Spread the love

ଡିଜିଟାଲ୍ ପ୍ରଯୁକ୍ତିରେ ଅଧିକ ଦକ୍ଷ ହେବ ରାଜସ୍ୱ ବିଭାଗ

CMGI ପକ୍ଷରୁ ବିକଶିତ ବିଭିନ୍ନ ଆପ୍ଲିକେସନ୍‌ର ବ୍ୟବହାର ନେଇ ଅଧିକାରୀଙ୍କୁ ତାଲିମ୍

ଭୁବନେଶ୍ୱର, ୭ ନଭେମ୍ବର: ସରକାରୀ କାର୍ଯ୍ୟକୁ ଅଧିକ ସରଳ, ସ୍ୱଚ୍ଛ ଓ ଗତିଶୀଳ କରିବା ସହ ଇ-ଗଭର୍ଣ୍ଣାନ୍ସ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏହି କ୍ରମରେ CMGI ଦ୍ୱାରା ବିକଶିତ ବିଭିନ୍ନ ଡିଜିଟାଲ୍ ଆପ୍ଲିକେସନ୍‌ର ବ୍ୟବହାର ଓ ପରିଚାଳନା ସମ୍ପର୍କରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ଲୋକସେବା ଭବନସ୍ଥିତ ବିଭାଗୀୟ ସମ୍ମିଳନୀ କକ୍ଷରେ ଶନିବାର ଅନୁଷ୍ଠିତ ଏହି ପ୍ରଶିକ୍ଷଣରେ ବିଭିନ୍ନ ଶାଖାର ଡେସ୍କ ଅଫିସର, ସେକ୍ସନ୍ ଅଫିସର ଓ ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସରମାନେ ଯୋଗ ଦେଇଥିଲେ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅଧୀନରେ କାର୍ଯ୍ୟରତ ସେଣ୍ଟର ଫର୍ ମଡର୍ଣ୍ଣାଇଜିଂ ଗଭର୍ଣ୍ଣମେଣ୍ଟ ଇନିସିଏଟିଭ୍ (CMGI)ର ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ଦେବସ୍ମିତା ପଟ୍ଟନାୟକଙ୍କ ସମେତ ଟିମ୍ ଏହି ତାଲିମ୍ ପ୍ରଦାନ କରିଥିଲେ।

ପ୍ରଶିକ୍ଷଣରେ ହ୍ୟୁମାନ୍ ରିସୋର୍ସ ମ୍ୟାନେଜମେଣ୍ଟ ସିଷ୍ଟମ୍ (HRMS)ର ବିଭିନ୍ନ କାର୍ଯ୍ୟପ୍ରଣାଳୀ, ମାଇଁ ଅଫିସ୍ ମଡ୍ୟୁଲ୍, ବିଲ୍ ବ୍ରାଉଜର୍, HRMS ଡ୍ୟାସ୍‌ବୋର୍ଡ, ଷ୍ଟେଟ୍ ଡ୍ୟାସ୍‌ବୋର୍ଡ, ଡିପାର୍ଟମେଣ୍ଟ ଡ୍ୟାସ୍‌ବୋର୍ଡ ଏବଂ ଅପରେସନାଲ୍ ପେମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ୍ (OPMS) ଉପରେ ବିସ୍ତୃତ ତାଲିମ୍ ଦିଆଯାଇଥିଲା। ଏହାସହ CMGI ଦ୍ୱାରା ପରିଚାଳିତ ଅନ୍ୟାନ୍ୟ ଡିଜିଟାଲ୍ ପ୍ଲାଟଫର୍ମର ବ୍ୟବହାରିକ ଦିଗ ଓ ବିଶେଷ ସୁବିଧା ସମ୍ପର୍କରେ ମଧ୍ୟ ଅଧିକାରୀମାନଙ୍କୁ ବୁଝାଯାଇଥିଲା।

ଏହି ପଦକ୍ଷେପ ଦ୍ୱାରା ବିଭାଗୀୟ କାର୍ଯ୍ୟରେ ଅନ୍‌ଲାଇନ୍ ମନିଟରିଂ, ତଥ୍ୟ ପରିଚାଳନା ଓ ଦୈନନ୍ଦିନ କାର୍ଯ୍ୟର ସରଳୀକରଣ ଅଧିକ ସହଜ ହେବ। ଡିଜିଟାଲ୍ ବ୍ୟବସ୍ଥାର ସଠିକ୍ ଉପଯୋଗ ଫଳରେ କାର୍ଯ୍ୟରେ ସ୍ୱଚ୍ଛତା ବୃଦ୍ଧି ସହ ନିଷ୍ପତ୍ତି ଗ୍ରହଣ ଓ ସେବା ପ୍ରଦାନ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି। ନୂତନ ପ୍ରଯୁକ୍ତିକୁ ଆପଣାଇ ପ୍ରଶାସନିକ ଦକ୍ଷତା ବୃଦ୍ଧି କରିବା ଦିଗରେ ରାଜସ୍ୱ ବିଭାଗର ଏହି ପ୍ରୟାସକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।

Leave a Reply

Your email address will not be published. Required fields are marked *