Spread the love

ଖରିଫ ଧାନ ସଂଗ୍ରହ ପାଇଁ ନୂଆ ନୀତି: କ୍ୱିଣ୍ଟାଲ ପିଛା ଚାଷୀ ପାଇବେ ୩,୧୦୦ ଟଙ୍କା

୭୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ, ୨୪ରୁ ୪୮ ଘଣ୍ଟା ମଧ୍ୟରେ ଖାତାକୁ ଯିବ ଟଙ୍କା

ଭୁବନେଶ୍ୱର, ୧୦/୧୧: ଚାଷୀଙ୍କଠାରୁ ଧାନ କିଣା ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସରଳ ଓ ଡିଜିଟାଲ୍‌ଭିତ୍ତିକ କରିବା ଲକ୍ଷ୍ୟରେ ଖରିଫ ବିପଣନ ଋତୁ (KMS) ୨୦୨୬-୨୭ ପାଇଁ ନୂଆ ଧାନ ଓ ଖାଦ୍ୟ ସଂଗ୍ରହ ନୀତି ପ୍ରଣୟନ କରିଛନ୍ତି ଓଡ଼ିଶା ସରକାର। ଏହି ନୀତିରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ସହ ଇନପୁଟ୍ ସହାୟତାକୁ ମିଶାଇ ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ମୋଟ ୩,୧୦୦ ଟଙ୍କା ପ୍ରଦାନ କରାଯିବ। ଚଳିତ ଋତୁରେ ୫୩ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ସଂଗ୍ରହର ଲକ୍ଷ୍ୟ ରଖାଯାଇଛି, ଯାହା ପ୍ରାୟ ୭୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସହ ସମାନ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜାରି ନୀତି ଅନୁଯାୟୀ, ଧାନ କିଣା ପରେ ଚାଷୀଙ୍କ ଆଧାର ସଂଯୁକ୍ତ ବ୍ୟାଙ୍କ ଖାତାକୁ NPCI ମାଧ୍ୟମରେ ୨୪ରୁ ୪୮ ଘଣ୍ଟା ମଧ୍ୟରେ MSP ଅର୍ଥ ସିଧାସଳଖ ଜମା କରାଯିବ। ଏହାଦ୍ୱାରା ଚାଷୀଙ୍କୁ ନିଜ ପ୍ରାପ୍ୟ ପାଇଁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ।

ଧାନ ସଂଗ୍ରହରେ ଅନିୟମିତତା ରୋକିବା ଓ ପ୍ରକୃତ ଚାଷୀଙ୍କୁ ସୁବିଧା ଦେବା ପାଇଁ ଡିଜିଟାଲ୍ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି। P-PAS, ଆଧାର e-KYC, ଭୂଲେଖ ଓ NPCI ମଧ୍ୟରେ ସମନ୍ୱୟ ରଖାଯିବ। ଏଥିସହ ଉପଗ୍ରହ ଚିତ୍ର ସହାୟତାରେ ଧାନ ଚାଷ ହୋଇଥିବା ଜମିର ୧୦୦ ପ୍ରତିଶତ କ୍ଷେତ୍ରସ୍ତରୀୟ ଯାଞ୍ଚ ଓ ସତ୍ୟାପନ କରାଯିବ। ଡିଜିଟାଲ୍ କ୍ରପ୍ ସର୍ଭେ (DCS) ତଥ୍ୟ ମଧ୍ୟ ଦ୍ୱିତୀୟ ସ୍ତରର ଯାଞ୍ଚ ଭାବେ ବ୍ୟବହାର ହେବ।

ନୂଆ ନୀତିରେ ଯୋଗ୍ୟ ଭାଗଚାଷୀଙ୍କୁ ମଧ୍ୟ ଧାନ ସଂଗ୍ରହ ବ୍ୟବସ୍ଥାରେ ସାମିଲ କରାଯାଇଛି। ଜମି ମାଲିକଙ୍କ ଡିଜିଟାଲ୍ ସମ୍ମତି ସହ ବାୟୋମେଟ୍ରିକ୍ କିମ୍ବା ମୋବାଇଲ୍ ପ୍ରମାଣୀକରଣ ମାଧ୍ୟମରେ ସେମାନଙ୍କ ପଞ୍ଜୀକରଣ କରାଯିବ।

ଚାଷୀଙ୍କ ନିକଟରେ ଧାନ ବିକ୍ରି ପ୍ରକ୍ରିୟାକୁ ସହଜ କରିବା ପାଇଁ PACS, LAMPCS ଓ ପାଣି ପଞ୍ଚାୟତ ମାଧ୍ୟମରେ ଧାନ କ୍ରୟ କେନ୍ଦ୍ର (PPC) ପରିଚାଳିତ ହେବ। କେଉଁ ତାରିଖରେ ଏବଂ କେତେ ପରିମାଣର ଧାନ ବିକ୍ରି କରିବେ, ସେ ସମ୍ପର୍କରେ ଚାଷୀଙ୍କୁ ଆଗୁଆ ଓଡ଼ିଆ ଭାଷାରେ SMS ପଠାଯିବ।

ଧାନର ଗୁଣବତ୍ତା ଯାଞ୍ଚ ଓ କ୍ରୟ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାକୁ FAQ ମାନଦଣ୍ଡରେ ପରୀକ୍ଷଣ କରାଯିବ। ୫ ହଜାର ମେଟ୍ରିକ୍ ଟନ୍‌ରୁ ଅଧିକ କ୍ଷମତା ଥିବା PPC ଗୁଡ଼ିକରେ AI-ଆଧାରିତ Grain Analyser ସ୍ଥାପନ ସହ CCTV ଓ ଲାଇଭ୍ ମନିଟରିଂ ବ୍ୟବସ୍ଥା ରହିବ।

ସେହିପରି ମିଲ୍ ଟ୍ୟାଗିଂ, MMDF ଓ ରୁଟ୍ ଅପ୍ଟିମାଇଜେସନ୍ ମାଧ୍ୟମରେ ଧାନ ପରିବହନ ଓ ମିଲିଂ ପ୍ରକ୍ରିୟାକୁ ଅଧିକ ସୁବ୍ୟବସ୍ଥିତ କରାଯିବ। ନିର୍ଦ୍ଧାରିତ ସମୟ ମଧ୍ୟରେ ମିଲିଂ ଶେଷ କରିବା ସହ ପରିବହନ ଖର୍ଚ୍ଚ କମାଇବା ଉପରେ ନୀତିରେ ଗୁରୁତ୍ୱ ଦିଆଯାଇଛି।

ଚାଷୀଙ୍କ ଅଭିଯୋଗ ଓ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଜିଲ୍ଲାସ୍ତରରେ କଣ୍ଟ୍ରୋଲ୍ ରୁମ୍ ଖୋଲା ରହିବ। ଏଥିସହ ଟୋଲ୍-ଫ୍ରି ନମ୍ବର ୧୯୬୭ ମାଧ୍ୟମରେ ମଧ୍ୟ ସହାୟତା ମିଳିପାରିବ। ଅନ୍ୟ ରାଜ୍ୟରୁ ବେଆଇନ ଭାବେ ଧାନ ଓଡ଼ିଶାକୁ ଆସିବା ରୋକିବା ପାଇଁ ସୀମାନ୍ତ ଅଞ୍ଚଳରେ ଯାଞ୍ଚ ଓ CCTV ନଜରଦାରି ବ୍ୟବସ୍ଥା କରାଯିବ।

ସରକାରଙ୍କ ନିର୍ଦ୍ଧାରିତ ସୂଚୀ ଅନୁସାରେ, ଖରିଫ ଋତୁର ଧାନ ସଂଗ୍ରହ ୧ ନଭେମ୍ବର ୨୦୨୬ରୁ ଆରମ୍ଭ ହୋଇ ୩୧ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ଚାଲିବ।

ରାଜ୍ୟର NFSA, SFSS ଓ ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନାର ଆବଶ୍ୟକତା ପୂରଣ ପରେ ବଳକା ଚାଉଳ କେନ୍ଦ୍ରୀୟ ପୁଲ୍‌କୁ ଯୋଗାଇବା ପାଇଁ FCIକୁ ପ୍ରଦାନ କରାଯିବ। ପ୍ରତ୍ୟେକ ଯୋଗ୍ୟ ଚାଷୀ ଯେପରି MSPରେ ନିଜର ବଳକା ଧାନ ବିକ୍ରି କରିପାରିବେ, ଠିକ୍ ସମୟରେ ଟଙ୍କା ପାଇବେ ଏବଂ ଏକ ସ୍ୱଚ୍ଛ ଓ ଉତ୍ତରଦାୟୀ ବ୍ୟବସ୍ଥାର ଲାଭ ଉଠାଇପାରିବେ, ତାହା ନୂଆ ନୀତିର ମୁଖ୍ୟ ଲକ୍ଷ୍ୟ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *