### ପୁରୁଣା ଓ ଅପ୍ରାସଙ୍ଗିକ ଆଇନ ଉଚ୍ଛେଦ କରନ୍ତୁ, ରାଜ୍ୟଗୁଡ଼ିକୁ ଉପରାଷ୍ଟ୍ରପତିଙ୍କ ଆହ୍ୱାନ
ସହକାରୀ ସଂଘୀୟ ବ୍ୟବସ୍ଥା ଓ ଆଇନ ସଂସ୍କାର ସମ୍ମିଳନୀ ଉଦ୍ଘାଟିତ; ନାଗରିକକୈନ୍ଦ୍ରିକ ଶାସନ ଉପରେ ଗୁରୁତ୍ୱ
ନୂଆଦିଲ୍ଲୀ, ୨୨/୧୦: ଦେଶରେ ସୁଶାସନକୁ ଅଧିକ ସୁଦୃଢ଼ କରିବା ସହ ସମୟୋପଯୋଗୀ ଆଇନ ବ୍ୟବସ୍ଥା ଗଠନ ପାଇଁ ପୁରୁଣା ଓ ଅପ୍ରାସଙ୍ଗିକ ଆଇନଗୁଡ଼ିକୁ ଚିହ୍ନଟ କରି ଉଚ୍ଛେଦ କିମ୍ବା ସଂଶୋଧନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ। ଦେଶର ଆଇନ ବ୍ୟବସ୍ଥାକୁ ସରଳ, ସ୍ୱଚ୍ଛ ଓ ଜନକଲ୍ୟାଣମୁଖୀ କରିବା ଦିଗରେ ରାଜ୍ୟଗୁଡ଼ିକ ସକ୍ରିୟ ଭୂମିକା ନେବା ଆବଶ୍ୟକ ବୋଲି ସେ ଆହ୍ୱାନ ଦେଇଛନ୍ତି।
ଗୁରୁବାର ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଭାରତୀୟ ଆଇନ ଆୟୋଗ ପକ୍ଷରୁ ଆୟୋଜିତ ‘ସହକାରୀ ସଂଘୀୟ ବ୍ୟବସ୍ଥା ଓ ଆଇନ ସଂସ୍କାର: ଜାତୀୟ ଏବଂ ରାଜ୍ୟସ୍ତରୀୟ ଦୃଷ୍ଟିକୋଣ’ ଶୀର୍ଷକ ସମ୍ମିଳନୀକୁ ଉଦ୍ଘାଟନ କରି ଉପରାଷ୍ଟ୍ରପତି ଏହି ମତ ପ୍ରକାଶ କରିଛନ୍ତି।
ସେ କହିଥିଲେ, ଭାରତର ସବୁଠାରୁ ବଡ଼ ଶକ୍ତି ହେଉଛି ବିବିଧତା ମଧ୍ୟରେ ଏକତା। ଦେଶର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ପରସ୍ପରର ଦାୟିତ୍ୱ, ସାମ୍ବିଧାନିକ ଅଧିକାର ଏବଂ ସ୍ୱାୟତ୍ତତାକୁ ସମ୍ମାନ ଦେଇ ମିଳିତ ଭାବେ କାର୍ଯ୍ୟ କରିବା ଜରୁରୀ। ରାଜନୈତିକ ମତଭେଦ ଜନସ୍ୱାର୍ଥରେ ମିଳିମିଶି କାମ କରିବାରେ ବାଧକ ହେବା ଉଚିତ ନୁହେଁ।
ବିକଶିତ ଭାରତ-୨୦୪୭ ପାଇଁ ଆଇନ ସଂସ୍କାର ଅପରିହାର୍ଯ୍ୟ
୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ କରିବାକୁ ଦୃଢ଼ ଆଇନ ବ୍ୟବସ୍ଥା, ସ୍ୱଚ୍ଛ ପ୍ରଶାସନ, ଦକ୍ଷ ଅନୁଷ୍ଠାନ ଏବଂ ସମସ୍ତଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରିବା ଆବଶ୍ୟକ ବୋଲି ଉପରାଷ୍ଟ୍ରପତି କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଟିମ୍ ଇଣ୍ଡିଆ’ ଦୃଷ୍ଟିକୋଣ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ପରାମର୍ଶ, ସମନ୍ୱୟ ଏବଂ ସାମୂହିକ ଦାୟିତ୍ୱବୋଧକୁ ପ୍ରୋତ୍ସାହିତ କରୁଛି ବୋଲି ସେ ଉଲ୍ଲେଖ କରିଥିଲେ।
ଗତ ୧୨ ବର୍ଷ ମଧ୍ୟରେ ଔପନିବେଶିକ ଯୁଗର ତିନୋଟି ଅପରାଧିକ ଆଇନକୁ ପରିବର୍ତ୍ତନ କରାଯିବା ଏବଂ ୧,୭୦୦ରୁ ଅଧିକ ଅପ୍ରଚଳିତ ଆଇନକୁ ଉଚ୍ଛେଦ କରାଯିବାକୁ ସେ ଭାରତର ଆଇନ ବ୍ୟବସ୍ଥାର ଆଧୁନିକୀକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଅଭିହିତ କରିଥିଲେ।
ସହକାରୀ ସଂଘୀୟ ବ୍ୟବସ୍ଥା ହିଁ ଦେଶର ଶକ୍ତି
ଆଇନ ସଂସ୍କାର କ୍ଷେତ୍ରରେ ସମସ୍ତ ରାଜ୍ୟ ପାଇଁ ଏକାଭଳି ନିୟମ ଲାଗୁ କରିବା ହିଁ ଏକମାତ୍ର ଲକ୍ଷ୍ୟ ନୁହେଁ ବୋଲି ସେ ସ୍ପଷ୍ଟ କରିଥିଲେ। କେନ୍ଦ୍ର ଓ ରାଜ୍ୟର ସାମ୍ବିଧାନିକ ଦାୟିତ୍ୱ ଯେଉଁଠାରେ ପରସ୍ପର ସହ ଜଡ଼ିତ, ସେଠାରେ ମିଳିତ ଉଦ୍ୟମ ଆବଶ୍ୟକ। ଏଥିସହ ରାଜ୍ୟଗୁଡ଼ିକର ସ୍ୱତନ୍ତ୍ର ଆବଶ୍ୟକତା ପୂରଣ ପାଇଁ ସେମାନଙ୍କର ଆଇନଗତ ସ୍ୱାଧୀନତାକୁ ମଧ୍ୟ ସୁରକ୍ଷା ଦେବା ଉଚିତ।
ଭାରତୀୟ ଆଇନ ଆୟୋଗ, ରାଜ୍ୟ ଆଇନ ଆୟୋଗ ଓ ରାଜ୍ୟର ଆଇନ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ବଢ଼ାଇବା ସହ ଅନ୍ତଃରାଜ୍ୟ ପରାମର୍ଶ, ଉତ୍ତମ କାର୍ଯ୍ୟପ୍ରଣାଳୀର ଆଦାନପ୍ରଦାନ ଏବଂ ପୁରୁଣା ଆଇନଗୁଡ଼ିକର ନିୟମିତ ସମୀକ୍ଷା ଉପରେ ସେ ଗୁରୁତ୍ୱ ଦେଇଥିଲେ।
ସଂସଦରେ ସ୍ଥାପିତ ସେଙ୍ଗୋଲ୍କୁ ଧର୍ମସମ୍ମତ କ୍ଷମତା ଓ ନୈତିକ ଶାସନର ପ୍ରତୀକ ଭାବେ ଉଲ୍ଲେଖ କରି ଉପରାଷ୍ଟ୍ରପତି ତାମିଲ ସନ୍ଥକବି ତିରୁବଲ୍ଲୁଭରଙ୍କ ସୁଶାସନ ସମ୍ପର୍କିତ ଶାଶ୍ୱତ ଶିକ୍ଷାକୁ ସ୍ମରଣ କରିଥିଲେ। କେବଳ କ୍ଷମତାର ପ୍ରୟୋଗ ନୁହେଁ, ବରଂ ଉତ୍ତମ ଶାସନ ହିଁ ସ୍ଥାୟୀ ସଫଳତା ଓ ସମୃଦ୍ଧିର ଆଧାର ବୋଲି ସେ କହିଥିଲେ।
ଏହି ସମ୍ମିଳନୀରୁ ଏକ ସୁସଙ୍ଗତ, ଉତ୍ତରଦାୟୀ ଓ ନାଗରିକକୈନ୍ଦ୍ରିକ ଆଇନ ବ୍ୟବସ୍ଥା ଗଠନ ପାଇଁ ଠୋସ୍ ଏବଂ କାର୍ଯ୍ୟକାରୀ ସୁପାରିସ ମିଳିବ ବୋଲି ଉପରାଷ୍ଟ୍ରପତି ଆଶା ପ୍ରକାଶ କରିଥିଲେ।
ଏହି ଅବସରରେ କେନ୍ଦ୍ର ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଅର୍ଜୁନ ରାମ ମେଘୱାଲ, ଭାରତୀୟ ଆଇନ ଆୟୋଗର ଅଧ୍ୟକ୍ଷ ଜଷ୍ଟିସ୍ ଦିନେଶ ମାହେଶ୍ୱରୀ, ସଦସ୍ୟ-ସଚିବ ଡ. ଅଞ୍ଜୁ ରାଠୀ ରାଣା ଏବଂ ସଦସ୍ୟ ପ୍ରଫେସର ଡି. ପି. ବର୍ମାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
