ଭୁବନେଶ୍ୱର ଭସାଣି ଶୋଭାଯାତ୍ରାରେ ଡିଜେକୁ ନା; ନିୟମ ଭାଙ୍ଗିଲେ ଜବତ ହେବ ଗାଡ଼ି, ୯ ସ୍ଥାନରେ ରାବଣ ପୋଡ଼ି
ଭୁବନେଶ୍ୱର, ୨୦ ଅକ୍ଟୋବର: ଦଶହରା ପରେ ରାଜଧାନୀରେ ଭସାଣି ଉତ୍ସବକୁ ଶୃଙ୍ଖଳିତ, ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ କରିବା ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ କଡ଼ା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭସାଣି ଶୋଭାଯାତ୍ରାରେ ଡିଜେ ବଜାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। ନିୟମ ଉଲ୍ଲଂଘନ କରି ଡିଜେ ଆଣିଲେ ମାଲିକଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ସହ ଡିଜେ ଗାଡ଼ି ଜବତ କରାଯିବ ବୋଲି ଭୁବନେଶ୍ୱର ଡିସିପି ଶ୍ରବଣା ବିବେକ ଏମ୍ ଚେତାବନୀ ଦେଇଛନ୍ତି।
ଡିଜେ ନୁହେଁ, ପାରମ୍ପରିକ ବାଦ୍ୟକୁ ଗୁରୁତ୍ୱ
ପୁଲିସର ନିର୍ଦ୍ଦେଶ ଅନୁଯାୟୀ, ଭସାଣି ଶୋଭାଯାତ୍ରାରେ ଡିଜେ ବ୍ୟବହାରକୁ ଅନୁମତି ମିଳିବ ନାହିଁ। ପାରମ୍ପରିକ ଓ ଶାସ୍ତ୍ରୀୟ ବାଦ୍ୟଯନ୍ତ୍ରକୁ ଗୁରୁତ୍ୱ ଦିଆଯିବ। ପ୍ରତ୍ୟେକ ମେଢ଼ରେ ସର୍ବାଧିକ ଦୁଇଟି ସ୍ପିକର ବ୍ୟବହାର କରାଯାଇପାରିବ। ଶବ୍ଦ ପ୍ରଦୂଷଣ ନିୟମ ଅନୁଯାୟୀ ରାତି ୧୦ଟା ପରେ ବାଦ୍ୟଯନ୍ତ୍ର ବଜାଇବା ଉପରେ କଟକଣା ରହିବ।
ଭସାଣି ଶୋଭାଯାତ୍ରା ଆରମ୍ଭ ହେଉଥିବା ସ୍ଥାନରୁ ବିସର୍ଜନ ସ୍ଥଳ ପର୍ଯ୍ୟନ୍ତ ପୁଲିସର ନଜର ରହିବ। ସମସ୍ତ ଥାନାର ଆଇଆଇସି ଓ ଜୋନ୍ ଅଧିକାରୀମାନଙ୍କୁ ଆଇନଶୃଙ୍ଖଳା ରକ୍ଷା ଏବଂ ନିୟମ ପାଳନ ଉପରେ ନଜର ରଖିବାକୁ କୁହାଯାଇଛି।
ରାଜଧାନୀର ୯ ସ୍ଥାନରେ ରାବଣ ପୋଡ଼ି
ଦଶହରା ଅବସରରେ ରାବଣ ପୋଡ଼ି ପାଇଁ ଭୁବନେଶ୍ୱରର ୯ଟି ସ୍ଥାନକୁ ଅନୁମତି ଦିଆଯାଇଛି। କାର୍ଯ୍ୟକ୍ରମଗୁଡ଼ିକରେ ଅଗ୍ନିଶମ ବାହିନୀ ଓ ବିଦ୍ୟୁତ୍ ବିଭାଗର ଟିମ୍ ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ।
ରାବଣ ପୋଡ଼ି ସମୟରେ ଦର୍ଶକଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ। ଆୟୋଜନ ସ୍ଥଳରେ ମଜବୁତ୍ ବ୍ୟାରିକେଡ୍ ରହିବା ସହ ନିର୍ଦ୍ଧାରିତ ଦୂରତା ବଜାୟ ରଖାଯିବ। ରାବଣ ପ୍ରତିମା ଚାରିପଟେ ୧୦୦ ମିଟର ଦୂରତା ରଖିବା ଏବଂ ବାଣ ଗଚ୍ଛିତ ରଖିବା ସ୍ଥାନକୁ ଜନସମାଗମଠାରୁ ଅତି କମ୍ରେ ୨୫୦ ମିଟର ଦୂରରେ ରଖିବା ପାଇଁ ନିର୍ଦ୍ଦେଶ ରହିଛି।
ସୁରକ୍ଷା ଦାୟିତ୍ୱରେ ୪୮ ପ୍ଲାଟୁନ୍ ଫୋର୍ସ
ଭସାଣି ଓ ରାବଣ ପୋଡ଼ିକୁ ଦୃଷ୍ଟିରେ ରଖି ରାଜଧାନୀରେ ବ୍ୟାପକ ପୁଲିସ ମୁତୟନ ବ୍ୟବସ୍ଥା କରାଯାଇଛି। ଭସାଣି ଉତ୍ସବ ପାଇଁ ମୋଟ ୪୮ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ୧୦୦ ଜଣ ଅଧିକାରୀ ନିୟୋଜିତ ରହିବେ। ରାବଣ ପୋଡ଼ି ଆୟୋଜନ ସ୍ଥଳଗୁଡ଼ିକରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରାଯିବ।
ଅନ୍ୟପକ୍ଷରେ, ମୂର୍ତ୍ତି ବିସର୍ଜନକୁ ସୁବ୍ୟବସ୍ଥିତ କରିବା ପାଇଁ ୬ଟି ସ୍ଥାନରେ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି। ଏହାଦ୍ୱାରା ଭିଡ଼ ନିୟନ୍ତ୍ରଣ ସହ ବିସର୍ଜନ ପ୍ରକ୍ରିୟାକୁ ସୁରକ୍ଷିତ ଭାବେ ସମ୍ପନ୍ନ କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି।
ନିୟମ ମାନିବାକୁ ପୁଲିସର ଅପିଲ୍
ରାଜଧାନୀରେ ଦଶହରା ପରବର୍ତ୍ତୀ ଭସାଣି ଓ ରାବଣ ପୋଡ଼ି ଉତ୍ସବକୁ ଶାନ୍ତିପୂର୍ଣ୍ଣ କରିବା ପାଇଁ ପୁଲିସ ପକ୍ଷରୁ ସମସ୍ତ ପୂଜା କମିଟି, ଡିଜେ ମାଲିକ ଓ ଆୟୋଜକଙ୍କୁ ନିୟମ ପାଳନ କରିବାକୁ କୁହାଯାଇଛି। ଶବ୍ଦ ପ୍ରଦୂଷଣ ରୋକିବା, ଅଗ୍ନିକାଣ୍ଡ ଏଡ଼ାଇବା ଏବଂ ଜନସାଧାରଣଙ୍କ ସୁରକ୍ଷା ନିଶ୍ଚିତ କରିବା ଉପରେ ପ୍ରଶାସନର ମୁଖ୍ୟ ଗୁରୁତ୍ୱ ରହିଛି।
