Spread the love

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଶେଷରେ ଜେଲ୍ ଗଲେ ପତ୍ନୀ ବିଦ୍ୟାଭାରତୀ

ଆଗୁଆ ଜାମିନ ଆବେଦନ ଖାରଜ ପରେ SDJM କୋର୍ଟରେ ଆତ୍ମସମର୍ପଣ; ୧୩ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଲେ ଅଦାଲତ

ପାରଳାଖେମୁଣ୍ଡି, ୨ ନଭେମ୍ବର: ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଉ ଏକ ବଡ଼ ମୋଡ଼ ଆସିଛି। ଶେଷରେ ଜେଲ୍ ଗଲେ ମୃତ ACF ସୌମ୍ୟରଞ୍ଜନଙ୍କ ପତ୍ନୀ ତଥା ଏହି ମାମଲାର ଅଭିଯୁକ୍ତ ବିଦ୍ୟାଭାରତୀ ପଣ୍ଡା। ସୋମବାର ସେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ SDJM କୋର୍ଟରେ ଆତ୍ମସମର୍ପଣ କରିବା ପରେ ଅଦାଲତ ତାଙ୍କ ଜାମିନ ଆବେଦନ ଖାରଜ କରି ୧୩ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ଫଳରେ ତାଙ୍କୁ ପାରଳାଖେମୁଣ୍ଡି ସବ୍‌ଜେଲ୍‌କୁ ପଠାଯାଇଛି।

ସୂଚନା ଅନୁଯାୟୀ, ଗତ ଅକ୍ଟୋବର ୩୧ ତାରିଖରେ ଓଡ଼ିଶା ହାଇକୋର୍ଟ ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଏହା ପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ ତାଙ୍କର ସ୍ପେଶାଲ ଲିଭ୍ ପିଟିସନ୍ (SLP) ଖାରଜ କରିଥିଲେ। ହାଇକୋର୍ଟରୁ ଆଗୁଆ ଜାମିନ ନମିଳିବା ପରେ ସେ ସୋମବାର ପାରଳାଖେମୁଣ୍ଡି SDJM କୋର୍ଟରେ ହାଜର ହୋଇ ଆତ୍ମସମର୍ପଣ କରିଥିଲେ। ପରେ ଅଦାଲତ ତାଙ୍କୁ ଜେଲ୍ ପଠାଇବା ନିର୍ଦ୍ଦେଶ ଦେଇଥିଲେ।

କ’ଣ ଥିଲା ସୌମ୍ୟରଞ୍ଜନ ମୃତ୍ୟୁ ମାମଲା?

୨୦୨୧ ଜୁଲାଇ ମାସରେ ପାରଳାଖେମୁଣ୍ଡିଠାରେ କାର୍ଯ୍ୟରତ ସହକାରୀ ବନ ସଂରକ୍ଷକ (ACF) ସୌମ୍ୟରଞ୍ଜନ ମହାପାତ୍ର ନିଜ ସରକାରୀ ବାସଭବନରେ ରହସ୍ୟଜନକ ପରିସ୍ଥିତିରେ ନିଆଁରେ ପୋଡ଼ି ଗୁରୁତର ହୋଇଥିଲେ। ତାଙ୍କ ଶରୀରର ପ୍ରାୟ ୮୦ରୁ ୯୦ ପ୍ରତିଶତ ପୋଡ଼ିଯାଇଥିବା ଖବର ସାମ୍ନାକୁ ଆସିଥିଲା। ପ୍ରଥମେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନା ଓ ପରେ ଉନ୍ନତ ଚିକିତ୍ସା ପାଇଁ କଟକ ନିଆଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପରେ ତାଙ୍କ ପିତା ଅଭିରାମ ମହାପାତ୍ର ଏହାକୁ ହତ୍ୟା ଅଭିଯୋଗ କରି ତତ୍କାଳୀନ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା, ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ନାମରେ ଅଭିଯୋଗ ଆଣିଥିଲେ। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା।

ପରବର୍ତ୍ତୀ ସମୟରେ ମୃତକଙ୍କ ପିତାଙ୍କ ଅଭିଯୋଗ ଓ ଅତିରିକ୍ତ ତଥ୍ୟ ଆଧାରରେ ପାରଳାଖେମୁଣ୍ଡି SDJM କୋର୍ଟ ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ଭଳି ସଙ୍ଗୀନ ଅଭିଯୋଗରେ ମାମଲାର ବିଚାର ପ୍ରକ୍ରିୟା ଆଗକୁ ବଢ଼ାଇଥିଲେ।

ପୂର୍ବରୁ ଜେଲ୍‌ରେ ଅଛନ୍ତି ଅନ୍ୟ ଦୁଇ ଅଭିଯୁକ୍ତ

ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ତତ୍କାଳୀନ DFO ସଂଗ୍ରାମ କେଶରୀ ବେହେରା ପୂର୍ବରୁ କୋର୍ଟରେ ଆତ୍ମସମର୍ପଣ କରି ଜେଲ୍ ଯାଇଥିବା ବେଳେ ରୋଷେୟା ମନ୍ମଥ କୁମ୍ଭଙ୍କୁ ପୋଲିସ ଗିରଫ କରିଥିଲା। ସେ ମଧ୍ୟ ବର୍ତ୍ତମାନ ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଅଛନ୍ତି।

ବିଦ୍ୟାଭାରତୀଙ୍କ ଆତ୍ମସମର୍ପଣ ଓ ଜେଲ୍ ଯିବା ପରେ ଏହି ବହୁଚର୍ଚ୍ଚିତ ମାମଲାରେ ତିନି ଅଭିଯୁକ୍ତ ଏବେ ଜେଲ୍‌ରେ ଅଛନ୍ତି। ଦୀର୍ଘ ପାଞ୍ଚ ବର୍ଷ ଧରି ଚର୍ଚ୍ଚାରେ ରହିଥିବା ଏହି ମାମଲାର ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ଓ ଅଦାଲତଙ୍କ ଆଗାମୀ ନିର୍ଦ୍ଦେଶ ଉପରେ ଏବେ ସମସ୍ତଙ୍କ ନଜର ରହିଛି।

 

Leave a Reply

Your email address will not be published. Required fields are marked *

You missed