ଦୁର୍ଗା ଓ ଲକ୍ଷ୍ମୀ ପୂଜା ପାଇଁ ଅନୁଗୋଳ ପୋଲିସର ପ୍ରସ୍ତୁତି ଜୋରଦାର
ଆଇନଶୃଙ୍ଖଳା, ଟ୍ରାଫିକ୍ ଓ ସୁରକ୍ଷା ଉପରେ ଗୁରୁତ୍ୱ; ପୂଜା କମିଟି ସହ ଏସ୍ପିଙ୍କ ସମନ୍ୱୟ ବୈଠକ
ଅନୁଗୋଳ: ଆଗାମୀ ଦୁର୍ଗାପୂଜା ଓ ଲକ୍ଷ୍ମୀପୂଜାକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ଅନୁଗୋଳ ପୋଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ଅନୁଗୋଳ ଡିପିଓର ସମ୍ମିଳନୀ କକ୍ଷରେ ଏସ୍ପିଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ପୂଜା କମିଟିର ସଦସ୍ୟମାନଙ୍କୁ ନେଇ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି।
ବୈଠକରେ ପୂଜା ସମୟରେ ଆଇନଶୃଙ୍ଖଳା ବଜାୟ ରଖିବା, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଏବଂ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ପୂଜା ମଣ୍ଡପ ଓ ଆଖପାଖ ଅଞ୍ଚଳରେ ଯେପରି କୌଣସି ଅପ୍ରୀତିକର ଘଟଣା ନଘଟେ, ସେଥିପାଇଁ ସତର୍କତା ଓ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଉପରେ ପୋଲିସ ପକ୍ଷରୁ ଗୁରୁତ୍ୱ ଦିଆଯାଇଥିଲା।
ଏଥିସହ ପୂଜା ପରିଚାଳନାରେ ପୋଲିସ ଓ ପୂଜା କମିଟି ମଧ୍ୟରେ ଉତ୍ତମ ସମନ୍ୱୟ ରଖିବାକୁ ଆଲୋଚନା କରାଯାଇଥିଲା। ଉତ୍ସବ ସମୟରେ ଶାନ୍ତି ଓ ସଦ୍ଭାବନା ବଜାୟ ରଖିବା ସହ ଯାତାୟାତ ବ୍ୟବସ୍ଥାକୁ ସୁଗମ କରିବା ଦିଗରେ ପୂଜା କମିଟିଗୁଡ଼ିକ ପୋଲିସ ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା।
ପାର୍ବଣ ଋତୁରେ ଜନସାଧାରଣଙ୍କ ସୁରକ୍ଷା ଓ ଶାନ୍ତିପୂର୍ଣ୍ଣ ପରିବେଶ ସୁନିଶ୍ଚିତ କରିବା ପାଇଁ ପୋଲିସ ଓ ପୂଜା କମିଟିର ମିଳିତ ଉଦ୍ୟମ ଅତ୍ୟନ୍ତ ଜରୁରୀ ବୋଲି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।
