ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ‘ଡ. କେଦାରନାଥ ମହାପାତ୍ରଙ୍କର ଓଡ଼ିଶା ଇତିହାସକୁ ଅବଦାନ’ ଶୀର୍ଷକ ଆଲୋଚନାଚକ୍ର
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ସମ୍ମିଳନୀ କକ୍ଷରେ ତା ୧୧.୧୧.୨୦୨୬ରିଖ ଅପରାହ୍ନ ୩ ଘଟିକା ସମୟରେ “ଡ. କେଦାରନାଥ ମହାପାତ୍ରଙ୍କର ଓଡ଼ିଶା ଇତିହାସକୁ ଅବଦାନ” ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀମତୀ ମନସ୍ବିନୀ ସାହୁ (ଓ.ପ୍ର.ସେ) ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଣ୍ଡିତ କେଦାରନାଥ ମହାପାତ୍ରଙ୍କୁ ଓଡ଼ିଶାର ଗର୍ବ ଓ ଗୌରବର ଏକ ଜ୍ଵଳନ୍ତ ବ୍ୟକ୍ତିତ୍ଵ ଭାବେ ଅଭିହିତ କରିଥିଲେ। ହୀରାପୁରର ଚଉଷଠୀ ଯୋଗିନୀ ମନ୍ଦିରକୁ ବିଶ୍ଵ ଦରବାରରେ ପରିଚିତ କରାଇବାରେ ତାଙ୍କର ଉଦ୍ୟମ ଓଡ଼ିଆ ଜାତି ପାଇଁ ଏକ ବିରାଟ ଅବଦାନ ବୋଲି ସେ ମତବ୍ୟକ୍ତ କରିଥିଲେ।
ମୁଖ୍ୟ ବକ୍ତା ଭାବେ ଉତ୍କଳ ବିଶ୍ଵବିଦ୍ୟାଳୟ ସଂସ୍କୃତ ବିଭାଗର ପ୍ରାକ୍ତନ ପ୍ରଫେସର ଗୋପାଳକୃଷ୍ଣ ଦାସ ଯୋଗଦେଇ ତାଙ୍କ ରଚିତ ‘ଖୁରୁଧା ଇତିହାସ’ ଓ ‘ଭୁବନେଶ୍ଵର ଇତିହାସ’କୁ ଗବେଷକମାନଙ୍କ ପାଇଁ ଦିଗ୍ଦର୍ଶକ ବୋଲି କହିଥିଲେ। ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଏକ ସ୍ଵତନ୍ତ୍ର ପୋଥି ବିଭାଗ ଗଠନ ଏବଂ କଳ୍ପଲତା, ପରିମଳା, କଳାବତୀ ଓ ଚାଟ ଇଚ୍ଛାବତୀ ଭଳି ଅପ୍ରକାଶିତ ତାଳପତ୍ର ପୋଥିର ସମ୍ପାଦନା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଭୂମିକା ଉପରେ ସେ ଆଲୋକପାତ କରିଥିଲେ।
ବରେଣ୍ୟ ଅତିଥି ବିଶିଷ୍ଟ ଲେଖିକା ତଥା ସଂଗ୍ରହାଳୟର ପ୍ରାକ୍ତନ ଅଧୀକ୍ଷକ ଡ. ଜୟନ୍ତୀ ରଥ ତାଙ୍କୁ ଓଡ଼ିଶାର ହଜିଯାଇଥିବା ଅତୀତକୁ ଲୋକଲୋଚନକୁ ଆଣିଥିବା ଜଣେ ସତ୍ୟସନ୍ଧାନୀ ସାରଥୀ ବୋଲି କହିଥିଲେ। ସେହିପରି ରାଜଧାନୀ ମହାବିଦ୍ୟାଳୟର ସଂସ୍କୃତ ବିଭାଗ ସହକାରୀ ଅଧ୍ୟାପକ ଡ. ବିଭୂତି ଭୂଷଣ ମହାପାତ୍ର ହଜାର ହଜାର ସଂସ୍କୃତ ଓ ଓଡ଼ିଆ ତାଳପତ୍ର ପୋଥିର ସୂଚୀପତ୍ର ପ୍ରସ୍ତୁତ କରିଥିବାରୁ ସେ ‘ପୋଥିନାଥ’ ଭାବେ ଚିରସ୍ମରଣୀୟ ହୋଇ ରହିବେ ବୋଲି କହିଥିଲେ।
କାର୍ଯ୍ୟକ୍ରମରେ ସଂଗ୍ରହାଳୟର ଅଧୀକ୍ଷକ ଡ. ଭାରତୀ ପାଲ୍ ପଣ୍ଡିତ ମହାପାତ୍ରଙ୍କ ମାର୍ଗ ଅନୁସରଣ କରି ଓଡ଼ିଆ ଅସ୍ମିତାର ସୁରକ୍ଷା କରିବା ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିବା ସହ ଶେଷରେ ସମସ୍ତ ଅତିଥି, ବୁଦ୍ଧିଜୀବୀ ଓ ସାମ୍ବାଦିକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
