Spread the love

ଭାଟିପଡ଼ା ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
ବିଭିନ୍ନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ଦେଖାଇଲେ ପ୍ରତିଭା
ଧର୍ମଗଡ଼, ତା. ୧୩/୧୦/
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖମାରହଳଦୀ ଗ୍ରାମପଞ୍ଚାୟତ ଭାଟିପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ, ସୃଜନଶୀଳତାର ବୃଦ୍ଧି ଏବଂ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା।       ନବନିଯୁକ୍ତ କ୍ଲଷ୍ଟର ରିସୋର୍ସ ସେଣ୍ଟର କୋ-ଅର୍ଡିନେଟର (ସିଆରସିସି) ଦୟାଧର ବିହାରୀଙ୍କ ନେତୃତ୍ୱରେ ଆୟୋଜିତ ଏହି ସମାରୋହରେ ଖମାରହଳଦୀ ଗ୍ରାମପଞ୍ଚାୟତର ସରପଞ୍ଚ ରବୀନ୍ଦ୍ର କୁମାର ମୁଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବେହେରାଗୁଡ଼ା ସରକାରୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗରିବ ସୁନାନୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଭାଟିପଡ଼ା ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ମୁଣ୍ଡ, ଚିଚିଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସଞ୍ଜୀବ ପାତ୍ର, ସାମ୍ବାଦିକ ଜନ୍ମେଜୟ ନାଏକ ଏବଂ ମୁଖ୍ୟବକ୍ତା  ଭାବେ ରାମ ନିଆଲ ମଞ୍ଚାସୀନ ଥିଲେ। ଏହି ଅବସରରେ ଅତିଥିମାନେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶରେ ଶିକ୍ଷା ସହିତ ସହପାଠ୍ୟକ୍ରମ କାର୍ଯ୍ୟକଳାପର ଗୁରୁତ୍ୱ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ସୁରଭି ଭଳି କାର୍ଯ୍ୟକ୍ରମ ପିଲାମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ସୃଜନଶୀଳ ଚିନ୍ତାଧାରା ଓ ପ୍ରତିଯୋଗିତାମୂଳକ ମନୋଭାବ ବିକଶିତ କରିବା ସହ ନିଜର ଦକ୍ଷତା ପ୍ରଦର୍ଶନ ପାଇଁ ଏକ ଉତ୍ତମ ମଞ୍ଚ ଯୋଗାଇ ଦେଉଛି ବୋଲି ସେମାନେ କହିଥିଲେ। କାର୍ଯ୍ୟକ୍ରମ ଅବସରରେ ବକ୍ତୃତା, ଶ୍ରୁତଲିଖନ, ଚିତ୍ରାଙ୍କନ, ସୁନ୍ଦର ହସ୍ତାକ୍ଷର, କୁଇଜ୍‌, ପ୍ରବନ୍ଧ ଲିଖନ ଓ ବିତର୍କ ଆଦି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରି ନିଜ ନିଜର ପ୍ରତିଭା ଓ ଦକ୍ଷତା ପ୍ରଦର୍ଶନ କରିଥିଲେ। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ଓ କ୍ଲଷ୍ଟର ରୁ ଆସିଥିବା ବରିଷ୍ଠ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ। ଶିକ୍ଷକ ଉମା ନିଆଲ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିବା ବେଳେ ସିଆରସିସି ଦୟାଧର ବିହାରୀ ଧନ୍ୟବାଦ ଅର୍ପଣ କରିଥିଲେ। ସହଶିକ୍ଷକ ରମେଶ ସତନାମୀଙ୍କ ସମେତ ଅନ୍ୟ ଶିକ୍ଷକମାନେ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ ।

ଗୋଲାମୁଣ୍ଡା ରୁ କପୁରଚନ ସେଠିଆ ରିପୋର୍ଟ ଜାଗ୍ରତଭାରତ ନିୟୁଜ

Leave a Reply

Your email address will not be published. Required fields are marked *