# ଭାରତୀୟ ନୌସେନାରେ ସାମିଲ ହେବ ସ୍ୱଦେଶୀ ଯୁଦ୍ଧଜାହାଜ ‘ସମର୍ଥକ’, ଅକ୍ଟୋବର ୧୬ରେ ହେବ କମିଶନିଂ
**ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତ ଅଭିଯାନକୁ ଆଉ ଏକ ବଡ଼ ପଦକ୍ଷେପ। ଭାରତୀୟ ନୌସେନାରେ ସାମିଲ ହେବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବହୁମୁଖୀ ଜାହାଜ ‘ସମର୍ଥକ’।** ଆସନ୍ତା ୧୬ ଅକ୍ଟୋବର ୨୦୨୬ରେ କର୍ଣ୍ଣାଟକର କାରୱାରସ୍ଥିତ ନୌସେନା ଘାଟିରେ ଏହାର କମିଶନିଂ ଅନୁଷ୍ଠିତ ହେବ। ଏହି ଜାହାଜ ନୌସେନାରେ ସାମିଲ ହେବା ଦେଶର ପ୍ରତିରକ୍ଷା କ୍ଷେତ୍ରରେ ସ୍ୱାବଲମ୍ବନ ଦିଗରେ ଆଉ ଏକ ମାଇଲଖୁଣ୍ଟ ହେବ।
### ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନରେ ନିର୍ମିତ
ଭାରତ ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ପଦକ୍ଷେପ ଅଧୀନରେ ଲାର୍ସନ୍ ଆଣ୍ଡ ଟୁବ୍ରୋ ଲିମିଟେଡ୍ (L&T) ଦ୍ୱାରା ଏହି ଜାହାଜ ନିର୍ମାଣ କରାଯାଇଛି। ଭାରତୀୟ ନୌସେନାରେ ସାମିଲ ହେବାକୁ ଥିବା ଚାରିଟି ବହୁମୁଖୀ ଜାହାଜ ମଧ୍ୟରୁ ‘ସମର୍ଥକ’ ହେଉଛି ପ୍ରଥମ।
ଭବିଷ୍ୟତରେ ନୌସେନାର ବିଭିନ୍ନ ରଣନୈତିକ ଅଭିଯାନ ଓ ସାମୁଦ୍ରିକ କାର୍ଯ୍ୟକଳାପରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।

### ନଜର ରଖିବ ସମୁଦ୍ର ସୀମା, କରିବ ବହୁମୁଖୀ ଅଭିଯାନ
ସାମୁଦ୍ରିକ ନିରୀକ୍ଷଣ ଓ ପାଟ୍ରୋଲିଂ ପାଇଁ ମୁଖ୍ୟତଃ ନିର୍ମିତ ଏହି ଜାହାଜରେ ଅନେକ ଅତିରିକ୍ତ କ୍ଷମତା ରହିଛି। ଏହା କମ୍ ତୀବ୍ରତା ବିଶିଷ୍ଟ ସାମୁଦ୍ରିକ ଅଭିଯାନ (LIMO) ପରିଚାଳନା କରିବା ସହ ଲକ୍ଷ୍ୟବସ୍ତୁ ମୁତୟନ ଓ ପରୀକ୍ଷଣ ପାଇଁ ପ୍ଲାଟଫର୍ମ ଭାବେ କାମ କରିପାରିବ।
ଏହା ବିନା ଚାଳକ ବା ସ୍ୱୟଂଚାଳିତ ପ୍ରଣାଳୀର ମଦରସିପ୍ ଭାବେ କାର୍ଯ୍ୟ କରିବା ସହ ମାନବୀୟ ସହାୟତା ଓ ବିପର୍ଯ୍ୟୟ ମୁକାବିଲା (HADR) ଅଭିଯାନରେ ମଧ୍ୟ ନିୟୋଜିତ ହୋଇପାରିବ। ଆବଶ୍ୟକତା ଅନୁଯାୟୀ ଏହାକୁ ସୀମିତ କ୍ଷମତା ବିଶିଷ୍ଟ ହସ୍ପିଟାଲ୍ ଜାହାଜରେ ପରିଣତ କରାଯାଇପାରିବ। ଏହା ସହ ସମୁଦ୍ରରେ ଉଦ୍ଧାର ଓ ଜାହାଜ ଉଦ୍ଧାର ସମ୍ବନ୍ଧୀୟ କାର୍ଯ୍ୟରେ ମଧ୍ୟ ଏହା ସହାୟକ ହେବ।
### ସ୍ୱଦେଶୀ ସେନ୍ସର ଓ ଯୁଦ୍ଧ ପ୍ରଣାଳୀରେ ସଜ୍ଜିତ
‘ସମର୍ଥକ’ରେ ସ୍ୱଦେଶୀ ସେନ୍ସର, ଅସ୍ତ୍ରଶସ୍ତ୍ର ଓ ଇଲେକ୍ଟ୍ରୋନିକ୍ ପ୍ରଣାଳୀକୁ ସମନ୍ୱିତ କରାଯାଇଛି। ଜଟିଳ ସାମୁଦ୍ରିକ ପରିବେଶରେ ଏହାର କାର୍ଯ୍ୟକ୍ଷମତାକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି।
ଏହା ଭାରତୀୟ ନୌସେନାର ଭବିଷ୍ୟତ କାର୍ଯ୍ୟକ୍ଷମତାକୁ ସୁଦୃଢ଼ କରିବା ସହ ଦେଶରେ ପ୍ରତିରକ୍ଷା ଉପକରଣ ନିର୍ମାଣକୁ ନୂଆ ଗତି ଦେବ ବୋଲି ଆଶା କରାଯାଉଛି।
### ଜାହାଜର ପ୍ରତୀକରେ ଭାରତୀୟ ହାତୀ
‘ସମର୍ଥକ’ର କ୍ରେଷ୍ଟ ବା ପ୍ରତୀକରେ ସମୁଦ୍ର ଲହରୀ ମଧ୍ୟରୁ ଉଭା ହୋଇଥିବା ଏକ ଶକ୍ତିଶାଳୀ ଭାରତୀୟ ହାତୀକୁ ସ୍ଥାନ ଦିଆଯାଇଛି। ଏହା ଶକ୍ତି, ବୁଦ୍ଧିମତ୍ତା ଓ ଦ୍ରୁତ କାର୍ଯ୍ୟକ୍ଷମତାର ପ୍ରତୀକ।
ସ୍ୱଦେଶୀ ନିର୍ମାଣ, ଆଧୁନିକ ପ୍ରଯୁକ୍ତିବିଦ୍ୟା ଓ ବହୁମୁଖୀ କାର୍ଯ୍ୟକ୍ଷମତା ସହ ‘ସମର୍ଥକ’ ଭାରତୀୟ ନୌସେନାର ସାମୁଦ୍ରିକ ଅଭିଯାନରେ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି।
**ସୌଜନ୍ୟ: ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ (PIB), ଭାରତ ସରକାର**
