Spread the love

ଜିନ୍ଦଲ ଫାଉଣ୍ଡେସନ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ମଶାରି ବଣ୍ଟନ

ଅନୁଗୋଳ, ନଭେମ୍ବର ୩: ସାମୁଦାୟିକ ସ୍ୱାସ୍ଥ୍ୟ ଏବଂ ରୋଗ ପ୍ରତିରୋଧ କ୍ଷେତ୍ରରେ ନିଜର ପ୍ରତିବଦ୍ଧତାକୁ ଦୃଢ଼ କରିବା ସହିତ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ‘ନ୍ୟାସନାଲ୍ ସେଣ୍ଟର ଫର୍ ଭେକ୍ଟର ବୋର୍ନ୍ ଡିଜିଜେସ୍ କଣ୍ଟ୍ରୋଲ୍’ (ଏନସିଭିବିଡିସି) ସହଯୋଗରେ ଅନୁଗୋଳ ଜିଲ୍ଲାର ପାଳଲହଡ଼ା ବ୍ଲକ ନଗିରା ଗ୍ରାମର ଅସହାୟ ଓ ଆବଶ୍ୟକତା ଥିବା ପରିବାରଗୁଡ଼ିକୁ ମଶାରି ବଣ୍ଟନ କରାଯାଇଛି। ମ୍ୟାଲେରିଆ ସମେତ ଅନ୍ୟାନ୍ୟ ମଶାବାହିତ ରୋଗରୁ ଗ୍ରାମବାସୀଙ୍କୁ ସୁରକ୍ଷା ଦେବା ସହ ପ୍ରତିଷେଧକ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ମଶାରି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ପାଲଲହଡ଼ା ବିଧାୟକ ଶ୍ରୀ ଅଶୋକ ମହାନ୍ତି; ଏଡିପିଏଚଓ (ଭେକ୍ଟର୍ ବୋର୍ନ୍ ଡିଜିଜେସ୍) ଡାକ୍ତର ପୂର୍ଣ୍ଣିମା ଉଦ୍‌ଗାତା; ପାଲଲହଡ଼ା ଉପ-ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ପଟେଲ; ପାଲଲହଡ଼ା ବିଡିଓ ଶ୍ରୀ ନିଶାନ ମିଶ୍ର; ସାଂସଦଙ୍କ ପ୍ରତିନିଧି ଶ୍ରୀ ଲିଙ୍ଗରାଜ ଦାସ; ବରିଷ୍ଠ ଆଇନଜୀବୀ ତଥା ବିଧାୟକଙ୍କ ପ୍ରତିନିଧି ଶ୍ରୀ ତନ୍ମୟ କୁମାର ସାହୁ; ଡେପୁଟି କଲେକ୍ଟର ଶ୍ରୀମତୀ ବିଦୁସ୍ମିତା ସାହୁ; ଏସ୍‌ଡିଆଇ ଓ ପିଆରଡି ଶ୍ରୀମତୀ ଶୋଭିତା କୁମାର ବିଶି; ଜିନ୍ଦଲ ଫାଉଣ୍ଡେସନ୍‌ର ଏଜିଏମ୍ (ସିଏସ୍‌ଆର୍) ଶ୍ରୀମତୀ ଝିଲ୍ଲି ଖଟୁଆ ଏବଂ ଶ୍ରୀ ଆଶିଷ କୁମାର ସାମଲଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗ, ସ୍ଥାନୀୟ ପ୍ରଶାସନ ଏବଂ ସ୍ଥାନୀୟ ସମ୍ପ୍ରଦାୟର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ଉଦ୍‌ବୋଧନ ଦେଇ ବିଧାୟକ ଶ୍ରୀ ଅଶୋକ ମହାନ୍ତି ମ୍ୟାଲେରିଆ ଓ ଅନ୍ୟାନ୍ୟ ମଶାବାହିତ ରୋଗର ମୁକାବିଲା ପାଇଁ ପ୍ରତିଷେଧକ ସ୍ୱାସ୍ଥ୍ୟସେବା, ଜନସଚେତନତା ଏବଂ ଗୋଷ୍ଠୀଗତ ସହଭାଗିତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଅସହାୟ ପରିବାରଗୁଡ଼ିକୁ ଆବଶ୍ୟକ ପ୍ରତିଷେଧକ ସ୍ୱାସ୍ଥ୍ୟସେବା ସହାୟତା ଯୋଗାଇ ଦେବାରେ ଜିନ୍ଦଲ ଫାଉଣ୍ଡେସନର ପ୍ରୟାସକୁ ସେ ପ୍ରଶଂସା କରିଥିଲେ। ଏଥିସହ ଏକ ସୁସ୍ଥ ଓ ରୋଗମୁକ୍ତ ସମାଜ ଗଠନ ପାଇଁ ସମସ୍ତଙ୍କ ସାମୂହିକ ଉଦ୍ୟମ ଏବଂ ସ୍ୱଚ୍ଛତା ସମ୍ବନ୍ଧୀୟ ଅଭ୍ୟାସ ଅବଲମ୍ବନ କରିବାକୁ ଆହ୍ୱାନ ଦେଇଥିଲେ।

ସେହିପରି ପାଳଲହଡ଼ା ଉପଜିଲ୍ଲାପାଳ ମଧ୍ୟ ଜିନ୍ଦଲ ଫାଉଣ୍ଡେସନର ଏହି ସହଯୋଗକୁ ପ୍ରଶଂସା କରିବା ସହ ସମାଜର ସାମଗ୍ରିକ କଲ୍ୟାଣ ଓ ସ୍ଥାୟୀ ବିକାଶ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ବିଭାଗର ସମନ୍ୱିତ ଉଦ୍ୟମ ଅତ୍ୟନ୍ତ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମର ଅନ୍ୟତମ ଅଂଶ ଭାବେ ଏଡିପିଏଚଓ (ଭେକ୍ଟର ବୋର୍ଣ୍ଣ) ବିଭାଗ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଗ୍ରାମବାସୀଙ୍କୁ ମଶାରିର ଉପଯୁକ୍ତ ବ୍ୟବହାର ଏବଂ ମଶାବାହିତ ରୋଗରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ସମ୍ପର୍କରେ ସଚେତନ କରାଯାଇଥିଲା। ଏଥିସହ ପ୍ରତିଷେଧକ ସ୍ୱାସ୍ଥ୍ୟସେବା ଓ ରୋଗ ନିୟନ୍ତ୍ରଣରେ ଜନସାଧାରଣଙ୍କ ସକ୍ରିୟ ସହଭାଗିତାର ଗୁରୁତ୍ୱ ଉପରେ ଆଲୋକପାତ ମଧ୍ୟ କରାଯାଇଥିଲା।

Leave a Reply

Your email address will not be published. Required fields are marked *