Spread the love

ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଆରମ୍ଭ

ଭୁବନେଶ୍ୱର, ୨୩ ଅକ୍ଟୋବର : ଭୁବନେଶ୍ବର କଳିଙ୍ଗ ଷ୍ଟୁଡିଓଠାରେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ତିନିଦିନିଆ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଆରମ୍ଭ ହୋଇଛି। ଓଡ଼ିଆ ସିନେମାର ସୁବର୍ଣ୍ଣ ଅଧ୍ୟାୟକୁ ମନେ ପକାଇବା ସହ ଆଗାମୀ ପିଢ଼ିକୁ ଏହାର ସୃଜନଶୀଳ ପରମ୍ପରା ସହ ଯୋଡ଼ିବା ଲକ୍ଷ୍ୟରେ ଆଜିଠାରୁ ୨୫ ତାରିଖ ପର୍ଯ୍ୟନ୍ତ ଉତ୍ସବ ପାଳନ କରାଯାଉଛି।

ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ପ୍ରଥମ ସଂଧ୍ୟାରେ ଓଡିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ନିର୍ଦ୍ଦେଶକ ପଦ୍ମଶ୍ରୀ ଶିଶିର ମିଶ୍ର, ନିର୍ଦ୍ଦେଶକ ଡ. ସବ୍ୟସାଚୀ ମହାପାତ୍ର, ଗୀତିକାର ଦେବଦାସ ଛୋଟରାୟ, କଣ୍ଠଶିଳ୍ପୀ ତୃପ୍ତୀ ଦାସ, ଅଭିନେତ୍ରୀ ବନଜା ମହାନ୍ତି ଏବଂ ସିନେମାଟୋଗ୍ରାଫର ସୁରେନ୍ଦ୍ର କୁମାର ସାହୁଙ୍କୁ ବିଜୁ ପଟ୍ଟନାୟକ ଚଳଚ୍ଚିତ୍ର ଓ ଟେଲିଭିଜନ ପ୍ରତିଷ୍ଠାନର ଅଧ୍ୟକ୍ଷ ଶ୍ରୀ ହିମାଂଶୁ ଶେଖର ଖଟୁଆ ଏବଂ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଜୁରି କମିଟିର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ପ୍ରଣବ ଦାସ ମିଳିତ ଭାବେ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଓଏଫଡିସିର ପରିଚାଳନା ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ପଣ୍ଡା ମଞ୍ଚରେ ଉପସ୍ଥିତ ଥିଲେ।

ଆଜି ଉତ୍ସବର ପ୍ରଥମ ଦିନରେ ୧୯୯୭ ମସିହାରେ ନିର୍ମିତ ଚଳଚ୍ଚିତ୍ର ‘ଶୂନ୍ୟ ସ୍ୱରୂପ’ ଏବଂ ୨୦୨୨ ମସିହାରେ ନିର୍ମିତ ଚଳଚ୍ଚିତ୍ର ‘ଶଲା ବୁଢ଼ାର ବଦ୍‌ଲା’ର ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଆସନ୍ତାକାଲି ଦ୍ବିତୀୟ ଦିନରେ ‘ପ୍ରତୀକ୍ଷା’ (୨୦୨୨) ଓ ‘ବିଦେହ’ (୨୦୨୫) ଚଳଚ୍ଚିତ୍ରର ସ୍ୱତନ୍ତ୍ର ପ୍ରଦର୍ଶନ ସହ ସନ୍ଧ୍ୟା ୬ଟା ୩୦ରୁ ‘ଓଡ଼ିଆ ରେଟ୍ରୋ ସଙ୍ଗୀତ ସଂଧ୍ୟା’ ଆୟୋଜିତ ହେବ। ଏଥିରେ ଦେବାଶିଷ ମହାପାତ୍ର, ଗୀତା ଦାଶ, ସୋହିନୀ ମିଶ୍ର, ଶୁଭାଶିଷ ମହାକୁଡ଼, ଶଶାଙ୍କ ଶେଖର ଓ ଆଦ୍ୟାଶା ଦାସ ଗୀତ ପରିବେଷଣ କରିବେ। ସେହିପରି, ଅକ୍ଟୋବର ୨୫ ତାରିଖରେ ‘ଲହରୀ’ (୨୦୨୪) ଏବଂ ୧୯୮୦ ମସିହାର ଲୋକପ୍ରିୟ ଚଳଚ୍ଚିତ୍ର ‘ମାଆ ଓ ମମତା’ ପ୍ରଦର୍ଶିତ ହେବ। ଏହାସହ ଓଡ଼ିଆ ସିନେମାରେ ୫୦ ବର୍ଷ ପୂରଣ କରିଥିବା ବିଶିଷ୍ଟ ଅଭିନେତ୍ରୀ ଶ୍ରୀମତୀ ମହାଶ୍ୱେତା ରାୟଙ୍କୁ ସମ୍ବର୍ଦ୍ଧିତ କରାଯିବ।

ପ୍ରଥମ ଦିନର କାର୍ଯ୍ୟକ୍ରମରେ ଓଡିଆ ସିନେ ଇଣ୍ଡଷ୍ଟ୍ରୀର ବିଶିଷ୍ଟ କଳାକାର, ପ୍ରଯୋଜକ ଓ ନିର୍ଦ୍ଦେଶକ ଯୋଗଦେଇଥିଲେ। ଏହାସହ ବିଜୁ ପଟ୍ଟନାୟକ ଚଳଚ୍ଚିତ୍ର ଓ ଟେଲିଭିଜନ ପ୍ରତିଷ୍ଠାନର ଛାତ୍ରଛାତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *