Spread the love

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଜୀବିକା ମିଶନର ୫ମ ପରିଚାଳନା କମିଟି ବୈଠକ ଅନୁଷ୍ଠିତ

  • ଓଏଲ୍ଏମ୍ ପଦକ୍ଷେପରେ ୨୬ ଲକ୍ଷରୁ ଅଧିକ ମହିଳା ହୋଇପାରିଛନ୍ତି ‘ଲକ୍ଷପତି ଦିଦି’
  • ଜୀବିକା କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ମାଧ୍ୟମରେ ଗ୍ରାମୀଣ ପରିବାରର ଆୟ ବୃଦ୍ଧି ଓ ମହିଳାଙ୍କ ଆର୍ଥିକ ସଶକ୍ତୀକରଣ ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୨୧.୧୦.୨୦୨୬: ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଓଡ଼ିଶା ଜୀବିକା ମିଶନ (ଓଏଲ୍ଏମ୍)ର ୫ମ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜୀବିକା କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ଜରିଆରେ ଗ୍ରାମୀଣ ପରିବାରଗୁଡ଼ିକର ଆୟ ବୃଦ୍ଧି ତଥା ମହିଳାଙ୍କ ଆର୍ଥିକ ସଶକ୍ତୀକରଣକୁ ଅଧିକ ସୁଦୃଢ଼ କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି। ଏହା ସହିତ ଏହି କାର୍ଯ୍ୟକ୍ରମଗୁଡ଼ିକୁ ଅଧିକ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ କରିବା, ନୂତନ ଚିନ୍ତାଧାରାର ପ୍ରୟୋଗ ଏବଂ ନିରନ୍ତର ଉନ୍ନତି ଦିଗରେ ପ୍ରୟାସ ଜାରି ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ଅଧିକରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ଯେପରି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏସ୍ଏମ୍ଇ) ଭାବେ ଉନ୍ନତ ପ୍ରଦର୍ଶନ କରିପାରିବେ, ସେଥିପାଇଁ ଉଦ୍ୟମ ଜାରି ରଖିବା ସହ ସଫଳ ଗୋଷ୍ଠୀମାନଙ୍କୁ ଉଦାହରଣ ଭାବେ ଉପସ୍ଥାପନ କରି ଅନ୍ୟମାନଙ୍କୁ ଉତ୍ସାହିତ କରିବାକୁ ସେ କହିଛନ୍ତି।

ଗ୍ରାମୋଦୟ ଏବଂ ପିଏମ୍-ଜନମନ ଯୋଜନା କାର୍ଯ୍ୟକାରୀ ହେଉଥିବା ଅଞ୍ଚଳଗୁଡ଼ିକରେ ଜୀବିକା କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦେବା ସହ ପ୍ରତ୍ୟେକ ପଦକ୍ଷେପର ସଫଳତା ସୁନିଶ୍ଚିତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ସମସ୍ତ ଜୀବିକା ନିର୍ବାହ କାର୍ଯ୍ୟକ୍ରମର ନିୟମିତ ସମୀକ୍ଷା ଓ ଅନୁଶୀଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ବୈଠକର ଆରମ୍ଭରେ ଗତ ୧୦ ସେପ୍ଟେମ୍ବର ୨୦୨୫ରେ ଅନୁଷ୍ଠିତ ଓଏଲ୍ଏମ୍ର ୪ର୍ଥ ପରିଚାଳନା କମିଟି ବୈଠକର ନିଷ୍ପତ୍ତି କାର୍ଯ୍ୟକାରିତା ସଂପର୍କରେ ଆଲୋଚନା କରାଯାଇଥିଲା। ଏହାସହ ୬ଷ୍ଠ କାର୍ଯ୍ୟନିର୍ବାହୀ କମିଟିର ନିଷ୍ପତ୍ତି ସଂପର୍କରେ ପରିଚାଳନା କମିଟିକୁ ଅବଗତ କରାଯାଇଥିଲା। ଗ୍ରାମ ପଞ୍ଚାୟତସ୍ତରୀୟ ସଂଘ (ଜିପିଏଲ୍ଏଫ୍ଏସ୍ଏସ୍)ର ପଞ୍ଜୀକରଣ ପ୍ରକ୍ରିୟା ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।

ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂହ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଏବଂ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ, ସମନ୍ୱିତ ଶିଶୁ ବିକାଶ ଓ ସମାଜ କଲ୍ୟାଣ ବିଭାଗ ନିର୍ଦ୍ଦେଶିକା, ରାଜ୍ୟ ମିଶନ ନିର୍ଦ୍ଦେଶିକା ତଥା ସିଇଓ, ମିଶନ ଶକ୍ତି ବିଭାଗ ଏବଂ ପରିଚାଳନା କମିଟିର ସଦସ୍ୟ ଥିବା ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ରାଜ୍ୟ ମିଶନ ନିର୍ଦ୍ଦେଶିକା ତଥା ମିଶନ ଶକ୍ତି ବିଭାଗର ସିଇଓ ଡଃ ମୋନିକା ପ୍ରିୟଦର୍ଶିନୀ ଓଡ଼ିଶା ଜୀବିକା ମିଶନର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଏଥିରେ ଅଧିକରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ପରିବାରଙ୍କୁ ଓଏଲ୍ଏମ୍ ଅନ୍ତର୍ଭୁକ୍ତ କରିବା, କ୍ଲଷ୍ଟର ଓ ପଞ୍ଚାୟତ ସ୍ତରୀୟ ଫୋରମ୍ ଗଠନର ଅଗ୍ରଗତି, ଏସ୍ଏଚ୍ଜିମାନଙ୍କୁ ରିଭଲଭିଂ ପାଣ୍ଠି ପ୍ରଦାନ, ବ୍ୟାଙ୍କ ଲିଙ୍କେଜ୍ ଲକ୍ଷ୍ୟ ଏବଂ ଋଣ ପ୍ରଦାନ ବ୍ୟବସ୍ଥାର ସମୀକ୍ଷା କରାଯାଇଥିଲା।

ବିଭିନ୍ନ ଏସ୍ଏଚ୍ଜି ପରିବାର କିଭଳି ଜୀବିକା ନିର୍ବାହ କାର୍ଯ୍ୟରୁ ସହାୟତା ପାଉଛନ୍ତି, ସେ ସମ୍ପର୍କରେ ତଥ୍ୟ ରଖାଯାଇଥିଲା:

  • ୫୦ ଲକ୍ଷରୁ ଅଧିକ (୮୪%) ସଦସ୍ୟା କୃଷିଭିତ୍ତିକ ଜୀବିକାରେ ନିୟୋଜିତ ଅଛନ୍ତି।
  • ୨ ଲକ୍ଷରୁ ଊର୍ଦ୍ଧ୍ୱ ସଦସ୍ୟା ସେବା କ୍ଷେତ୍ରରେ ଏବଂ ୨.୩୦ ଲକ୍ଷ ଅଣ-କୃଷି ତଥା ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟରତ ଅଛନ୍ତି।
  • ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ପୂର୍ବ ତୁଳନାରେ ଅଧିକ ପରିମାଣର ଋଣ ସହାୟତା ମିଳୁଛି; ୨୦୨୪ରେ ହାରାହାରି ଋଣ ପରିମାଣ ୪ ଲକ୍ଷ ଟଙ୍କା ଥିବାବେଳେ ୨୦୨୬ରେ ଏହା ବୃଦ୍ଧି ପାଇ ୫.୯୬ ଲକ୍ଷ ଟଙ୍କାରେ ପହଞ୍ଚିଛି।
  • ୫.୯୫ ଲକ୍ଷ ଏସ୍ଏଚ୍ଜିକୁ ବ୍ୟାଙ୍କ ଲିଙ୍କେଜ୍ ମାଧ୍ୟମରେ ୭୫,୧୧୬ କୋଟି ଟଙ୍କାର ଋଣ ଯୋଗାଇ ଦିଆଯାଇଛି, ଯାହା ସେମାନଙ୍କ କାର୍ଯ୍ୟକଳାପ ସମ୍ପ୍ରସାରଣ ଓ ଆର୍ଥିକ ଉନ୍ନତିରେ ସହାୟକ ହୋଇଛି।
  • ୧.୭୦ ଲକ୍ଷ ଉଦ୍ୟୋଗୀଙ୍କୁ ୭,୯୯୭ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।
  • ଓଡ଼ିଶା ଜୀବିକା ମିଶନର ଉଦ୍ୟମରେ ରାଜ୍ୟର ୨୬.୫୯ ଲକ୍ଷ ମହିଳା ‘ଲକ୍ଷପତି ଦିଦି’ର ମାନ୍ୟତା ହାସଲ କରିଛନ୍ତି। ଏହି ଲକ୍ଷପତି ଦିଦିମାନେ କୃଷି, ପ୍ରାଣୀପାଳନ, ଅଣ-କାଠ ବନଜାତ ଦ୍ରବ୍ୟ (ଏନ୍ଟିଏଫ୍ପି), ମତ୍ସ୍ୟଚାଷ, ଉତ୍ପାଦନ, ବ୍ୟବସାୟ ଏବଂ ସେବା କ୍ଷେତ୍ରରେ ସଫଳତାର ସହ କାର୍ଯ୍ୟ କରୁଛନ୍ତି। ଏଥିସହିତ ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଥିବା ବିଭିନ୍ନ ଯୋଜନାର ଅର୍ଥ ମଞ୍ଜୁରୀ ଓ ଖର୍ଚ୍ଚର ସମୀକ୍ଷା ମଧ୍ୟ କରାଯାଇଥିଲା।

ବୈଠକରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (PMJJBY) ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (PMSBY)ରେ ଏସ୍ଏଚ୍ଜି ସଦସ୍ୟାମାନଙ୍କ ପଞ୍ଜୀକରଣ ଅଗ୍ରଗତିର ସମୀକ୍ଷା ହୋଇଥିଲା। ୨୦୨୬-୨୭ ବର୍ଷ ପାଇଁ PMJJBY ଅଧୀନରେ ୩୭ ଲକ୍ଷର ବାର୍ଷିକ ଲକ୍ଷ୍ୟ ରହିଥିବା ବେଳେ ୯୬ ପ୍ରତିଶତ ସଦସ୍ୟା ପଞ୍ଜୀକୃତ ହୋଇଛନ୍ତି। ସେହିପରି PMSBY ଅଧୀନରେ ୪୭.୨୬ ଲକ୍ଷର ବାର୍ଷିକ ଲକ୍ଷ୍ୟ ମଧ୍ୟରୁ ୯୭ ପ୍ରତିଶତ ଲକ୍ଷ୍ୟ ହାସଲ କରାଯାଇପାରିଛି।

 

Leave a Reply

Your email address will not be published. Required fields are marked *