*ହାଟଡ଼ିହ ଲକ୍ଷ୍ମୀପୂଜା କମିଟି ଆନୁକୂଲ୍ୟରେ
ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ*

ଦଶରଥପୁର (୨୭-୧୦-୨୬)ଯାଜପୁର ଜିଲ୍ଲା ଦଶରଥପୁର ମଣ୍ଡଳ ସ୍ଥିତ ହାଟଡ଼ିହ ଗ୍ରାମରେ ଗତକାଲି ହାଟଡ଼ିହ ଲକ୍ଷ୍ମୀପୂଜା କମିଟି ଆନୁକୂଲ୍ୟରେ ଏକ ମନୋରଞ୍ଜନ ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ସନ୍ଧ୍ୟା ୭ଟା ୩୦ ସମୟରେ ଅନୁଷ୍ଠିତ ହୋଯାଇଛି l ଏହି ପରିପ୍ରେକ୍ଷୀରେ ଆୟୋଜିତ ବୌଦ୍ଧିକ ଆଲୋଚନା ତଥା ସମ୍ବର୍ଦ୍ଧନା ସଭା ଅନୁଷ୍ଠାନର ସ୍ଥାୟୀ ସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ସାଫଲ୍ୟ ବିମଣ୍ଡିତ ହୋଇଥିଲା l ଅଧ୍ୟାପକ ପ୍ରଦୀପ୍ତ କୁମାର ଦାସଙ୍କ ସଂଚାଳିତ ଉକ୍ତ ସଭାରେ ମୁଖ୍ୟଅତିଥି ଭାବେ ଓଡ଼ିଶା ଉଚ୍ଚଶିକ୍ଷା ବିଭାଗର ପ୍ରାକ୍ତନ ସହ ନିର୍ଦ୍ଦେଶକ ଡ଼କ୍ଟର ଉଦୟନାଥ ମାଝୀ ଯୋଗଦେଇ ସମସ୍ତେ କାୟମନବାକ୍ୟରେ ମାତୃଭାଷା ଓଡ଼ିଆ କୁ ଜୀବନର ପ୍ରତିଟି କ୍ଷେତ୍ରରେ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଥିଲେ, ଆଞ୍ଚଳିକ ବଳଦେବ ଜୀଉ ମହିଳା ମହାବିଦ୍ୟାଳୟ, ଅଳକୁଣ୍ଡର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼କ୍ଟର ବଳରାମ ମହାନ୍ତି ସମ୍ମାନିତ ଅତିଥିଭାବେ ଯୋଗଦେଇ ହାଟଡିହ ଗ୍ରାମର ନାମକରଣ ସମ୍ପର୍କରେ ବିଶ୍ଳେଷଣ କରିବା ସହିତ ନିକଟସ୍ଥ କଇଥପଡ଼ିଆ ଠାରେ ସ୍ଥାପିତ ବିଶ୍ୱ ପ୍ରସିଦ୍ଧ ବିରଳ ଜୈନମୂର୍ତ୍ତି ସମ୍ପର୍କରେ ଆଲୋକପାତ କରିଥିଲେ l ଅନ୍ୟତମ ସମ୍ମାନିତ ବକ୍ତା ଆଚାର୍ଯ୍ୟ ଶଶୀଭୂଷଣ ମହାନ୍ତି ଯୁବକ ମାନଙ୍କ ସମ୍ମିଳିତ କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିଥିଲେ l କବି ଅନିଲ କୁମାର ମହାନ୍ତି ଅବକ୍ଷୟଗ୍ରସ୍ତ ସମାଜ ସମ୍ପର୍କରେ ସୂଚନା ଦେବା ସହିତ ସମାଜକୁ ସଜାଡ଼ିବାରେ ଦେବୀ ସ୍ୱରୂପିଣୀ ନାରୀ ମାନଙ୍କର ଭୂମିକା ରହିଛି ବୋଲି ମତବ୍ୟକ୍ତ କରିଥିଲେ l ଶେଷରେ ପଣ୍ଡିତ ଅକ୍ଷୟ କୁମାର ଶତପଥୀ, ପର୍ଶୁରାମ ବାରିକ, ଭୋଳାନାଥ ସାହୁ,ପ୍ରମୋଦ କୁମାର ପଣ୍ଡା, ସର୍ବେଶ୍ଵର ଜେନା ଏବଂ ସୂର୍ଯ୍ୟମଣି ବେହେରାଙ୍କୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବାରୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l ପରେ ପରେ ଶିବ ନନାଙ୍କ ‘ସୁଧାସାର’ର ସ୍ବନାମଧନ୍ୟ ଗାୟକମାନଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା l ଦ୍ଵିତୀୟ ସନ୍ଧ୍ୟାରେ ଓଡ଼ିଶା ବିଧାନସଭାର ପ୍ରାକ୍ତନ ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କ ଉପସ୍ଥିତିରେ ଏକ ସଭାର ଆୟୋଜନ କରାଯାଇଥିଲା l ଉକ୍ତ ସଭାରେ ପ୍ରଫୁଲ୍ଲ ଚନ୍ଦ୍ର ଦାସ ସଭାପତିତ୍ୱ କରିଥିବା ବେଳେ କାଶୀନାଥ ମଲ୍ଲିକ, ବିରଞ୍ଚି ନାରାୟଣ ଦାସ, ପ୍ରଭାତ ଚନ୍ଦ୍ର ଦାସ, ଶଶିଭୂଷଣ ମହାନ୍ତି,ଗୋପୀନାଥ ମହାନ୍ତି, ବାପି ମହାନ୍ତି ଉପସ୍ଥିତ ଥିଲେ l ବିଳମ୍ବିତ ରାତ୍ରିରେ ସଞ୍ଜୁ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପର ନୃତ୍ୟଶିଳ୍ପୀମାନେ ଚମତ୍କାର ନୃତ୍ୟ ପରିବେଷଣ କରିଥିଲେ l ଯୁବକମାନଙ୍କ ସକ୍ରିୟ ସହଯୋଗରେ ଦୁଇ ଦିନର ମା ଗଜଲକ୍ଷ୍ମୀ ସାଂସ୍କୃତିକ ଉତ୍ସବ ଅତ୍ୟନ୍ତ ଆକର୍ଷଣୀୟ ଆଉ ଉପଭୋଗ୍ୟ ହୋଇଥିଲା l ବିକାଶ ରଞ୍ଜନ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l ହାଟଡିହ ଗ୍ରାମର ଆବାଳ ବୃଦ୍ଧ ବନିତା ଉକ୍ତ ଉତ୍ସବକୁ ସଫଳ କରାଇବାରେ ମିଳିତ ସହଯୋଗ କରିଥିଲେ l ୨୮ ତାରିଖରେ ଭସାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

