Spread the love

ଆଇଆଇଆଇଟି ଭୁବନେଶ୍ୱରର ବିକାଶ ନେଇ ବଡ଼ ଯୋଜନା, ଗବେଷଣା ଓ ନିଯୁକ୍ତି ଉପରେ ଗୁରୁତ୍ୱ

ଦେଶର ଶ୍ରେଷ୍ଠ ଆଇଆଇଆଇଟି ମଧ୍ୟରେ ସ୍ଥାନ ପାଇବାକୁ ଲକ୍ଷ୍ୟ, ୬୦ ଲକ୍ଷ ଟଙ୍କାରେ ପହଞ୍ଚିଲା ସର୍ବାଧିକ ପ୍ଲେସମେଣ୍ଟ ପ୍ୟାକେଜ୍

ଭୁବନେଶ୍ୱର, ୧୦/୧୧: ଶିକ୍ଷା, ଗବେଷଣା, ନବସୃଜନ ଓ ଶିଳ୍ପ ସହଯୋଗକୁ ଅଧିକ ସୁଦୃଢ଼ କରି ଆଇଆଇଆଇଟି ଭୁବନେଶ୍ୱରକୁ ଦେଶର ଏକ ଅଗ୍ରଣୀ ବୈଷୟିକ ଶିକ୍ଷାନୁଷ୍ଠାନ ଭାବେ ଗଢ଼ିତୋଳିବାକୁ ଯୋଜନା ହୋଇଛି। ଏଥିସହ ଅନୁଷ୍ଠାନରେ ଭିତ୍ତିଭୂମି ବିକାଶ, ସେମିକଣ୍ଡକ୍ଟର ଶିକ୍ଷା, ଷ୍ଟାର୍ଟଅପ୍ ଓ ଶିଳ୍ପଭିତ୍ତିକ ପାଠ୍ୟକ୍ରମକୁ ପ୍ରାଥମିକତା ଦିଆଯିବ।

ମଙ୍ଗଳବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ତଥା ଆଇଆଇଆଇଟି ଭୁବନେଶ୍ୱରର ପରିଚାଳନା ପରିଷଦ ଅଧ୍ୟକ୍ଷା ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠାନର ୧୫ତମ ବୋର୍ଡ ଅଫ୍ ଗଭର୍ଣ୍ଣର୍ସ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଶିକ୍ଷାଦାନ, ଛାତ୍ରଛାତ୍ରୀଙ୍କ ନାମଲେଖା, ନିଯୁକ୍ତି, ଗବେଷଣା ଓ ଭବିଷ୍ୟତ ବିକାଶ ଯୋଜନାର ସମୀକ୍ଷା କରାଯାଇଥିଲା।

ବଢ଼ିଛି ଛାତ୍ରଛାତ୍ରୀଙ୍କ ନାମଲେଖା

ଅନୁଷ୍ଠାନରେ ଶୈକ୍ଷିକ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଥିବା ବୈଠକରେ ସୂଚନା ଦିଆଯାଇଛି। ୨୦୨୬ରେ ବି.ଟେକ୍ ପାଠ୍ୟକ୍ରମରେ ୪୭୯ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଏହି ସଂଖ୍ୟା ୨୦୨୫ରେ ୩୭୨ ଏବଂ ୨୦୨୪ରେ ୩୯୮ ଥିଲା। ସେହିପରି ଏମ୍.ଟେକ୍ ନାମଲେଖା ୨୦୨୪ରେ ୧୫ ଥିବାବେଳେ ୨୦୨୬ରେ ୨୯କୁ ବୃଦ୍ଧି ପାଇଛି। ଭିଏଲ୍‌ଏସ୍‌ଆଇ (VLSI) ଓ ସେମିକଣ୍ଡକ୍ଟର ପ୍ରଯୁକ୍ତିବିଦ୍ୟା ଉପରେ ନୂତନ ସ୍ନାତକୋତ୍ତର ପାଠ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଛି। ଏହାସହ ୨୦୨୬ରେ ୫ ଜଣ ଗବେଷକ ପିଏଚ୍‌ଡି ପାଠ୍ୟକ୍ରମରେ ଯୋଗ ଦେଇଛନ୍ତି।

୬୦ ଲକ୍ଷ ଟଙ୍କାର ସର୍ବାଧିକ ପ୍ୟାକେଜ୍

ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଆଇଆଇଆଇଟି ଭୁବନେଶ୍ୱର ଭଲ ପ୍ରଦର୍ଶନ କରିଛି। ୨୦୨୫-୨୬ ଶିକ୍ଷାବର୍ଷରେ ସର୍ବାଧିକ ବାର୍ଷିକ ଦରମା ପ୍ୟାକେଜ୍ ୬୦ ଲକ୍ଷ ଟଙ୍କା ରହିଥିବାବେଳେ ହାରାହାରି ପ୍ୟାକେଜ୍ ୯.୬ ଲକ୍ଷ ଏବଂ ମଧ୍ୟମ ପ୍ୟାକେଜ୍ ୮ ଲକ୍ଷ ଟଙ୍କା ରହିଛି। ଗତ ଦୁଇ ବର୍ଷ ଧରି ଅନୁଷ୍ଠାନର ପ୍ଲେସମେଣ୍ଟ ହାର ପ୍ରାୟ ୮୩ ପ୍ରତିଶତ ରହିଛି।

ଡି.ଇ. ଶ, ଡେଲ୍, ଓରାକଲ୍, ଫ୍ଲିପ୍‌କାର୍ଟ, ଜୋହୋ, ରେଜରପେ, ସାର୍ଭମ୍ ଏଆଇ ଓ ସିମେନ୍ସ ଭଳି ପ୍ରମୁଖ କମ୍ପାନୀ ଅନୁଷ୍ଠାନର ନିଯୁକ୍ତି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି।

ଏଆଇ ଓ ସେମିକଣ୍ଡକ୍ଟର ଗବେଷଣାକୁ ଗୁରୁତ୍ୱ

ଗବେଷଣା ଓ ନବସୃଜନ କ୍ଷେତ୍ରରେ ଅନୁଷ୍ଠାନ ପକ୍ଷରୁ IEEE InGARSS 2025, Indocrypt 2025 ଓ ICoICC-2025 ଭଳି ଜାତୀୟ ତଥା ଆନ୍ତର୍ଜାତିକ ସମ୍ମିଳନୀ ଓ କର୍ମଶାଳା ଆୟୋଜନ କରାଯାଇଛି। IEEE InGARSS 2025ରେ ୧୪ଟି ଦେଶର ପ୍ରତିନିଧି ଯୋଗ ଦେଇଥିଲେ। କୃତ୍ରିମ ବୁଦ୍ଧିମତ୍ତା, ଡିପ୍ ଲର୍ଣ୍ଣିଂ, କ୍ୱାଣ୍ଟମ୍ କମ୍ପ୍ୟୁଟିଂ, ସାଇବର ସୁରକ୍ଷା ଓ କ୍ରିପ୍ଟୋଗ୍ରାଫି ଭଳି ଆଧୁନିକ ପ୍ରଯୁକ୍ତି କ୍ଷେତ୍ରରେ ଗବେଷଣା ଓ ପ୍ରଶିକ୍ଷଣକୁ ଆହୁରି ବ୍ୟାପକ କରିବା ଉପରେ ଆଲୋଚନା ହୋଇଛି।

କ୍ୟାମ୍ପସ୍‌ରେ ଏକ ଟେକ୍ନୋଲୋଜି ଇନୋଭେସନ୍ ହବ୍ ଏବଂ ସେମିକଣ୍ଡକ୍ଟର ପ୍ରଯୁକ୍ତିବିଦ୍ୟା ପାଇଁ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା ନେଇ ପ୍ରସ୍ତାବ ରହିଛି। ଏହାସହ ଇନକ୍ୟୁବେସନ୍ ସେଣ୍ଟର, ଛାତ୍ରାବାସ, ଅଡିଟୋରିୟମ୍ ଓ ଶ୍ରେଣୀଗୃହର ବିକାଶ ଯୋଜନା ଉପରେ ମଧ୍ୟ ସମୀକ୍ଷା କରାଯାଇଛି।

ଶିଳ୍ପ ସଂସ୍ଥା ସହ ସହଯୋଗ ବଢ଼ାଇବାକୁ ନିର୍ଦ୍ଦେଶ

ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଅନୁଷ୍ଠାନରେ ରହିଥିବା ଭିତ୍ତିଭୂମି ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ଉପରେ ଗୁରୁତ୍ୱ ଦେଇଥିଲେ। ରାଜ୍ୟର ଉଚ୍ଚ ବୈଷୟିକ ଶିକ୍ଷା, ଗବେଷଣା, ସେମିକଣ୍ଡକ୍ଟର ଶିଳ୍ପ ଓ ଷ୍ଟାର୍ଟଅପ୍ କ୍ଷେତ୍ରରେ ଅନୁଷ୍ଠାନର ଭୂମିକାକୁ ଅଧିକ ସକ୍ରିୟ କରିବାକୁ ସେ ପରାମର୍ଶ ଦେଇଥିଲେ।

ଦେଶର ଅନ୍ୟ ପ୍ରମୁଖ ଆଇଆଇଆଇଟିଗୁଡ଼ିକ ସହ ସମକକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବା ପାଇଁ ଶିଳ୍ପ ସଂସ୍ଥାଗୁଡ଼ିକ ସହ ଯୋଗାଯୋଗ ଓ ସହଯୋଗ ବଢ଼ାଇବା ଆବଶ୍ୟକ ବୋଲି ସେ କହିଥିଲେ। ଛାତ୍ରଛାତ୍ରୀଙ୍କୁ ଶିଳ୍ପର ଆବଶ୍ୟକତା ଅନୁଯାୟୀ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରଦାନ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।

ଅନ୍ୟପକ୍ଷରେ ଅଧ୍ୟାପକଙ୍କ ପଦୋନ୍ନତି, ଖାଲି ପଦବୀ ପୂରଣ ଓ ନୂତନ ଅଧ୍ୟାପକ ପଦବୀ ସୃଷ୍ଟି ନେଇ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି। ଆସନ୍ତା ୨୦୨୭ ଜାନୁଆରୀରେ ଅନୁଷ୍ଠାନର ସମାବର୍ତ୍ତନ ଉତ୍ସବ ଆୟୋଜନ ପାଇଁ ପ୍ରସ୍ତାବ ରହିଛି।

ବୈଠକରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ, କ୍ରୀଡ଼ା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଶାସନ ସଚିବ ଭୂପେନ୍ଦ୍ର ସିଂ ପୁନିଆ, ଆଇଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ଡ. ଆଶିଷ ଘୋଷ, ରେଜିଷ୍ଟ୍ରାର ତଥା ଅର୍ଥ ନିୟନ୍ତ୍ରକ ସବ୍ୟସାଚୀ ହୋତା, ଆଇଆଇଆଇଟି ବାଙ୍ଗାଲୋରର ନିର୍ଦ୍ଦେଶକ ପ୍ରଫେସର ଦେବବ୍ରତ ଦାସ ଏବଂ ଆଇଆଇଟି ଭୁବନେଶ୍ୱରର ପ୍ରଫେସର ଶ୍ରୀପଦ କର୍ମକାରଙ୍କ ସମେତ ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧି ଓ ପରିଚାଳନା ପରିଷଦର ସଦସ୍ୟମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *