ଜିଏସ୍ଟି ଆଇନ ଓ ଟିଡିଏସ୍ ବ୍ୟବସ୍ଥା ନେଇ କର୍ମଶାଳା
ଅର୍ଥ ପରାମର୍ଶଦାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବିଭାଗର ଅର୍ଥ ପରାମର୍ଶଦାତାମାନଙ୍କୁ ଜିଏସ୍ଟି ଆଇନ ଅନ୍ତର୍ଗତ କାର୍ଯ୍ୟ ଚୁକ୍ତି ସେବା ଏବଂ ଟିଡିଏସ୍ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇବା ଲକ୍ଷ୍ୟରେ ଭୁବନେଶ୍ୱରସ୍ଥିତ ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଛି।
ଓଡ଼ିଶା ବାଣିଜ୍ୟ କର ଓ ଦ୍ରବ୍ୟ ଏବଂ ସେବା କର କମିଶନରେଟ୍ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଓଡ଼ିଶା ଦ୍ରବ୍ୟ ଓ ସେବା କର (OGST) ଆଇନ-୨୦୧୭ ଅନୁଯାୟୀ କାର୍ଯ୍ୟ ଚୁକ୍ତି ସେବା, ଟିଡିଏସ୍ ବ୍ୟବସ୍ଥା ଏବଂ ଟିକସ ନିୟମାବଳୀ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ୨୦୧୭ ପରଠାରୁ ଜିଏସ୍ଟି ନିୟମ ଓ ଟିକସ ହାରରେ ହୋଇଥିବା ପରିବର୍ତ୍ତନ ସହ ବିଭାଗୀୟ ସନ୍ଦେହ ଦୂର କରିବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଯୋଗଦେଇ କହିଥିଲେ ଯେ, ‘ବିକଶିତ ଓଡ଼ିଶା-୨୦୩୬’ ଏବଂ ‘ବିକଶିତ ଭାରତ-୨୦୪୭’ର ଲକ୍ଷ୍ୟ ପୂରଣ କରିବାରେ ଅର୍ଥ ପରାମର୍ଶଦାତାମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରୀ ବଜେଟ୍ ଅନୁଦାନର ସମୟୋଚିତ ବିନିଯୋଗ ସହ ଅନୁମୋଦିତ ଅର୍ଥର ବ୍ୟୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।
ଏଥିସହ ଆର୍ଥିକ ଅନୁମୋଦନ ପ୍ରକ୍ରିୟାକୁ ସରଳ ଓ ତ୍ୱରିତ କରିବାରେ ଅର୍ଥ ପରାମର୍ଶଦାତାମାନେ ନେତୃତ୍ୱ ନେବାକୁ ସେ ପରାମର୍ଶ ଦେଇଥିଲେ। ରାଜ୍ୟର ପର୍ଯ୍ୟଟନ, ଶିଳ୍ପ, ଲଜିଷ୍ଟିକ୍ସ ଏବଂ ରାଜସ୍ୱ ବୃଦ୍ଧି ଭଳି ପ୍ରାଥମିକତା କ୍ଷେତ୍ରରେ ଆର୍ଥିକ ସହଯୋଗ ଓ ଦକ୍ଷ ବିତ୍ତୀୟ ପରିଚାଳନା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।
କର୍ମଶାଳାରେ OGST ଆଇନ-୨୦୧୭ ଅଧୀନରେ କାର୍ଯ୍ୟ ଚୁକ୍ତି ସେବା, ଟିଡିଏସ୍ ବ୍ୟବସ୍ଥା, ସେବା ଶୁଳ୍କ ନିର୍ଦ୍ଧାରଣ, ଜଷ୍ଟ-ଇନ୍-ଟାଇମ୍ (JIT) ଫଣ୍ଡିଂ ବ୍ୟବସ୍ଥା ଏବଂ ଡିଡିଓମାନଙ୍କ ଦ୍ୱାରା ଚଳନ୍ତି ଜମାଖାତା ପରିଚାଳନା ଆଦି ବିଷୟରେ ଆଲୋଚନା କରାଯାଇଥିଲା।
ଏହି ଅବସରରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର, ବାଣିଜ୍ୟ କର ଓ ଦ୍ରବ୍ୟ ଏବଂ ସେବା କର ଆୟୁକ୍ତ ଯାମିନୀ ଷଡ଼ଙ୍ଗୀ ଏବଂ ଅର୍ଥ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ତଥା ପ୍ରତିଷ୍ଠାନର ନିର୍ଦ୍ଦେଶକ ସନ୍ତୋଷ କୁମାର ସୁଆର ଉପସ୍ଥିତ ଥିଲେ।
ଏହା ସହିତ ପ୍ରତିଷ୍ଠାନରେ ପ୍ରଶିକ୍ଷଣ ନେଉଥିବା ଓଡ଼ିଶା ଅର୍ଥ ସେବା (OFS) ଏବଂ ଓଡ଼ିଶା ଟ୍ୟାକ୍ସେସନ୍ ଆଣ୍ଡ ଆକାଉଣ୍ଟସ୍ ସେବା (OT&AS)ର ୨୦୨୪ ବ୍ୟାଚ୍ର ୪୮ ଜଣ ପ୍ରଶିକ୍ଷାର୍ଥୀଙ୍କୁ ମୁଖ୍ୟ ଶାସନ ସଚିବ ସମ୍ବୋଧିତ କରିଥିଲେ। ସେମାନଙ୍କୁ ସଚ୍ଚୋଟତା, ନିଷ୍ଠା, ବୃତ୍ତିଗତ ଦକ୍ଷତା ଏବଂ ଡିଜିଟାଲ୍ ବ୍ୟବସ୍ଥାର ସଠିକ୍ ଉପଯୋଗ ମାଧ୍ୟମରେ ଦାୟିତ୍ୱ ସମ୍ପାଦନ କରିବାକୁ ଆହ୍ୱାନ ଦେଇଥିଲେ।
ସ୍ୱଚ୍ଛ, ଦକ୍ଷ ଓ ଉତ୍ତରଦାୟୀ ଆର୍ଥିକ ପରିଚାଳନା ମାଧ୍ୟମରେ ରାଜ୍ୟର ବିକାଶମୂଳକ ଯୋଜନାଗୁଡ଼ିକୁ ଅଧିକ ଗତିଶୀଳ କରିବା ଉପରେ ଏହି କର୍ମଶାଳାରେ ଗୁରୁତ୍ୱ ଦିଆଯାଇଥିଲା।
