### ଦାଣ୍ଡିଆ ନୃତ୍ୟରେ ଝୁମିଲା ତାଳଚେର ଡେରା, ନବରାତ୍ର ଉତ୍ସବରେ ଜମିଲା ସାଂସ୍କୃତିକ ଆସର
ତାଳଚେର: ମା’ ଦୁର୍ଗାଙ୍କ ଆରାଧନା, ଦାଣ୍ଡିଆ ନୃତ୍ୟର ତାଳେ ତାଳେ ଉତ୍ସବର ଉଲ୍ଲାସ ଏବଂ ସାଂସ୍କୃତିକ ପରିବେଷଣରେ ମୁଖରିତ ହୋଇଉଠିଲା ତାଳଚେରର ଡେରା ଅଞ୍ଚଳ। ପବିତ୍ର ଶାରଦୀୟ ନବରାତ୍ର ଓ ଦଶହରା ଅବସରରେ ମା’ ମହିଷାମର୍ଦ୍ଦିନୀ ତଥା ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ପୂଜାକୁ କେନ୍ଦ୍ର କରି ଏଠାରେ ଏକ ଆକର୍ଷଣୀୟ ସାଂସ୍କୃତିକ ସନ୍ଧ୍ୟା ଓ ଦାଣ୍ଡିଆ ନୃତ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ସରପଞ୍ଚ ତଥା ହିନ୍ଦୁ ସମାଜର ସଭାପତି ଗୀତିଶ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି ଉତ୍ସବରେ ବିଜେପି ନେତା ତଥା ସମାଜସେବୀ ବିଭୂତି ସାହୁ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଭରତ ଚନ୍ଦ୍ର ସାହୁ, ଯୁବ ସମାଜସେବୀ ଜଗନ୍ନାଥ ପ୍ରଧାନଙ୍କ ସମେତ BSBର ଯୁବକ ବନ୍ଧୁ ଓ ଅନ୍ୟାନ୍ୟ ଅତିଥି ଯୋଗଦେଇଥିଲେ।
ଦାଣ୍ଡିଆ ନୃତ୍ୟର ଆକର୍ଷଣୀୟ ତାଳ ଓ ସାଂସ୍କୃତିକ ପରିବେଷଣ ଉପସ୍ଥିତ ଶ୍ରଦ୍ଧାଳୁଙ୍କ ମନ ମୋହିଥିଲା। ଉତ୍ସବରେ ସାମିଲ ହୋଇ ଲୋକମାନେ ଆନନ୍ଦ ଓ ଉଲ୍ଲାସର ସହ ନବରାତ୍ର ପର୍ବ ପାଳନ କରିଥିଲେ। ଧାର୍ମିକ ଆସ୍ଥା ସହିତ ଏହି ଆୟୋଜନ ସ୍ଥାନୀୟ ଅଞ୍ଚଳରେ ସାମାଜିକ ସଦ୍ଭାବ, ଏକତା ଓ ଭାଇଚାରାର ବାର୍ତ୍ତା ପ୍ରସାର କରିଥିଲା।
ପାରମ୍ପରିକ ପୂଜାପର୍ବ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଏହି ସମନ୍ୱୟ ଡେରା ଅଞ୍ଚଳରେ ନବରାତ୍ର ଉତ୍ସବକୁ ଆହୁରି ଆକର୍ଷଣୀୟ କରିଥିଲା। ଉତ୍ସବ ମାଧ୍ୟମରେ ଧର୍ମୀୟ ପରମ୍ପରାର ସୁରକ୍ଷା ସହ ସାମାଜିକ ସମ୍ପର୍କକୁ ସୁଦୃଢ଼ କରିବାର ଏକ ସୁନ୍ଦର ପ୍ରୟାସ ଦେଖିବାକୁ ମିଳିଥିଲା।
