### HRMS ପୋର୍ଟାଲରେ ଜାଲ୍ ବିଲ୍ କରି ୩.୦୩ କୋଟି ଟଙ୍କା ହଡ଼ପ, ଡେରାବିଶ ବ୍ଲକର ବରିଷ୍ଠ ରାଜସ୍ୱ ସହାୟକ ଗିରଫ
ଅବସରପ୍ରାପ୍ତ ଓ ମୃତ କର୍ମଚାରୀଙ୍କ ନାମରେ ଉଠାଉଥିଲେ ଦରମା, ପେନ୍ସନ୍ ଓ ଅନ୍ୟାନ୍ୟ ଅର୍ଥ
କଟକ/କେନ୍ଦ୍ରାପଡ଼ା, ୧୨।୧୧: ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସକୁ ମିଳିଛି ବଡ଼ ସଫଳତା। HRMS ପୋର୍ଟାଲରେ ଜାଲ୍ ବିଲ୍ ପ୍ରସ୍ତୁତ କରି ୩ କୋଟି ୩ ଲକ୍ଷ ୬୫ ହଜାର ୮୪୩ ଟଙ୍କା ସରକାରୀ ଅର୍ଥ ଆତ୍ମସାତ୍ କରିଥିବା ଅଭିଯୋଗରେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକର ବରିଷ୍ଠ ରାଜସ୍ୱ ସହାୟକ (ଏସ୍ଆର୍ଏ) ଶଶିକାନ୍ତ ରଣାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଦୀର୍ଘଦିନ ଧରି ଫେରାର ଥିବା ଅଭିଯୁକ୍ତଙ୍କୁ ଡିଜିଟାଲ୍ ଟ୍ରାକିଂ ମାଧ୍ୟମରେ ଠାବ କରି ଗିରଫ କରାଯାଇଛି।
ଭିଜିଲାନ୍ସର ପ୍ରାଥମିକ ତଦନ୍ତ ଓ ବିସ୍ତୃତ ଯାଞ୍ଚରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ଶଶିକାନ୍ତ ରଣା ବିଭିନ୍ନ ସମୟରେ ଦୁଇଟି ବ୍ଲକରେ କାର୍ଯ୍ୟରତ ଥିବାବେଳେ ସରକାରୀ ଅର୍ଥ ଆତ୍ମସାତ୍ କରିଥିଲେ। ସେ ବ୍ଲକର ପ୍ରତିଷ୍ଠାନ ବିଭାଗର ଦାୟିତ୍ୱରେ ରହି ଦରମା, ବକେୟା ଦରମା ଓ ପେନ୍ସନ୍ ଆଦି ପ୍ରକ୍ରିୟାକରଣ କରୁଥିଲେ।
ତଦନ୍ତ ଅନୁଯାୟୀ, ରାଜକନିକା ବ୍ଲକରେ ୩୦ ଅଗଷ୍ଟ ୨୦୨୩ରୁ ୪ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ କାର୍ଯ୍ୟ କରିବା ସମୟରେ ସେ ୧ କୋଟି ୪୬ ଲକ୍ଷ ୬୮ ହଜାର ୧୧୮ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ସେହିପରି ୭ ଜାନୁଆରୀ ୨୦୨୫ରୁ ୧୩ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଡେରାବିଶ ବ୍ଲକରେ କାର୍ଯ୍ୟରତ ଥିବା ସମୟରେ ୧ କୋଟି ୫୬ ଲକ୍ଷ ୯୭ ହଜାର ୭୨୫ ଟଙ୍କା ଆତ୍ମସାତ୍ କରିଥିବା ତଦନ୍ତରୁ ଜଣାପଡ଼ିଛି।
ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଜଣକ HRMS ପୋର୍ଟାଲରେ ଅବସରପ୍ରାପ୍ତ ଓ ମୃତ କର୍ମଚାରୀଙ୍କ ନାମରେ ଜାଲ୍ ଦାବି ପ୍ରସ୍ତୁତ କରି ଦରମା, ବକେୟା ଦରମା, ଗ୍ରାଚ୍ୟୁଇଟି, ଅବ୍ୟବହୃତ ଛୁଟି ବାବଦ ଅର୍ଥ ଏବଂ ପେନ୍ସନ୍ ଉଠାଉଥିଲେ। ଏଥିପାଇଁ ପ୍ରକୃତ ହିତାଧିକାରୀଙ୍କ ବ୍ୟାଙ୍କ ଖାତା ବିବରଣୀ ବଦଳାଇ ନିଜ ଓ ପରିବାର ସଦସ୍ୟଙ୍କ ନାମରେ ଥିବା ବ୍ୟାଙ୍କ ଖାତାକୁ ଟଙ୍କା ପଠାଉଥିଲେ।
ଏହି କାରବାରରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଇଣ୍ଡିଆନ୍ ବ୍ୟାଙ୍କର କେନ୍ଦ୍ରାପଡ଼ାସ୍ଥିତ ଶାଖାରେ ଥିବା ନିଜର, ପତ୍ନୀ, ବାପା, ଭାଇ ଓ ଜଣେ ସମ୍ପର୍କୀୟଙ୍କ ବ୍ୟାଙ୍କ ଖାତା ବ୍ୟବହାର କରାଯାଇଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି। ଏହି ଅର୍ଥକୁ NEFT ମାଧ୍ୟମରେ ସ୍ଥାନାନ୍ତର କରାଯାଉଥିଲା।
ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ କେସ୍ ନଂ ୪୨ ଓ ୪୩/୨୦୨୬ରେ ଦୁଇଟି ମାମଲା ରୁଜୁ ହୋଇଛି। ଦୁର୍ନୀତି ନିବାରଣ ଆଇନ, ୨୦୧୮ର ଧାରା ୧୩(୨) ସହ ୧୩(୧)(କ) ଏବଂ ଭାରତୀୟ ନ୍ୟାୟ ସଂହିତା (BNS)ର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି।
ଗିରଫ ଅଭିଯୁକ୍ତ ଶଶିକାନ୍ତ ରଣାଙ୍କୁ ଆଜି କଟକସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯାଉଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ସରକାରୀ ଅର୍ଥର ଏଭଳି ବ୍ୟାପକ ହେରାଫେରି ଘଟଣା ସରକାରୀ ଆର୍ଥିକ କାରବାରର ସ୍ୱଚ୍ଛତା ଓ ତଦାରଖ ବ୍ୟବସ୍ଥାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି।
