Spread the love

### କଳାହାଣ୍ଡିରେ ନିର୍ମାଣ ହେବ ୬୦୦ ମେଗାୱାଟ୍‌ର ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ; ୪,୭୦୮ କୋଟିରୁ ଅଧିକ ବ୍ୟୟକୁ କ୍ୟାବିନେଟ୍ ମଞ୍ଜୁରୀ

MEILକୁ ମିଳିଲା ୩,୩୭୨.୮୮ କୋଟିର EPC ଠିକା | ୨୦୩୦-୩୧ ସୁଦ୍ଧା କାର୍ଯ୍ୟକ୍ଷମ ହେବ ପ୍ରକଳ୍ପ

ଭୁବନେଶ୍ୱର: ରାଜ୍ୟର ଶକ୍ତି ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ସହ ଅକ୍ଷୟ ଶକ୍ତିର ସଠିକ୍ ଉପଯୋଗ ଦିଗରେ ଓଡ଼ିଶା ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। କଳାହାଣ୍ଡି ଜିଲ୍ଲାର ରାଣୀବାହାଲଠାରେ ୬୦୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ଉପର ଇନ୍ଦ୍ରାବତୀ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ (Upper Indravati Pumped Storage Project) ନିର୍ମାଣ ପାଇଁ ପ୍ରକଳ୍ପର ବ୍ୟୟ ଅଟକଳ, EPC ଠିକାଦାର ଚୟନ ଓ ଆର୍ଥିକ ରୂପରେଖକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି।

ଏହି ପ୍ରକଳ୍ପ ପାଇଁ ସମୁଦାୟ ୪,୭୦୮.୬୪ କୋଟି ଟଙ୍କା ବ୍ୟୟ ଅଟକଳକୁ ମଞ୍ଜୁରୀ ମିଳିଛି। ଏଥିରେ ଜିଏସ୍‌ଟି ସମେତ ନିର୍ମାଣ ଖର୍ଚ୍ଚ ସହ ପରାମର୍ଶ ଶୁଳ୍କ, ଜମି ଅଧିଗ୍ରହଣ, ଜଙ୍ଗଲ ଜମି ମଞ୍ଜୁରୀ ଏବଂ ନିର୍ମାଣକାଳୀନ ସୁଧ ଭଳି ଅନ୍ୟାନ୍ୟ ଖର୍ଚ୍ଚ ଅନ୍ତର୍ଭୁକ୍ତ ରହିଛି।

ଟେଣ୍ଡର ପ୍ରକ୍ରିୟା ପରେ ମେସର୍ସ ମେଘା ଇଞ୍ଜିନିୟରିଂ ଆଣ୍ଡ ଇନ୍‌ଫ୍ରାଷ୍ଟ୍ରକ୍ଚର୍ସ ଲିମିଟେଡ୍ (MEIL)କୁ EPC ଠିକାଦାର ଭାବେ ଚୟନ କରାଯାଇଛି। ଏହି କମ୍ପାନୀ ୩,୩୭୨.୮୮ କୋଟି ଟଙ୍କା (ଜିଏସ୍‌ଟି ବ୍ୟତୀତ) ମୂଲ୍ୟରେ ପ୍ରକଳ୍ପ ନିର୍ମାଣ କରିବ। ନିୟମ ଅନୁଯାୟୀ ଏଥିରେ ଅତିରିକ୍ତ ଜିଏସ୍‌ଟି ଲାଗୁ ହେବ।

୮୦:୨୦ ଅନୁପାତରେ ଅର୍ଥ ଯୋଗାଣ

ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ୍ ଲିମିଟେଡ୍ (OHPC) ମାଧ୍ୟମରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ପ୍ରକଳ୍ପର ଆର୍ଥିକ ବ୍ୟବସ୍ଥା ୮୦:୨୦ ଋଣ ଓ ଇକ୍ୱିଟି ଅନୁପାତରେ କରାଯିବ।

ଏଥିରେ OHPC ନିଜସ୍ୱ ଆଭ୍ୟନ୍ତରୀଣ ପାଣ୍ଠିରୁ ୨୦ ପ୍ରତିଶତ ଅର୍ଥ ଇକ୍ୱିଟି ଭାବେ ବିନିଯୋଗ କରିବ। ଅବଶିଷ୍ଟ ୮୦ ପ୍ରତିଶତ ଅର୍ଥ ରାଜ୍ୟ ସରକାର ସ୍ୱଳ୍ପ ସୁଧ ହାରରେ ଋଣ ଭାବେ ଯୋଗାଇଦେବେ। ଏହି ଋଣର ସୁଧ ହାର ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ରେପୋ ରେଟ୍ ସହ ସମାନ ରହିବ।

ବିଦ୍ୟୁତ ଚାହିଦା ସମୟରେ ମିଳିବ ଅତିରିକ୍ତ ଶକ୍ତି

୬୦୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ଏହି ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପରୁ ବାର୍ଷିକ ପ୍ରାୟ ୧,୦୪୦ ମିଲିୟନ ୟୁନିଟ୍ (MU) ବିଦ୍ୟୁତ୍ ଉତ୍ପାଦନ କରାଯାଇପାରିବ। ଏଥିପାଇଁ ବାର୍ଷିକ ପ୍ରାୟ ୧,୨୮୩ ମିଲିୟନ ୟୁନିଟ୍ ଅଫ୍-ପିକ୍ ବିଦ୍ୟୁତ୍ ପମ୍ପିଂ କାର୍ଯ୍ୟରେ ବ୍ୟବହାର ହେବ।

ଏହି ପ୍ରକଳ୍ପର ବିଶେଷତ୍ୱ ହେଉଛି, ବିଦ୍ୟୁତ୍ ଚାହିଦା କମ୍ ଥିବା ସମୟରେ ବଳକା ବିଦ୍ୟୁତ୍ ବ୍ୟବହାର କରି ଜଳକୁ ଉଚ୍ଚସ୍ଥାନରେ ସଂରକ୍ଷଣ କରାଯିବ। ଆଉ ଯେତେବେଳେ ବିଦ୍ୟୁତ୍ ଚାହିଦା ବଢ଼ିବ, ସେତେବେଳେ ସଂରକ୍ଷିତ ଜଳର ସହାୟତାରେ ଟର୍ବାଇନ୍ ଚଳାଇ ବିଦ୍ୟୁତ୍ ଉତ୍ପାଦନ କରାଯିବ।

୨୦୩୦-୩୧ ସୁଦ୍ଧା ଉତ୍ପାଦନ ଲକ୍ଷ୍ୟ

ରାଜ୍ୟର ବିଦ୍ୟୁତ୍ ଗ୍ରୀଡ୍‌କୁ ସ୍ଥିର ଓ ସୁଦୃଢ଼ ରଖିବାରେ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ବିଶେଷକରି ସୌର ଓ ପବନ ଶକ୍ତି ଭଳି ପରିବର୍ତ୍ତନଶୀଳ ଅକ୍ଷୟ ଶକ୍ତିର ଉତ୍ପାଦନରେ ଥିବା ଅସ୍ଥିରତାକୁ ସନ୍ତୁଳିତ କରିବାରେ ଏହା ସହାୟକ ହେବ।

ଏହାଦ୍ୱାରା ତତ୍କାଳ ବିଦ୍ୟୁତ୍ ଆବଶ୍ୟକତା ପୂରଣ, ଗ୍ରୀଡ୍ ଫ୍ରିକ୍ୱେନ୍ସି ନିୟନ୍ତ୍ରଣ, ବିଦ୍ୟୁତ୍ ଲୋଡ୍‌ର ଉତ୍ଥାନ-ପତନ ହ୍ରାସ, ଅତିରିକ୍ତ ବିଦ୍ୟୁତ୍ ସଂରକ୍ଷଣ ଏବଂ ଜରୁରୀ ପରିସ୍ଥିତିରେ ବ୍ଲାକ୍-ଷ୍ଟାର୍ଟ ସୁବିଧା ମିଳିପାରିବ।

ସରକାରଙ୍କ ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ, ଉପର ଇନ୍ଦ୍ରାବତୀ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ ୨୦୩୦-୩୧ ଆର୍ଥିକ ବର୍ଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ। ଏହା କାର୍ଯ୍ୟକାରୀ ହେଲେ ଓଡ଼ିଶାର ଶକ୍ତି ସଂରକ୍ଷଣ କ୍ଷମତା ବୃଦ୍ଧି ପାଇବା ସହ ଭବିଷ୍ୟତର ବିଦ୍ୟୁତ୍ ଚାହିଦା ପୂରଣ ଓ ସ୍ୱଚ୍ଛ ଶକ୍ତି ବ୍ୟବହାରକୁ ନୂଆ ଦିଗ ମିଳିବ।

Leave a Reply

Your email address will not be published. Required fields are marked *