Spread the love

ମା କମଗେଶ୍ବରୀ ପୀଠ ରେ ବଏଲ ଯାତ୍ରା
ଭଟଲି (ଅଭିମନ୍ୟୁ ପଧାନ ): ଭଟଲି ବ୍ଲକ କମଗାଁର ଅଧିଷ୍ଠାତ୍ରୀ ଦେବୀ ମା’ କମଗେଶ୍ଵରୀଙ୍କ ଶାରଦୀୟ ପୂଜନୋତ୍ସବ ଅବସରରେ ପାରମ୍ପରିକ ବଏଲ୍ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମା’ କମଗେଶ୍ଵରୀଙ୍କ ପୂଜା ପରମ୍ପରା ଅନ୍ୟ ପୀଠରୁ ଭିନ୍ନ। ଏଠାରେ ଆଶ୍ୱିନ ପୂର୍ଣିମା ତିଥିରେ ମା’ ରାମଚଣ୍ଡୀଙ୍କ ଏବଂ କାର୍ତ୍ତିକ ପ୍ରତିପଦା ତିଥିରେ ମା’ କମଗେଶ୍ଵରୀଙ୍କ ବିଶେଷ ପୂଜାର୍ଚ୍ଚନା କରାଯାଏ। ପ୍ରତ୍ୟୁଷରୁ ମା’ଙ୍କ ନୀତିକାନ୍ତି, ଜୁଗାର ପରଘା ପରେ ବିଶାଳ ଶୋଭାଯାତ୍ରାରେ ମା’ କମଗେଇଙ୍କ ଛତରକୁ ମନ୍ଦିରରୁ ଝାରଗୁଡ଼ିକୁ ଅଣାଯାଇଥିଲା I ମଧ୍ୟରାତ୍ରି ପରେ ପୂଜକ ଭାଗରଥୀ ଭଏନାଙ୍କ ଦ୍ବାରା ପୂଜାର୍ଚ୍ଚନା ପରେ ବରୁଆଙ୍କ ଦେହରେ ମା’ କମଗେଶ୍ଵରୀ ଆବିର୍ଭାବ ହୋଇଥିବା ବିଶ୍ଵାସ କରାଯାଏ । ପାରମ୍ପରିକ ବାଦ୍ୟର ତାଳେ ତାଳେ ମା’ଙ୍କ ଛତର ଝାରଗୁଡ଼ିରୁ ବାହାରି ପ୍ରଥମେ ମୈତ୍ର ମା’ ରାମଚଣ୍ଡୀଙ୍କୁ ଦର୍ଶନ କରିଥିଲା। ପରେ ରଣେଶ୍ଵର ରାମଚଣ୍ଡୀ ମନ୍ଦିରର ପୂଜକ ପଧାନ ଓ ଭୋଇ ପରିବାରଙ୍କ ଠାରୁ ପ୍ରଥମ ପୂଜା ଗ୍ରହଣ କରି ଗ୍ରାମ ପରିକ୍ରମା କରିଥିଲେ। ଗ୍ରାମବାସୀ ଘର ସମ୍ମୁଖରେ ଦୀପ ଓ କଳସ ସ୍ଥାପନ କରି ପୂଜାର୍ଚ୍ଚନା କରିଥିଲେ । ମାନସିକ ପୂରଣ ଓ ମା’ଙ୍କ ଆଶୀର୍ବାଦ ପାଇବା ଆଶାରେ ଦୂରଦୂରାନ୍ତରୁ ଆସିଥିବା ଭକ୍ତ ଗୁହାରି କରିଥିଲେ। ବରୁଆ ଭଜ ଭଏନାଙ୍କ ଦେହରେ ମା’ ଆବିର୍ଭାବ ହୋଇ ଭକ୍ତଙ୍କ ଗୁହାରି ଶୁଣିବା ସହ ଆଶୀର୍ବାଦ ପ୍ରଦାନ କରିଥିଲେ । ନଗର ପରିକ୍ରମା ସମୟରେ ବିଭିନ୍ନ ସ୍ଥାନରେ ମା’ଙ୍କ ନିକଟରେ ଛାଗବଳି ଅର୍ପଣ କରାଯାଇଥିଲା I ଯାତ୍ରା କମିଟିର ମୁଖ୍ୟ ଦୁଷ୍ମନ୍ତ ବାରିକ, ନନ୍ଦିଘୋଷ ସାହୁ, ଗୋବର୍ଦ୍ଧନ ପଧାନଙ୍କ ତତ୍ତ୍ଵାବଧାନରେ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହ‌ଯୋଗ କରିଥିଲେ I ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ ରଣେଶ୍ଵର ରାମଚଣ୍ଡୀ ଓ ମା’ କମଗେଇଙ୍କ ମନ୍ଦିରରେ ଦର୍ଶନ କରି ଅଞ୍ଚଳର ମଙ୍ଗଳ କାମନା କରିଥିଲେ। ପରେ ବିଧାୟକ ଶ୍ରୀ ଆଚାର୍ଯ୍ୟ ଶ୍ରୀଜଗନ୍ନାଥ କଲ୍ୟାଣ ମଣ୍ଡପରେ ଆୟୋଜିତ ରଣେଶ୍ଵର ଲୋକ ମହୋତ୍ସବକୁ ଉଦ୍‌ଘାଟନ କରିବା ସହ କଳାକାର ମାନଙ୍କୁ ସମ୍ମାନିତ କରିଥିଲେ । ମହୋତ୍ସବ ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

Leave a Reply

Your email address will not be published. Required fields are marked *