ଢେଙ୍କାନାଳରେ ବିକଶିତ ଭାରତ ଯୁବ ନେତୃତ୍ୱ ସମ୍ବାଦ ୨୦୨୭ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ସଫଳତାର ସହ ଅନୁଷ୍ଠିତ
ପାଞ୍ଚଟି ବିଭାଗରେ ୩୦୦ରୁ ଊର୍ଦ୍ଧ୍ୱ ଯୁବ ପ୍ରତିଭାଙ୍କ ଅଂଶଗ୍ରହଣ
ଢେଙ୍କାନାଳ, ୦୭ ନଭେମ୍ବର ୨୦୨୬:
ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଓ ମେରା ଯୁବା ଭାରତ, ଢେଙ୍କାନାଳର ମିଳିତ ସହଯୋଗରେ ଆଜି ଢେଙ୍କାନାଳସ୍ଥିତ ଆର୍ଟ ଆଣ୍ଡ କ୍ରାଫ୍ଟ ସେଣ୍ଟରଠାରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସମ୍ବାଦ (VBYLD) ୨୦୨୭’ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ ଓ ଯୁବ ସଂଗଠନରୁ ୩୦୦ରୁ ଅଧିକ ଯୁବ ପ୍ରତିଭା ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ ଉତ୍ସବରେ ଢେଙ୍କାନାଳର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଉପଜିଲ୍ଲାପାଳ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ, ଜିଲ୍ଲା ଯୁବ ଅଧିକାରୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଏବଂ ଜିଲ୍ଲା ବନ ଅଧିକାରୀ ଯୋଗଦେଇ କାର୍ଯ୍ୟକ୍ରମର ଗରିମା ବୃଦ୍ଧି କରିଥିଲେ। ଅତିଥିମାନେ ଯୁବପିଢ଼ିଙ୍କ ସୃଜନଶୀଳତା, ସାଂସ୍କୃତିକ ଚେତନା ଓ ପ୍ରତିଭା ବିକାଶର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଏଭଳି କାର୍ଯ୍ୟକ୍ରମ ଯୁବ ସମାଜକୁ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ଏକ ଉପଯୁକ୍ତ ମଞ୍ଚ ପ୍ରଦାନ କରୁଥିବା ମତବ୍ୟକ୍ତ କରିଥିଲେ।
ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ଯୁବା ଭାରତର ‘ବିକଶିତ ଭାରତ ଯୁବ ନେତୃତ୍ୱ ସମ୍ବାଦ ୨୦୨୭’ କାର୍ଯ୍ୟକ୍ରମର ସାଂସ୍କୃତିକ ବିଭାଗ ଅଧୀନରେ ଆୟୋଜିତ ଏହି ପ୍ରତିଯୋଗିତାର ମୂଳ ଉଦ୍ଦେଶ୍ୟ ଥିଲା ଯୁବପିଢ଼ିଙ୍କ ମଧ୍ୟରେ ଲୁକ୍କାୟିତ ସାଂସ୍କୃତିକ ଓ କଳାତ୍ମକ ପ୍ରତିଭାକୁ ଚିହ୍ନଟ କରିବା, ଭାରତୀୟ ଲୋକକଳା ଓ ପରମ୍ପରାର ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ଏବଂ ‘ବିକଶିତ ଭାରତ @୨୦୪୭’ ଗଠନରେ ଯୁବଶକ୍ତିଙ୍କ ସକ୍ରିୟ ଅଂଶଗ୍ରହଣକୁ ଉତ୍ସାହିତ କରିବା।
ଏହି ଅବସରରେ ମୋଟ ପାଞ୍ଚଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସେଗୁଡ଼ିକ ହେଲା ଦଳଗତ ଲୋକନୃତ୍ୟ, ଦଳଗତ ଲୋକସଙ୍ଗୀତ, ପଥପ୍ରାନ୍ତ ନାଟକ, ଏକକ ଚିତ୍ରାଙ୍କନ ଏବଂ ଏକକ କବିତା ଆବୃତ୍ତି। ପ୍ରତିଯୋଗୀମାନେ ନିଜର ନୃତ୍ୟ, ସଙ୍ଗୀତ, ଅଭିନୟ, ଚିତ୍ରକଳା ଓ କବିତା ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ସାମାଜିକ ସଚେତନତା, ଜାତୀୟ ଏକତା ଏବଂ ଯୁବପିଢ଼ିଙ୍କ ଆଶା ଓ ଆକାଂକ୍ଷାକୁ ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ। ବିଶେଷକରି ଲୋକନୃତ୍ୟ ଓ ଲୋକସଙ୍ଗୀତର ଆକର୍ଷଣୀୟ ପରିବେଷଣ ସହ ପଥପ୍ରାନ୍ତ ନାଟକର ସଚେତନତାମୂଳକ ବାର୍ତ୍ତା କାର୍ଯ୍ୟକ୍ରମକୁ ଅଧିକ ଜୀବନ୍ତ କରିଥିଲା।
ପ୍ରତିଯୋଗିତାଗୁଡ଼ିକର ସୁଚାରୁ ମୂଲ୍ୟାୟନ ପାଇଁ ବିଭିନ୍ନ କଳା ଓ ସାଂସ୍କୃତିକ କ୍ଷେତ୍ରର ଅଭିଜ୍ଞ ତଥା ବିଶିଷ୍ଟ ବିଚାରକମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା। ବିଚାରକମଣ୍ଡଳୀ ପ୍ରତ୍ୟେକ ପ୍ରତିଯୋଗିତାର ପ୍ରଦର୍ଶନକୁ ନିରୀକ୍ଷଣ କରିବା ସହ ପ୍ରତିଭା, ସୃଜନଶୀଳତା, ମୌଳିକତା, ଉପସ୍ଥାପନ ଶୈଳୀ ଓ କଳାତ୍ମକ ଦକ୍ଷତା ଆଧାରରେ ମୂଲ୍ୟାୟନ କରିଥିଲେ।
ଦିନବ୍ୟାପୀ ଆୟୋଜିତ ଏହି ସାଂସ୍କୃତିକ ମହୋତ୍ସବର ଉଦ୍ଯାପନୀ ସମାରୋହରେ ଡେପୁଟି କଲେକ୍ଟର ଶ୍ରୀ ପ୍ରସନ୍ନ ପଣ୍ଡା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଓ ଜିଲ୍ଲା ଯୁବ ଅଧିକାରୀ ଯୋଗଦେଇ ବିଭିନ୍ନ ବିଭାଗର କୃତୀ ପ୍ରତିଯୋଗୀ ଓ ବିଜେତା ଦଳମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହା ସହ ସମସ୍ତ ପ୍ରତିଯୋଗୀଙ୍କ ଉତ୍ସାହ, ନିଷ୍ଠା ଓ ପ୍ରତିଭାକୁ ପ୍ରଶଂସା କରାଯାଇଥିଲା।
ସମଗ୍ର କାର୍ଯ୍ୟକ୍ରମକୁ ବିଶିଷ୍ଟ ସାଂସ୍କୃତିକ କଳାକାର ଶ୍ରୀ ସତ୍ୟନାରାୟଣ କର ସୁନ୍ଦର ଓ ଆକର୍ଷଣୀୟ ଢଙ୍ଗରେ ସଞ୍ଚାଳନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସେ ଧନ୍ୟବାଦ ଅର୍ପଣ କରି ଉପସ୍ଥିତ ଅତିଥିବୃନ୍ଦ, ବିଚାରକମଣ୍ଡଳୀ, ପ୍ରତିଯୋଗୀ, ସହଯୋଗୀ ଅନୁଷ୍ଠାନ ଓ ଆୟୋଜନରେ ସମ୍ପୃକ୍ତ ସମସ୍ତଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ।
ଜିଲ୍ଲା ପ୍ରଶାସନ ଓ ମେରା ଯୁବା ଭାରତ, ଢେଙ୍କାନାଳର ସମନ୍ୱିତ ପ୍ରୟାସରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଯୁବପିଢ଼ିଙ୍କ ପାଇଁ ଏକ ଉତ୍ସାହଜନକ ଓ ସ୍ମରଣୀୟ ଅନୁଭୂତି ହୋଇଥିଲା। ଏଭଳି ପ୍ରୟାସ ମାଧ୍ୟମରେ ତୃଣମୂଳ ସ୍ତରର ଯୁବ ପ୍ରତିଭାଙ୍କୁ ଆଗକୁ ଆଣିବା ସହ ସାଂସ୍କୃତିକ ପରମ୍ପରା, ସୃଜନଶୀଳତା ଓ ଯୁବ ନେତୃତ୍ୱକୁ ନୂତନ ଦିଗ ପ୍ରଦାନ କରିବାର ଲକ୍ଷ୍ୟ ରଖାଯାଇଛି।
