*ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ସୁରଭି-୨୦୨୬” ଅନୁଷ୍ଠିତ*
-ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କୁ ସାଇକେଲ ବଣ୍ଟନ ଓ କୃତି ପ୍ରତିଭାଙ୍କ କଳା ପ୍ରଦର୍ଶନ

ଅନୁଗୋଳ,୦୩.୧୧ : ଆଜି ସ୍ଥାନୀୟ ଅନୁଗୋଳ ସଭାଘରଠାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ସୁରଭି-୨୦୨୬” ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ତଥା ସମଗ୍ର ଶିକ୍ଷା ଅଧ୍ୟକ୍ଷ ଶ୍ରୀ ଅବ୍ଦାଲ୍ ମୁହମ୍ମଦ୍ ଅଖ୍ତର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା କେବଳ ମାର୍କ ଉପରେ ପ୍ରାଧାନ୍ୟ ନ ଦେଇ ବରଂ ଆତ୍ମବିଶ୍ୱାସ, ନିର୍ଭୀକତା ଏବଂ ସାମଗ୍ରିକ ବ୍ୟକ୍ତିତ୍ୱ ବିକାଶ ଉପରେ ଗୁରୁତ୍ୱ ଦେଉଛି ବୋଲି କହିଥିଲେ। ସେହିଭଳି ସମ୍ମାନିତ ଅତିଥି ଭାବେ ଉପ-ଆରକ୍ଷୀ ଅଧିକାରୀ ଶ୍ରୀ ସୁକୁମାର ତ୍ରିପାଠୀ ଯୋଗ ଦେଇ ଶିକ୍ଷାକୁ କେବଳ ପାଠ୍ୟ ପୁସ୍ତକ ମଧ୍ୟରେ ସୀମିତ ନ ରଖି ଉତ୍ତମ ନାଗରିକ ହେବାର ଆଧାର କରିବାକୁ ସେ ପରାମର୍ଶ ଦେଇଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ମଧୁସ୍ମିତା ନନ୍ଦ ସଭାପତି, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଗୌରୀ ଶଙ୍କର ବେହେରା ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଲୋପାମୁଦ୍ରା ପଟ୍ଟନାୟକ ଯୋଗ ଦେଇ ଶୃଙ୍ଖଳା, ନୈତିକ ମୂଲ୍ୟବୋଧ ଏବଂ ଶିଶୁ ସୁରକ୍ଷା ଉପରେ ଆଲୋକପାତ କରିବା ସହ ଶିଶୁ ପ୍ରତିଭାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଉପଲକ୍ଷେ ୧୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସୁଗମ ଯାତାୟାତ ଓ ସମାବେଶୀ ଅଂଶଗ୍ରହଣ ନିମନ୍ତେ ALIMCO ଦ୍ୱାରା ପ୍ରଦତ୍ତ ୧୦ଟି ବ୍ୟାଟେରିଚାଳିତ ତିନିଚକିଆ ସାଇକେଲ ପ୍ରଦାନ କରାଯାଇଥିଲା। ସୁରଭି ଶିଶୁ ମହୋତ୍ସବର ୩୩ଟି ବିଭାଗରେ କନିଷ୍ଠ, ମଧ୍ୟମ ଓ ବରିଷ୍ଠ ବର୍ଗର ସମୁଦାୟ ୫୪୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଅତିଥିମାନେ କୃତି ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। ପ୍ରଥମ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀମାନେ ଆଗାମୀ ୧୨.୧୧.୨୦୨୬ ରୁ ୧୪.୧୧.୨୦୨୬ ପର୍ଯ୍ୟନ୍ତ ହେବାକୁ ଥିବା ରାଜ୍ୟସ୍ତରୀୟ ‘ସୁରଭି’ ମହୋତ୍ସବରେ ଅଂଶଗ୍ରହଣ କରିବେ। ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଲୋପାମୁଦ୍ରା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀ ଅମ୍ବୁଜ କୁମାର ଗଡ଼ନାୟକ, ଜିଲ୍ଲା ଶିକ୍ଷା ବିଜ୍ଞାନ ସଂଯୋଜକ ଶ୍ରୀ ମନୋରଞ୍ଜନ ସାହୁଙ୍କ ସମେତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, କେନ୍ଦ୍ର ସଂଯୋଜକ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ଅଭିଭାବକ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

