Spread the love

ଶିକ୍ଷାନୁଷ୍ଠାନର ୫୦୦ ମିଟର ପରିଧି ହେବ ନିଶାମୁକ୍ତ ଅଞ୍ଚଳ: ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

​ଭୁବନେଶ୍ୱର:

ରାଜ୍ୟର ଯୁବପିଢ଼ିଙ୍କୁ ନିଶାର କରାଳ କବଳରୁ ରକ୍ଷା କରିବା ଏବଂ କ୍ୟାମ୍ପସଗୁଡ଼ିକରେ ଏକ ସୁସ୍ଥ ଶିକ୍ଷା ପରିବେଶ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ରାଜ୍ୟର ସମସ୍ତ ବିଦ୍ୟାଳୟ, ଆଇଟିଆଇ, ପଲିଟେକ୍ନିକ୍, କଲେଜ, ବିଶ୍ୱବିଦ୍ୟାଳୟ ତଥା ସେମାନଙ୍କ ଛାତ୍ରାବାସର ୫୦୦ ମିଟର ପରିଧିକୁ ‘ନିଶାମୁକ୍ତ ଅଞ୍ଚଳ’ ଘୋଷଣା କରାଯିବ। ଲୋକସେବା ଭବନଠାରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

​ବୈଠକରେ ଉଚ୍ଚଶିକ୍ଷା ବିଭାଗ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ କାର୍ଯ୍ୟପଦ୍ଧତି ଉପସ୍ଥାପନ କରି ଜଣାଇଥିଲେ ଯେ, ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ‘ନିଶାମୁକ୍ତ କ୍ୟାମ୍ପସ୍ କମିଟି’ ଓ ମାନସିକ ସ୍ୱାସ୍ଥ୍ୟ କମିଟି ଗଠନ ସହ ନୋଡାଲ୍ ଅଧିକାରୀ ଏବଂ ଷ୍ଟୁଡେଣ୍ଟ ଆମ୍ବାସାଡର ଚୟନ କରାଯିବ। ଶିକ୍ଷାନୁଷ୍ଠାନ ନିକଟରେ ନିଶା ବିକ୍ରି ରୋକିବା ପାଇଁ ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ନିୟମିତ ଯାଞ୍ଚ କରିବେ। ଅଭିଯୋଗ ପାଇଁ ଡ୍ରପ୍ ବକ୍ସ ଓ ଅନଲାଇନ୍ ବ୍ୟବସ୍ଥା ରହିବ।

​ଏହାସହ କେବଳ ଦଣ୍ଡବିଧାନ ନୁହେଁ, ବରଂ ନିଶାଗ୍ରସ୍ତ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା, ପରାମର୍ଶ ଓ ପୁନର୍ବାସ ଯୋଗାଇବା ପାଇଁ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରୁଥିବା ଶିକ୍ଷାନୁଷ୍ଠାନକୁ ‘ନିଶାମୁକ୍ତ କ୍ୟାମ୍ପସ୍’ ପ୍ରମାଣପତ୍ର ପ୍ରଦାନ କରାଯିବ ଏବଂ ଏଥିପାଇଁ ଖୁବ୍‌ଶୀଘ୍ର ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି ହେବ।

Leave a Reply

Your email address will not be published. Required fields are marked *