### ବଲାଙ୍ଗିରରେ ୮୧.୩୭ କୋଟିରେ ନିର୍ମାଣ ହେବ ଅନ୍ତଃନଦୀ ଜଳାଶୟ; ୧୭ଟି ମରୁଡ଼ିପ୍ରବଣ ଗାଁକୁ ମିଳିବ ବର୍ଷତମାମ ପାଣି
କୁରସୁଦ ଜଳ ସଂରକ୍ଷଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ, ୩୦ ମାସରେ ନିର୍ମାଣ କାର୍ଯ୍ୟ ଶେଷ ଲକ୍ଷ୍ୟ
ଭୁବନେଶ୍ୱର: ମରୁଡ଼ିପ୍ରବଣ ବଲାଙ୍ଗିର ଜିଲ୍ଲାରେ ଜଳ ସଂକଟ ଦୂର କରିବା ଦିଗରେ ରାଜ୍ୟ ସରକାର ନେଇଛନ୍ତି ଏକ ବଡ଼ ପଦକ୍ଷେପ। ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକ୍ ଅନ୍ତର୍ଗତ କୁରସୁଦ ଗ୍ରାମ ନିକଟରେ ଏକ ଅନ୍ତଃନଦୀ ଜଳାଶୟ (In-Stream Storage Structure) ନିର୍ମାଣ ପାଇଁ ୮୧.୩୬ କୋଟି ଟଙ୍କାର ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ଜିଏସ୍ଟି ବ୍ୟତୀତ ଏହି ପ୍ରକଳ୍ପର ଟେଣ୍ଡର ମୂଲ୍ୟ ୮୧,୩୬,୯୯,୯୯୯ ଟଙ୍କା ରହିଛି।
ତେଲ୍ ନଦୀର ଉପନଦୀ ଇନ୍ଦ୍ର ନଦୀ (ସୁନ୍ଦର ନାମରେ ମଧ୍ୟ ପରିଚିତ) ଉପରେ ଏହି ପ୍ରକଳ୍ପ ନିର୍ମାଣ କରାଯିବ। ଦୀର୍ଘଦିନ ଧରି ଜଳାଭାବର ସମ୍ମୁଖୀନ ହେଉଥିବା ଅଞ୍ଚଳବାସୀଙ୍କ ପାଇଁ ଏହା ଏକ ସ୍ଥାୟୀ ଜଳସମ୍ପଦ ସୃଷ୍ଟି କରିବା ସହ ଜଳ ସୁରକ୍ଷାକୁ ମଜବୁତ କରିବ। ଆସନ୍ତା ୩୦ କ୍ୟାଲେଣ୍ଡର ମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରହିଛି।
ସୂଚନା ଅନୁଯାୟୀ, ବଲାଙ୍ଗିର ଜିଲ୍ଲାରେ ଜୁନ୍ରୁ ଅକ୍ଟୋବର ମାସ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଯୋଗୁଁ ବାର୍ଷିକ ବୃଷ୍ଟିପାତର ପ୍ରାୟ ୯୦ ପ୍ରତିଶତ ହୋଇଥାଏ। ତେବେ ବର୍ଷା ଋତୁରେ ପ୍ରବାହିତ ଅତିରିକ୍ତ ଜଳ ସଂରକ୍ଷଣ ଅଭାବରୁ ନଦୀ ଦେଇ ବୋହିଯାଇଥାଏ। ଫଳରେ ଗ୍ରୀଷ୍ମ ଓ ଶୁଷ୍କ ଋତୁରେ ଅଞ୍ଚଳବାସୀ ଜଳ ସଂକଟର ସମ୍ମୁଖୀନ ହୋଇଥାନ୍ତି।
ଏହି ସମସ୍ୟାର ସମାଧାନ ପାଇଁ ନଦୀ ମଧ୍ୟରେ ଜଳ ସଂରକ୍ଷଣ ବ୍ୟବସ୍ଥା କରାଯିବ। ଫଳରେ ବର୍ଷା ଦିନରେ ନଦୀରେ ପ୍ରବାହିତ ଜଳକୁ ଅଟକାଇ ସଂରକ୍ଷଣ କରାଯାଇପାରିବ ଏବଂ ଶୁଷ୍କ ଋତୁରେ ତାହା ବ୍ୟବହାର ହୋଇପାରିବ।
୧୭ଟି ଗାଁକୁ ମିଳିବ ଜଳ ସୁରକ୍ଷା
ଏହି ପ୍ରକଳ୍ପ ଦ୍ୱାରା ଟିଟିଲାଗଡ଼ ଓ ବଙ୍ଗୋମୁଣ୍ଡା ବ୍ଲକ୍ର ୧୭ଟି ମରୁଡ଼ିପ୍ରବଣ ଗ୍ରାମକୁ ବର୍ଷସାରା ନିର୍ଭରଯୋଗ୍ୟ ପାନୀୟ ଜଳ ଯୋଗାଣରେ ସହାୟତା ମିଳିବ। ଏଥିସହ ପଶୁପାଳନ, ମତ୍ସ୍ୟଚାଷ ଓ ଅନ୍ୟାନ୍ୟ ଗ୍ରାମୀଣ ଜୀବିକା ପାଇଁ ଆବଶ୍ୟକ ଜଳ ଉପଲବ୍ଧ ହୋଇପାରିବ।
ଭୂତଳ ଜଳସ୍ତର ବୃଦ୍ଧିରେ ମିଳିବ ସହାୟତା
ନଦୀରେ ଜଳ ସଂରକ୍ଷଣ ହେବା ଦ୍ୱାରା ଭୂତଳ ଜଳସ୍ତରର ପୁନର୍ଭରଣ ହେବ। ଏହା ଫଳରେ ଆଖପାଖ ଅଞ୍ଚଳର କୂଅ, ନଳକୂପ ଓ ଅନ୍ୟାନ୍ୟ ଜଳ ଉତ୍ସରେ ଜଳ ଉପଲବ୍ଧତା ବୃଦ୍ଧି ପାଇବାର ଆଶା ରହିଛି। ଏଥିସହ ଜଳକ୍ଷୟ ଓ ମରୁଭୂମିକରଣର ମୁକାବିଲା ସହ ସ୍ଥାନୀୟ ପରିବେଶର ସନ୍ତୁଳନ ରକ୍ଷାରେ ଏହା ସହାୟକ ହେବ।
ବର୍ଷା ଋତୁର ଅବ୍ୟବହୃତ ଜଳକୁ ସଂରକ୍ଷଣ କରି ଶୁଷ୍କ ଋତୁରେ ତାହାର ଉପଯୋଗ କରିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ। ପ୍ରକଳ୍ପଟି କାର୍ଯ୍ୟକ୍ଷମ ହେଲେ ବଲାଙ୍ଗିର ଜିଲ୍ଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଦୀର୍ଘମିଆଦୀ ଜଳ ନିରାପତ୍ତା ସୃଷ୍ଟି ହେବା ସହ ଚାଷ ଓ ଗ୍ରାମୀଣ ଅର୍ଥନୀତିକୁ ମଧ୍ୟ ନୂଆ ଆଧାର ମିଳିବ ବୋଲି ଆଶା କରାଯାଉଛି।
