Spread the love

# ବଙ୍ଗୋପସାଗରରେ ଘନୀଭୂତ ହେବ ଘୂର୍ଣ୍ଣିବଳୟ: ୧୩ରେ ଲଘୁଚାପ, ୧୫/୧୬ରେ ଅବପାତ ଆଶଙ୍କା; ଓଡ଼ିଶାରେ ବଢ଼ିଲା ଶୀତ

**ଭୁବନେଶ୍ୱର, ୧୨/୧୧:** ରାଜ୍ୟରେ ଶୀତର ପ୍ରକୋପ ଧୀରେ ଧୀରେ ବଢ଼ୁଥିବାବେଳେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ପୂର୍ବାନୁମାନ ପାଣିପାଗକୁ ନେଇ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ନଭେମ୍ବର ୧୩ ତାରିଖ ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ଗଠନ ହୋଇପାରେ। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ୧୫ କିମ୍ବା ୧୬ ତାରିଖ ବେଳକୁ ଅବପାତର ରୂପ ନେବା ସମ୍ଭାବନା ରହିଛି।

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଘୂର୍ଣ୍ଣିବଳୟଟି ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ୧୪ ତାରିଖ ସୁଦ୍ଧା ଏହା ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇପାରେ। ତେବେ ଏହାର ଗତିପଥ ଓ ତୀବ୍ରତା ସମ୍ପର୍କରେ ଏବେଠାରୁ ସ୍ପଷ୍ଟ ଆକଳନ କରାଯାଇନାହିଁ। ଆଣ୍ଡାମାନ ଦ୍ୱୀପପୁଞ୍ଜ ଓ ତାମିଲନାଡୁର କେତେକ ଅଞ୍ଚଳରେ ବର୍ଷାର ସମ୍ଭାବନା ଥିବାବେଳେ ଓଡ଼ିଶା ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବାର ଆଶଙ୍କା କମ୍ ରହିଛି।

**ଶ୍ରୀଲଙ୍କା କିମ୍ବା ତାମିଲନାଡୁ ଆଡ଼କୁ ମୁହାଁଇପାରେ**

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ, ଏହି ଲଘୁଚାପ ୧୫ କିମ୍ବା ୧୬ ତାରିଖ ସୁଦ୍ଧା ଅବପାତରେ ପରିଣତ ହୋଇପାରେ। ବିଶ୍ୱସ୍ତରୀୟ ପାଣିପାଗ ମଡେଲ୍‌ଗୁଡ଼ିକର ଆକଳନ ଅନୁସାରେ, ଏହା ଅତ୍ୟଧିକ ଶକ୍ତିଶାଳୀ ନହୋଇ ଅବପାତ ଅବସ୍ଥାରେ ରହିବାର ସମ୍ଭାବନା ଅଧିକ। ନଭେମ୍ବର ୧୫ ଓ ୧୬ ତାରିଖ ବେଳକୁ ଏହାର ସର୍ବାଧିକ ପବନ ବେଗ ଘଣ୍ଟାପ୍ରତି ୪୬ରୁ ୬୧ କିଲୋମିଟର ରହିପାରେ।

ଅଧିକାଂଶ ପାଣିପାଗ ମଡେଲ୍‌ର ଆକଳନ ଅନୁଯାୟୀ, ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଶ୍ରୀଲଙ୍କା, ଉତ୍ତର ତାମିଲନାଡୁର ପୁଡୁଚେରୀ-ଚେନ୍ନାଇ ଅଞ୍ଚଳ କିମ୍ବା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହାଁଇପାରେ। ଏହାର କେନ୍ଦ୍ର ଓଡ଼ିଶା ଉପକୂଳଠାରୁ ପ୍ରାୟ ୫୦୦ରୁ ୭୦୦ କିଲୋମିଟର ଦକ୍ଷିଣରେ ରହିବାର ସମ୍ଭାବନା ରହିଛି। ତେଣୁ ଓଡ଼ିଶାରେ ଏହାର ପ୍ରତ୍ୟକ୍ଷ ପ୍ରଭାବ ପଡ଼ିବାର ଆଶଙ୍କା କମ୍ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

**୭ ସହରରେ ୧୫ ଡିଗ୍ରି ତଳେ ପାରଦ**

ଅନ୍ୟପକ୍ଷରେ ରାଜ୍ୟରେ ଶୀତର ପ୍ରଭାବ ବଢ଼ିବା ସହ ରାତିର ତାପମାତ୍ରା ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ୭ଟି ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ସେଲସିୟସ୍‌ ତଳେ ରେକର୍ଡ ହୋଇଛି। କୋରାପୁଟ ଜିଲ୍ଲାର ସିମିଳିଗୁଡ଼ା ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ପାଲଟିଛି। ଏଠାରେ ସର୍ବନିମ୍ନ ତାପମାତ୍ରା ୧୧.୧ ଡିଗ୍ରି ରେକର୍ଡ କରାଯାଇଛି।

ବିଭିନ୍ନ ସହରର ତାପମାତ୍ରା ନିମ୍ନମୁଖୀ ରହିଥିବାବେଳେ ଜି. ଉଦୟଗିରିରେ ୧୨.୫ ଡିଗ୍ରି, ନବରଙ୍ଗପୁରରେ ୧୩.୫ ଡିଗ୍ରି, ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୧୪ ଡିଗ୍ରି, ଭବାନୀପାଟଣା ଓ ଝାରସୁଗୁଡ଼ାରେ ୧୪.୬ ଡିଗ୍ରି ରେକର୍ଡ ହୋଇଛି। ସେହିପରି କୋରାପୁଟରେ ପାରଦ ୧୫.୪ ଡିଗ୍ରି ରହିଥିଲା।

**ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ୫ ଡିଗ୍ରି ହ୍ରାସ**

ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୪ରୁ ୫ ଡିଗ୍ରି ପର୍ଯ୍ୟନ୍ତ କମିଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରି କମ୍ ରହିଥିବାବେଳେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ୨ ଡିଗ୍ରି ଏବଂ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ୨ରୁ ୩ ଡିଗ୍ରି କମ୍ ରହିଛି।

ଏହାସହ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ଘନ କୁହୁଡ଼ି ଅନୁଭୂତ ହୋଇଛି। ବାଲେଶ୍ୱର ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ଆଗାମୀ ଦିନରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଷ୍କ ରହିବା ସହ ସକାଳ ସମୟରେ ଥଣ୍ଡା ଓ କୁହୁଡ଼ିର ପ୍ରଭାବ ଜାରି ରହିପାରେ। ତେଣୁ ଏକପଟେ ବଙ୍ଗୋପସାଗରରେ ସମ୍ଭାବ୍ୟ ଅବପାତ ଉପରେ ପାଣିପାଗ ବିଭାଗର ନଜର ରହିଥିବାବେଳେ ଅନ୍ୟପଟେ ଓଡ଼ିଶାରେ ଶୀତର ପ୍ରକୋପ ଧୀରେ ଧୀରେ ବଢ଼ିବାରେ ଲାଗିଛି।

Leave a Reply

Your email address will not be published. Required fields are marked *