିଟି ଗଠନ କରାଯାଇଛି।
ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସାଉଥ୍ କ୍ୟାମ୍ପସ୍ ନିର୍ଦ୍ଦେଶକ ପ୍ରଫେସର ରଜନୀ ଅବ୍ବି ଏହି କମିଟିର ଅଧ୍ୟକ୍ଷତା କରିବେ। କମିଟିରେ ଜଣେ ବରିଷ୍ଠ ମନୋରୋଗ ବିଶେଷଜ୍ଞ ଏବଂ ଶିକ୍ଷା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ସଦସ୍ୟ ଭାବେ ରହିଛନ୍ତି।
### ମୌଳିକ ସୁବିଧାଠାରୁ ଛାତ୍ରଙ୍କ ମାନସିକ ସ୍ୱାସ୍ଥ୍ୟ ଯାଏଁ ହେବ ଯାଞ୍ଚ
କମିଟିକୁ ଘଟଣାର ପରିସ୍ଥିତି ଅନୁଧ୍ୟାନ କରିବା ସହ ଶିକ୍ଷାନୁଷ୍ଠାନରେ ନିର୍ଦ୍ଧାରିତ ନିର୍ଦ୍ଦେଶାବଳୀ କେତେଦୂର କାର୍ଯ୍ୟକାରୀ ହେଉଛି, ତାହାର ମୂଲ୍ୟାଙ୍କନ କରିବାକୁ ଦାୟିତ୍ୱ ଦିଆଯାଇଛି।
ଯାଞ୍ଚ ପରିସରରେ ରହିବ ମୌଳିକ ସୁବିଧାର ଉପଲବ୍ଧତା ଓ କାର୍ଯ୍ୟକାରିତା, ଛାତ୍ରଛାତ୍ରୀଙ୍କୁ ମିଳୁଥିବା ଅନୁଷ୍ଠାନିକ ସହାୟତା, କାଉନସେଲିଂ ଓ ମାର୍ଗଦର୍ଶନ ବ୍ୟବସ୍ଥା ଏବଂ ଛାତ୍ରଛାତ୍ରୀଙ୍କ ଅଭିଯୋଗର ସମାଧାନ ପ୍ରକ୍ରିୟା।
### ତ୍ରୁଟି ଚିହ୍ନଟ କରି ସଂସ୍କାର ପାଇଁ ଦେବ ପରାମର୍ଶ
ଶିକ୍ଷାନୁଷ୍ଠାନରେ ଯଦି କୌଣସି ବ୍ୟବସ୍ଥାଗତ ତ୍ରୁଟି ବା ଅଭାବ ରହିଛି, ତେବେ ତାହା ଚିହ୍ନଟ କରିବା ସହ ଛାତ୍ରଛାତ୍ରୀଙ୍କ କଲ୍ୟାଣ ଓ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ କମିଟି ଉପଯୁକ୍ତ ପଦକ୍ଷେପ ସୁପାରିସ କରିବ। ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ରୋକିବା ମଧ୍ୟ କମିଟିର ଅନ୍ୟତମ ଉଦ୍ଦେଶ୍ୟ।
ଏଥିପାଇଁ କମିଟି ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିବା ସହ ଆବଶ୍ୟକ ରେକର୍ଡ ଓ ଦସ୍ତାବିଜ୍ ଯାଞ୍ଚ କରିବ।
### ଅନୁଷ୍ଠାନର ସୁପରିଚାଳନା ପାଇଁ ଅନ୍ତରୀଣ ବ୍ୟବସ୍ଥା
ଅନ୍ୟପକ୍ଷରେ, ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଓ କଲ୍ୟାଣକୁ ଦୃଷ୍ଟିରେ ରଖି IIIT ରାଞ୍ଚିର ସୁଚାରୁ ପରିଚାଳନା ନିମନ୍ତେ ଶିକ୍ଷା ମନ୍ତ୍ରଣାଳୟ ଉପଯୁକ୍ତ ଅନ୍ତରୀଣ ପ୍ରଶାସନିକ ବ୍ୟବସ୍ଥା ଗ୍ରହଣ କରୁଛି।
ସୂଚନାଯୋଗ୍ୟ, IIIT ରାଞ୍ଚି ଏକ ସାର୍ବଜନୀନ-ଘରୋଇ ସହଭାଗିତା (PPP) ମଡେଲ୍ରେ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ।
