କବାଟ ଭାଙ୍ଗି ଲୁଟିଥିଲେ ୮୯ ଗ୍ରାମ ସୁନା: ଅଭିଯୁକ୍ତ ଚାକରାଣୀଙ୍କ ସ୍ୱାମୀ ଗିରଫ, ସୁନା ଓ ୪୫ ହଜାର ଟଙ୍କା ଜବତ
ଅନୁଗୋଳ: ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ଗୀତାଗ୍ରାମରେ ଘଟିଥିବା ଏକ ବଡ଼ ଧରଣର ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଘରର ତାଲା ଓ ଆଲମାରୀ ଭାଙ୍ଗି ସୁନା ଅଳଙ୍କାର ସହ ନଗଦ ଟଙ୍କା ଚୋରି ଅଭିଯୋଗରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ଉକ୍ତ ଘରେ କାମ କରୁଥିବା ମହିଳା (ଚାକରାଣୀ)ଙ୍କ ସ୍ୱାମୀ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅଞ୍ଚଳର ଜି. କିରନ କୁମାର ଗତ ୫ ବର୍ଷ ହେଲା ଗୀତାଗ୍ରାମରେ ଭଡ଼ାରେ ରହିଆସୁଥିଲେ। ଗତ ୧୨ ତାରିଖରେ ସେ ଦଶହରା ଛୁଟି ପାଇଁ ନିଜ ପରିବାର ସହ ବ୍ରହ୍ମପୁର ଯାଇଥିଲେ। ଏହାର ସୁଯୋଗ ନେଇ ଗୀତାଗ୍ରାମରେ ରହୁଥିବା ଢେଙ୍କାନାଳ ଜିଲ୍ଲାର କାହ୍ନୁ ଦେହୁରୀ ଘରର କବାଟ ଓ ଆଲମିରା ଭାଙ୍ଗି ଚୋରି କରିଥିଲେ। ସେ ଆଲମିରାରୁ ୮୯ ଗ୍ରାମର ସୁନା ଚେନ୍, ମୁଦି ଇତ୍ୟାଦି ସମେତ ନଗଦ ୫୧ ହଜାର ଟଙ୍କା ଲୁଟି ନେଇଥିଲେ।
ପରେ ଘରର ତାଲା ଭଙ୍ଗା ଯାଇଥିବା ଖବର ପଡ଼ୋଶୀଙ୍କଠାରୁ ପାଇ ଜି. କିରନ କୁମାର ଅନୁଗୋଳ ଫେରି ଚୋରି ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏନେଇ ଅନୁଗୋଳ ଟାଉନ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ତଦନ୍ତ ବେଳେ ପୋଲିସ ଅଭିଯୁକ୍ତ କାହ୍ନୁ ଦେହୁରୀଙ୍କୁ ବାନ୍ଧିବାରେ ସଫଳ ହୋଇଛି। ତାଙ୍କ ନିକଟରୁ ଚୋରି ହୋଇଥିବା ସୁନା ଅଳଙ୍କାର ଏବଂ ନଗଦ ୪୫ ହଜାର ଟଙ୍କା ଉଦ୍ଧାର କରିଛି ଅନୁଗୋଳ ଟାଉନ ପୋଲିସ। ପଚରାଉଚୁରା ପରେ ଅଭିଯୁକ୍ତ କାହ୍ନୁ ଜି. କିରନ କୁମାରଙ୍କ ଘରେ କାମ କରୁଥିବା ମହିଳାଙ୍କ ସ୍ୱାମୀ ବୋଲି ସ୍ପଷ୍ଟ ହୋଇଛି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
