ବାଲିଯାତ୍ରା ପଡ଼ିଆରେ ଛାତ୍ର ହତ୍ୟା ଘଟଣାର ପର୍ଦ୍ଦାଫାସ୍
ପ୍ରେମ ବ୍ୟାପାରକୁ ନେଇ ଦଶମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା, ୨ ନାବାଳକ ଗିରଫ
କଟକ, ୨୨/୧୦: କଟକ ବାଲିଯାତ୍ରା ତଳପଡ଼ିଆ ମହାନଦୀ କୂଳରେ ଦଶମ ଶ୍ରେଣୀ ଛାତ୍ର ସୁମନ୍ତ ସାହୁଙ୍କ ହତ୍ୟା ଘଟଣାର ରହସ୍ୟ ଉନ୍ମୋଚନ କରିଛି କ୍ୟାଣ୍ଟନମେଣ୍ଟ ଥାନା ପୁଲିସ। ଏହି ଘଟଣାରେ ସମ୍ପୃକ୍ତ ଦୁଇ ଜଣ ନାବାଳକଙ୍କୁ ପୁଲିସ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଛୁରି, ସ୍କୁଟି ଓ ମୋବାଇଲ୍ ଫୋନ୍ ଜବତ କରିଛି। ପ୍ରାଥମିକ ତଦନ୍ତ ଅନୁସାରେ, ଜଣେ ନାବାଳିକାଙ୍କ ସହ ସମ୍ପର୍କକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ସୂଚନା ଦେଇଛି।
ପୁଲିସର ସୂଚନା ଅନୁଯାୟୀ, ମୃତ ସୁମନ୍ତଙ୍କ ବୟସ ୧୫ ବର୍ଷ। ସେ କଟକର ରାଜାବଗିଚା ବଢ଼େଇ ସାହିରେ ଭଡ଼ାରେ ରହୁଥିଲେ। ଜଣେ ସହପାଠିନୀଙ୍କ ସହ ସୁମନ୍ତଙ୍କ କଥାବାର୍ତ୍ତାକୁ ନେଇ ତାଙ୍କର ଜଣେ ସିନିୟର ଛାତ୍ର ଅସନ୍ତୁଷ୍ଟ ଥିଲେ। ପୂର୍ବରୁ ଏହି ପ୍ରସଙ୍ଗକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ହୋଇଥିଲା। ପରେ ବିବାଦର ସମାଧାନ ହୋଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ମନରୁ ରାଗ ଯାଇନଥିଲା ବୋଲି ପୁଲିସ ତଦନ୍ତରୁ ଜଣାପଡ଼ିଛି।
ଯୋଜନାବଦ୍ଧ ଭାବେ ଡାକି ନେଇଥିବା ଅଭିଯୋଗ
ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଜଣକ +୨ ପ୍ରଥମ ବର୍ଷ ବାଣିଜ୍ୟ ଛାତ୍ର ହୋଇଥିବାବେଳେ ଅନ୍ୟ ଜଣେ ଅଭିଯୁକ୍ତ ଡିପ୍ଲୋମା ପ୍ରଥମ ବର୍ଷର ଛାତ୍ର। ଉଭୟଙ୍କ ବୟସ ପ୍ରାୟ ୧୬ ବର୍ଷ ବୋଲି ଜଣାପଡ଼ିଛି। ମୁଖ୍ୟ ଅଭିଯୁକ୍ତ କାଜିବଜାର ଅଞ୍ଚଳର ଏବଂ ତାଙ୍କ ସହଯୋଗୀ ବାଲୁବଜାର ଅଞ୍ଚଳର ବୋଲି ପୁଲିସ କହିଛି।
ତଦନ୍ତ ଅନୁସାରେ, ଗତ ରବିବାର ସକାଳେ ମୁଖ୍ୟ ଅଭିଯୁକ୍ତ ଏକ ଧାରୁଆ ଛୁରି ଧରି ସ୍କୁଟିରେ ନିଜ ସହଯୋଗୀଙ୍କୁ ନେଇ ସୁମନ୍ତଙ୍କ ଘର ପାଖରେ ପହଞ୍ଚିଥିଲେ। ସେଠାରୁ ସୁମନ୍ତଙ୍କୁ ସାଙ୍ଗରେ ନେଇ ବାରବାଟୀ ଷ୍ଟାଡିୟମ୍ ରାସ୍ତା ଦେଇ ଗଡ଼ଗଡ଼ିଆ ମନ୍ଦିର ନିକଟକୁ ଯାଇଥିଲେ। ସେଠାରେ ଚା’ ପିଇବା ପରେ ତିନିଜଣ ବାଲିଯାତ୍ରା ତଳପଡ଼ିଆ ମହାନଦୀ କୂଳକୁ ଯାଇଥିଲେ।
ଯୁକ୍ତିତର୍କ ପରେ ଛୁରିରେ ଆକ୍ରମଣ
ମହାନଦୀ କୂଳରେ ପୂର୍ବ ବିବାଦକୁ ନେଇ ସୁମନ୍ତ ଓ ଅଭିଯୁକ୍ତଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହା ପରେ ଠେଲାପେଲା ଓ ମାଡ଼ପିଟ୍ ହୋଇଥିବାବେଳେ ମୁଖ୍ୟ ଅଭିଯୁକ୍ତ ଧାରୁଆ ଛୁରିରେ ସୁମନ୍ତଙ୍କ ବେକକୁ ଆକ୍ରମଣ କରିଥିବା ପୁଲିସ କହିଛି। ଗୁରୁତର ରକ୍ତସ୍ରାବ ଯୋଗୁଁ ସୁମନ୍ତଙ୍କ ମୃତ୍ୟୁ ହୋଇଥିଲା। ଘଟଣା ପରେ ଦୁଇ ଅଭିଯୁକ୍ତ ସ୍କୁଟିରେ ସେଠାରୁ ପଳାଇଥିବା ତଦନ୍ତରୁ ଜଣାପଡ଼ିଛି।
ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ
ହତ୍ୟା ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଅଭିଯୁକ୍ତମାନେ ସୁମନ୍ତଙ୍କ ମୋବାଇଲ୍ ଫୋନ୍ ଭାଙ୍ଗି କାଜିବଜାର ମନ୍ଦିର ନିକଟସ୍ଥ ନାଳରେ ଫିଙ୍ଗି ଦେଇଥିବା ପୁଲିସ ସୂଚନା ଦେଇଛି। ମୁଖ୍ୟ ଅଭିଯୁକ୍ତ ନିଜ ମୋବାଇଲ୍ ଫୋନ୍କୁ ମଧ୍ୟ ଭାଙ୍ଗି ଅଳିଆ ସଫେଇ ଗାଡ଼ିରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ନାଳରୁ ମୋବାଇଲ୍ ଫୋନ୍ ଜବତ କରିବା ସହ ହତ୍ୟାରେ ବ୍ୟବହୃତ ଛୁରି ଓ ସ୍କୁଟିକୁ ମଧ୍ୟ ପୁଲିସ ଜବତ କରିଛି।
କ୍ୟାଣ୍ଟନମେଣ୍ଟ ଥାନା ପୁଲିସର ତଦନ୍ତ ପରେ ଉଭୟ ନାବାଳକଙ୍କୁ ଧରାଯାଇଛି। ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ପାଇଁ ସେମାନଙ୍କୁ ଅନୁଗୁଳସ୍ଥିତ ବାଳ ସ୍ୱଧାର ଗୃହକୁ ପଠାଯାଇଥିବା ସୂଚନା ମିଳିଛି।
କିଶୋର ବୟସରେ ପ୍ରେମ ସମ୍ପର୍କକୁ ନେଇ ଉପୁଜିଥିବା ବିବାଦ ଏକ ଛାତ୍ରଙ୍କ ଜୀବନ ନେଇଥିବା ଏହି ଘଟଣା କଟକ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।

